ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗିଲେ

କୁମ୍ଭାରୀ ନିର୍ବାଚନୀ ସଭାରେ ଅଭାବନୀୟ କାଣ୍ଡ

ବରଗଡ଼/ବରପାଲି: ବିଜେପି ଗଡ଼ ବୋଲି କୁହାଯାଉଥିବା କୁମ୍ଭାରୀରେ ଆଜି ଦବ୍‌ଦବା ଦେଖାଇଥିଲା ବିଜେଡି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ୍‌ ସୋରେ ଯାଇଥିଲେ, ଆଉ ଗାଁ ଦାଣ୍ଡରେ ହଜାର ହଜାର ଲୋକ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଉପସ୍ଥିତ ଲୋକଙ୍କ ଉତ୍ସାହକୁ ଦେଖି ଗଦ୍‌ଗଦ୍‌ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ ଓ ବିଜେଡିର ଛାମୁଆ ନେତା। ହେଲେ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କ ପାଇଁ ଭୋଟ ମାଗି ସଭା ମଞ୍ଚକୁ ଫେରିବା ବେଳେ ଏକ ଅଭାବନୀୟ କାଣ୍ଡ ଘଟିଥିଲା। ହଠାତ୍‌ ଉତ୍ତେଜନାରେ ସଭାମଞ୍ଚ ଥରି ଉଠିଥିଲା। କାରଣ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲକ୍ଷ୍ୟ କରି ସଭା ମଞ୍ଚ ଆଗରୁ ଜଣେ ଯୁବକ ଚପଲ ଫିଙ୍ଗିଥିଲେ। ପ୍ରଥମ ଚପଲ ମୁଖ୍ୟମନ୍ତ୍ରୀଙ୍କ ହାତରେ ବାଜିଥାନ୍ତା, ହେଲେ ଉପସ୍ଥିତ ସୁରକ୍ଷା କର୍ମୀ ତାକୁ ଧରି ପକାଇଥିଲେ। ବିଚଳିଚ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ। କେହି କିଛି ଭାବିବା ପୂର୍ବରୁ ହଠାତ୍‌ ସଂପୃକ୍ତ ଯୁବକ ଦ୍ୱିତୀୟ ଚପଲ ଫିଙ୍ଗିଥିିଲେ। ଏଥର ଚପଲଟି ବାଜିଥାନ୍ତା ମୁଖ୍ୟମନ୍ତ୍ରୀ ମୁଣ୍ଡରେ। ହେଲେ ମୁଖ୍ୟମନ୍ତ୍ରୀ ମୁଣ୍ଡ ନୁଆଁଇ ଦେଇଥିଲେ ଓ ଏହା ପଛକୁ ଚାଲିିଯାଇଥିଲା। ସୁରକ୍ଷା କର୍ମୀ ଘେରିଯାଇ ମୁଖ୍ୟମନ୍ତ୍ରୀଙ୍କୁ ସଭାମଞ୍ଚରୁ ନେଇ ଯାଇଥିଲେ।

ଏହି ଘଟଣାରେ ତାତି ଯାଇଥିଲେ ବିଜେଡି କର୍ମୀ ଓ ସ୍ଥାନୀୟ ଅଞ୍ଚଳବାସିନ୍ଦା। ସଂପୃକ୍ତ ଯୁବକଙ୍କୁ ନିର୍ଘାତ ପିଟିଥିଲେ। ରଣକ୍ଷେତ୍ର ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ସଭାସ୍ଥଳ। ପରେ ସୁରକ୍ଷା କର୍ମୀ ଧରିନେଇଥିଲେ ସଂପୃକ୍ତ ଯୁବକଙ୍କୁ। ଆକ୍ରମଣରେ ଯୁବକଙ୍କ ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣକ ପଦ୍ମପୁର ଭେଉଁରିଆ ଅଂଚଳର ବୁଧାପାଲି ଗାଁର କାର୍ତିକ ମେହେର (୨୪)। ସେ ଝାରବନ୍ଧ କଲେଜରେ ଯୁକ୍ତ ୨ ପାଠ ପଢ଼ୁଥିବା ଜଣାପଡ଼ିଛି। ବିଜେଡି ଅଭିଯୋଗ କରିଛି, କାର୍ତ୍ତିକ ବିଜେପି ଇଙ୍ଗିତରେ ଏଭଳି କାଣ୍ଡ ଭିଆଇଛି। ବିଜେଡିର ଲୋକପ୍ରିୟତା ବୃଦ୍ଧିକୁ ଦଳୀୟ ନେତାମାନେ ସହିପାରିନାହାନ୍ତି। ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି, ବାହାରୁ କର୍ମୀଙ୍କୁ ମଗାଇ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ପାଇଁ ଷଡ଼୍‌ଯନ୍ତ୍ର୍‍ କରିଥିଲା। ଏ ନେଇ ବିଜେଡି ଆଗାମୀ ଦିନରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରିବ। ସେପଟେ ବିଜେପି ନେତା ଅଶ୍ୱିନୀ ଷଡଙ୍ଗୀ ଏହାକୁ ଅସ୍ୱୀକାର କରିବା ସହିତ କହିଛନ୍ତି, ଏଥିରେ ବିଜେପି କର୍ମକର୍ତ୍ତାଙ୍କ ହାତ ନାହିଁ। ଯାହା ଘଟିଲା, ତାହା ବିଜେଡି ଓ ସରକାରଙ୍କ ବିରୋଧରେ ଅସନ୍ତୋଷର ପ୍ରତିଫଳନ। ପରେ ଆଗଲପୁରରେ ଅନ୍ୟ ଏକ ସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ଘଟଣା ନେଇ ଗର୍ଜନ କରିଥିଲେ। କହିଥିଲେ, ରୀତା ସାହୁ ଓ ବିଜେଡି ପ୍ରତି ଜନସମର୍ଥନ ବୃଦ୍ଧି ପାଉଥିବା ଘଟଣା ବିଜେପିକୁ ଡରାଇ ଦେଲାଣି। ସେମାନେ ଆତଙ୍କିତ ହୋଇପଡ଼ିଛନ୍ତି। ବିଜେଡି ସଭାରେ ବାଧା ଦେବାକୁ ଉଦ୍ୟମ କରୁଛନ୍ତି। ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସାରେ ବିଶ୍ୱାସ କରନ୍ତି। ବିଜେଡି ଶାନ୍ତିପୂର୍ଣ୍ଣ ଭାବେ ବିଜେପିର ଗୁଣ୍ଡାଗିରିର ଜବାବ ଦେବ। ସେହିଭଳି ଘଟଣାକୁ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, ଏଭଳି ଆଚରଣ ଗଣତନ୍ତ୍ରକୁ ସୁହାଉନାହିଁ। ଏହା ଅସହିଷ୍ଣୁତାର ପରିଚୟ। କୌଣସି ଜନ ପ୍ରତିନିଧିଙ୍କୁ ଏଭଳି ଆକ୍ରମଣ ଶୋଭନୀୟ ନୁହେଁ।

ଉଲ୍ଲେଖଯୋଗ୍ୟ, ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କର ରୋଡ୍‌ ସୋ କାର୍ଯ୍ୟକ୍ରମ ଥିଲା। ଦଳୀୟ କର୍ମୀଙ୍କ ବାଇକ୍‌ ରାଲିରେ ସେ ପୂର୍ତ୍ତ ବଙ୍ଗଳାରୁ ରେମ୍‌ତା ଦେଇ କୁମ୍ଭାରୀ ଯାଇଥିଲେ। ବାଟରେ ତାଙ୍କୁ ଲୋକେ ଉଚ୍ଛ୍ୱର୍ସିତ ସମ୍ବର୍ଧନା ଦେଇଥିଲେ। ରାସ୍ତାରେ କଳସ ରଖି ସ୍ୱାଗତ କରିଥିଲେ ଓ ଦୁଇ ପାଖରୁ ଫୁଲ ଫିଙ୍ଗିଥିଲେ। ଗାଁ ଦାଣ୍ଡକୁ ଚିତ୍ରମୟ କରିଦେଇଥିଲେ। ମୁଖ୍ୟମନ୍ତ୍ରୀ ପହଞ୍ଚିବା ବେଳକୁ ବିଜେପିର ଗଡ଼ ବୋଲି କୁହାଯାଉଥିବା ଏହି ଅଞ୍ଚଳ ଲୋକାରଣ୍ୟ ହୋଇଉଠିଥିଲା। ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ। ହେଲେ ଏହି ସମୟରେ ଚପଲ ଫିଙ୍ଗା ଭଳି ଅଭାବନୀୟ ଘଟଣା ଘଟିଲା। ପରେ ଶ୍ରୀ ପଟ୍ଟନାୟକ ପୁଣି ଥରେ ପୂର୍ତ୍ତ ବଙ୍ଗଳାକୁ ଫେରିଥିଲେ ହେଁ, ଚୁପ୍‌ ନବସି ତତ୍କାଳ ଆଗଲପୁର ବ୍ଲକ ଅଭିମୁଖେ ବାହାରିଥିଲେ। ରୋଡ୍‌ ସୋରେ ଯାଇ ରୀତାଙ୍କ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ ହେଁ ଚପଲ ମାଡ଼ ସଂପର୍କରେ ଉଁ କି ଚୁଁ କିଛି କହିନଥିଲେ। ସଭା ସାରି ମୁଖ୍ୟମନ୍ତ୍ରୀ ଫେରିବା ବେଳେ ହଠାତ୍‌ ବରପାଲି ନିକଟସ୍ଥ ମହଦା ଗାଁକୁ ଯାଇଥିଲେ। ସେଠାରେ ଲୋକମାନେ ତାଙ୍କୁ ସ୍ୱାଗତ କରିବା ସହିତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ବିଜେଡି ସପକ୍ଷରେ ଭୋଟ ଦେବା ଲାଗି ସେମାନଙ୍କୁ ନିବେଦନ କରିବା ସହିତ ସ୍ଥାନୀୟ ଅଞ୍ଚଳର ବିକାଶ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ।

ବିଜେପିର କାଣ୍ଡ ବୋଲି ବିଜେଡିର ଅଭିଯୋଗ
ବିଜେପିର ଅସ୍ୱୀକାର, କହିଲା ଅସନ୍ତୋଷର ପ୍ରତିଫଳନ
ଅଭିଯୁକ୍ତ ବୁର୍ଲା ସ୍ଥାନାନ୍ତର, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍‌: ବିଜେପୁର ବିକାଶ ଭାର ନିଜ କାନ୍ଧକୁ ନେଲେ

ବରଗଡ଼: ବିଜେପୁର ଗଡ଼ ଦଖଲ ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍‌ ଗୋଟିଏ ମଞ୍ଚରେ ଏକାଧିକ କାର୍ଡ ଖେଳିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ବିଜେପୁର ବିକାଶର ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି। କହିଛନ୍ତି, ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ଭୋଟ ଦିଅ, ବିଜେପୁର ବିକାଶ କଥା ମୁଁ ନିଜେ ବୁଝିବି। କେବଳ ସେତିକି ନୁହେଁ, ବିଜେପୁରରେ ବିଜେପିର ମୂଳଦୁଆ ପକାଇଥିବା ବରିଷ୍ଠ ନେତା ଗୌରହରି ମିଶ୍ରଙ୍କୁ ଆଜି ବିଜେଡି ନିଜ ଦଳକୁ ଟାଣି ଆଣିଛି ଓ ଦଳର ନେତାମାନେ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ବିରୋଧରେ ମନଇଚ୍ଛା ଗର୍ଜନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଣାକାର ଠାରୁ ଆରମ୍ଭ କରି ଚାଷୀ କାର୍ଡ ପର୍ଯ୍ୟନ୍ତ ସବୁ ଖେଳିଛନ୍ତି ବରପାଲିର ପ୍ରଥମ ନିର୍ବାଚନୀ ସଭାରେ।ଆଉ ଦୁଇ ଦିନ ପରେ ବିଜେପୁର ଉପନିର୍ବାଚନ ଲାଗି ପ୍ରଚାର ଶେଷ ହେବ। ଆଜି ବିଜେଡି ତାର ମାଷ୍ଟର କାର୍ଡ ଖେଳିଛି। ଦଳର ଷ୍ଟାର ପ୍ରଚାରକ ଭାବେ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆ ନବୀନ ପଟ୍ଟନାୟକ ବରପାଲି ଆସି ପ୍ରଚାର ଆରମ୍ଭ କରିଛନ୍ତି। ବଡ଼ଗାଁ ପଡିଆରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରପାଲି ମାଟିକୁ ପ୍ରଶଂସାରେ ପୋତି ପକାଇଥିଲେ। ସ୍ୱଭାବକବି ଗଙ୍ଗାଧର ମେହେରକୁ ସ୍ମରଣ କରିବା ସହିତ ବରପାଲିକୁ ସ୍ୱାଧୀନତା ସଂଗ୍ରାମୀର ପୀଠ ବୋଲି ବର୍ଣ୍ଣନା କରି ଭାଗିରଥୀ ପଟ୍ଟନାୟକଙ୍କୁ ମନେ ପକାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ସୁବଳ ସାହୁଙ୍କ ବିୟୋଗ ତାଙ୍କୁ ଗଭୀର ଦୁଃଖ ଦେଇଛି। ତାଙ୍କ ପତ୍ନୀ ରୀତା ସାହୁ ଆସି ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟିଥିଲେ ଓ ସ୍ୱାମୀଙ୍କ ବିୟୋଗ ପରେ ଗୋଟିଏ ବର୍ଷ ବିଜେପୁରର ସେବା କରିବାକୁ ସୁଯୋଗ ଦେବା ପାଇଁ ଅନୁରୋଧ କରିଥିଲେ। ରୀତାଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ଦେଖି ସେ ପ୍ରଭାବିତ ହେବା ପରେ ଟିକେଟ୍‌ ଦେଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ସଭାରେ ସମ୍ବୋଧିତ କରି ନବୀନ କହିଥିଲେ, ଏଣିକି ବିଜେପୁରର ବିକାଶ କଥା ସେ ନିଜେ ବୁଝିବେ। ଏଥିସହିତ ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। କହିଥିଲେ, ଓଡ଼ିଶାରେ ବିଜେଡି ସରକାର ଜନହିତକର କାମ କରୁଛି। ଅଥଚ ବୁଣାକାରଙ୍କ ଉପରେ କେନ୍ଦ୍ର ୧୮ ପ୍ରତିଶତ ଜିଏସ୍‌ଟି ବୋଝ ଲଦିଥିଲେ। ରାଜ୍ୟ ସରକାରଙ୍କ ତୀବ୍ର ବିରୋଧ କରିବା ପରେ କେନ୍ଦ୍ର ଏହାକୁ ୫ ପ୍ରତିଶତକୁ ହ୍ରାସ କରିଛି। ତେବେ ହସ୍ତତନ୍ତ ଉତ୍ପାଦକୁ ସମ୍ପୂର୍ଣ୍ଣ କରମୁକ୍ତ ପାଇଁ ବିଜେଡି କେନ୍ଦ୍ର ଉପରେ ଚାପ ପକାଉଥିବା ଶ୍ରୀ ପଟ୍ଟନାୟକ ଜଣାଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ଗଂଗାଧର ମେହେର ଜଳସେଚନ ପ୍ରକଳ୍ପ ବରପାଲି, ବିଜେପୁରକୁ ମରୁଡ଼ି ପ୍ରକୋପରୁ ମୁକ୍ତକରିବ। ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କ ଉପରେ ତାଙ୍କର ଗଭୀର ବିଶ୍ୱାସ ଅଛି। ସେ ଏହି ବିକାଶଧାରାକୁ ଆଗେଇ ନେବେ। ବିଜେପୁର ଉପନିର୍ବାଚନରେ ରୀତା ସାହୁଙ୍କୁ ଭୋଟ୍‌ ଦେଇ ବିଜୟୀ କରାଇବାକୁ ସେ ନିବେଦନ କରିଥିଲେ। ଅନ୍ୟପକ୍ଷରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ହେଲା ଗଞ୍ଜାମ ଜିଲ୍ଲାର ହିଞ୍ଜିଳି। ହେଲେ ବିଜେପୁରକୁ ନିଜର ଦ୍ୱିତୀୟ ନିର୍ବାଚନ ମଣ୍ଡଳୀ ଭାବେ ମୁଖ୍ୟମନ୍ତ୍ରୀ ହୃଦୟରୁ ଗ୍ରହଣ କରିଛନ୍ତି। ଯେବେ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯିବା ସଂପର୍କରେ ମୁଖିଆ ନିଷ୍ପତ୍ତି ନେଇଥିଲେ, ସେତେବେଳେ ସେ ଏ ନେଇ ତାଙ୍କ ସମେତ ବରଗଡ଼ ଜିଲ୍ଲା ନେତାଙ୍କୁ ନିଜ ମନକଥା ଖୋଲି କହିସାରିଛନ୍ତି। ବିଜେପି ଭାରତୀୟ ଜନତା ପାର୍ଟି ନୁହେଁ, ଭାରତୀୟ ଝୁଟା ଦଳ ବୋଲି ବର୍ଣ୍ଣନା କରି ଶ୍ରୀ ଆାଚାର୍ଯ୍ୟ କହିଥିଲେ, ମହାନଦୀ କ୍ଷେତ୍ରରେ ଛତିଶଗ଼ଡ ସରକାରଙ୍କ ଷଡ୍‌ଯନ୍ତ୍ର୍‍ ଲାଗି ଲାଗି ଆଜି ଓଡ଼ିଶା ଶୁଖିବାକୁ ବସିଛି। ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଗୋଟିଏ ପ୍ରସଙ୍ଗରେ ଓଡ଼ିଶାର ପକ୍ଷ ନେଇପାରିଲେ ନାହିଁ। ତାଙ୍କ ହାତରେ ରାଜ୍ୟ ସୁରକ୍ଷିତ ରହିବ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କରି ସେ କହିଥିଲେ ଯେ ସେ ଧର୍ମ ନୁହେଁ ଅଧର୍ମର ସଙ୍କେତ ବହନ କରୁଛନ୍ତି।

ଏହି ଅବସରରେ ବିଜେପିରୁ ବହିଷ୍କାର ହୋଇଥିବା ପୁରୁଖା ନେତା ଗୌରହରି ମିଶ୍ର ଏବଂ ତାଙ୍କ ସହଯୋଗୀମାନେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଥିଲେ। ବିଜେପି କିଭଳି ତାଙ୍କୁ ଧୋକା ଦେଲା ତାହା ସେ ବର୍ଣ୍ଣନା କରିବା ସହିତ ବିଜେଡିରେ କେବେ ବି ସେ ପଦ ପଦବି ମାଗିବେ ନାହିଁ, ବରଂ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଜଣାଇଥିଲେ। ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ରୀତା ସାହୁ କେବଳ ଭୋଟ ଭିକ୍ଷା କରିଥିଲେ ତା ନୁହେଁ, ବରଂ ବକ୍ତବ୍ୟ ରଖିଥିବା ବେଳେ କାନ୍ଦି ପକାଇ ଅନୁକମ୍ପା ସାଉଁଟିଥିଲେ। ରୀତା କହିଥିଲେ, ତାଙ୍କ ସ୍ୱାମୀଙ୍କ ଅକାଳ ବିୟୋଗ ପରେ ସେ ଭୋଟ ପାଇଁ ଛିଡା ହୋଇଛନ୍ତି, ଖାସ୍‌ ସୁବଳ ସାହୁଙ୍କ ଅଧୁରା ସ୍ୱପ୍ନକୁ ପୂର୍ଣ୍ଣ କରିବେ। ନିର୍ବାଚନୀ ସଭାରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ସ୍ନେହାଂଗିନୀ ଛୁରିଆ, ସାଂସଦ ଡ. ପ୍ରଭାସ ସିଂ, ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, କିଶୋର ମହାନ୍ତି, ସଂଜୟ ଦାସବର୍ମା, ରୋହିତ ପୂଝାରୀ, ଡା ରାସେଶ୍ୱରୀ ପାଣିଗ୍ରାହୀ, ଟୁକୁନି ସାହୁ, ଆକାଶ ଦାସନାୟକ, ଆୟୁବ ଖାନ, ଭୁପିନ୍ଦର ସିଂ, ଅତନୁ ସବ୍ୟସାଚୀ ନାୟକ, ମୁନ୍ନା ଖାନ୍‌, ସୁଜାତା ପଣ୍ଡା, ଶ୍ରୀମୟୀ ମିଶ୍ର, ବିଜୟ ରଂଜନ ସିଂ ବରିହା, ପ୍ରଭାତାଦିତ୍ୟ ମିଶ୍ର, କିଶୋର ଦଫାଦାର, ମୀନା ସେଠ୍‌, ପ୍ରଦ୍ୟୁମ୍ନ ତି୍ରିପାଠୀ ପ୍ରମୁଖ ମଂଚାସୀନ ଥିଲେ। ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା ଦେଇଥିଲେ।ବିଜେଡିର ଅନ୍ୟନେତାମାନେ ବିଜେପି ପ୍ରାର୍ଥୀଙ୍କୁ ଗୁଣ୍ଡାଗର୍ଦି ଓ ଦାଦାଗିରି ସଂପର୍କରେ ସ୍ମରଣ କରାଇଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ୧୨୦ ଆସନରେ ଜିତିବେ ବୋଲି କହୁଥିବା ବେଳେ ଏଠାରେ ଦଳ ଜଣେ ୪୨୦ (ଚାର୍‌ଶ’ ବିସ୍‌) ନେତାଙ୍କୁ ପ୍ରାର୍ଥୀ ଦେଇଥିବା ଅଭିଯୋଗ କରିିଥିଲେ।

ସମ୍ବନ୍ଧିତ ଖବର