ନୂଆବର୍ଷରେ ଦାୟିତ୍ବ ଗ୍ରହଣ କଲେ ମୁଖ୍ୟ ସଚିବ, ଉନ୍ନୟନ କମିସନର

ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସରକାରଙ୍କ ପାଇଁ ବଡ଼ ଆହ୍ବାନ : ସୁରେଶ ମହାପାତ୍ର

ଭୁବନେଶ୍ବର : ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ନୂଆ ବର୍ଷରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ନୂତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା। କାର୍ଯ୍ୟଭାର ଗ୍ରହଣ ପରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି, କୋଭିଡ୍‌ ମହାମାରୀକୁ ନିୟନ୍ତ୍ରଣ କରିବାରେ ସରକାର ସଫଳ ହୋଇପାରିଛନ୍ତି। କିନ୍ତୁ ଏହି ମହାମାରୀ ପ୍ରଭାବରେ ରାଜ୍ୟର ଆର୍ଥିକ ସ୍ଥିତି କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଦ୍ରୁତ ସୁଧାର ଓ ଅଭିବୃଦ୍ଧି ଆଣିବା ପାଇଁ ଗୁରୁତ୍ବ ଦିଆଯିବ। ଯାହାକି ସରକାରଙ୍କ ପାଇଁ ନୂଆବର୍ଷରେ ବଡ଼ ଆହ୍ବାନ ରହିବ। ଏହାସହିତ ରାଜ୍ୟର ସବୁ ଅଞ୍ଚଳ ଓ ସବୁ ବର୍ଗର ବ୍ୟକ୍ତିମାନଙ୍କର ସମନ୍ବିତ ବିକାଶ ସରକାରଙ୍କ ମୌଳିକ ଲକ୍ଷ୍ୟ ହେବ। କରୋନା ମହାମାରୀ ସହିତ ଦୀର୍ଘସ୍ଥାୟୀ ସଂଗ୍ରାମ ଜାରି ରହିବ୧। କିପରି ଅଧିକରୁ ଅଧିକ ଜୀବିକା ସୃଷ୍ଟି କରାଯାଇପାରିବ, ତାହା ଉପରେ ସରକାର ଗୁରୁତ୍ବ ଦେବେ। ଖାଲିସେତିକି ନୁହେଁ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟରେ ଯେପରି ସମ୍ପୂର୍ଣ୍ଣ ହେବ ସେସବୁ ଉପରେ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଥଲେ।

‌େସହିପରି ଉନ୍ନୟନ କମିସନର ଶ୍ରୀ ଜେନା କହିଥିଲେ, ୨୦୨୦ ବର୍ଷରେ ବହୁ ବାଧାବିଘ୍ନ ରାଜ୍ୟବାସୀ ସାମନା କରିଛନ୍ତି। ଜଗନ୍ନାଥଙ୍କ ଆଶୀର୍ବାଦରୁ ଆଉ ଏପରି ଦଶା ୨୦୨୧ରେ ଦେଖିବାକୁ ନ ମିଳୁ। ଓଡ଼ିଶାର ପ୍ରଗତିରେ ମହାପ୍ରଭୁ ସହାୟ ହୁଅନ୍ତୁ। ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଯାହା ଆବଶ୍ୟକ ସେଥିପାଇଁ ଦୃଷ୍ଟି ଦିଆଯିବ।

ମୁଖ୍ୟ ଶାସନ ସଚିବ ଭାବେ ଶ୍ରୀ ମହାପାତ୍ର ଦାୟିତ୍ବ ଗ୍ରହଣ କରିବା ପରେ ଉନ୍ନୟନ କମିସନର ଶ୍ରୀ ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ବାଗତ କରିବା ସହ ନବ ବର୍ଷର ଅଭିନନ୍ଦନ ଜଣାଇଥିଲେ। କୋଭିଡ୍‌ ନିୟମକୁ ଆଖିରେ ରଖି ରାଜ୍ୟ ଲୋକସେବା ଭବନରେ ନବ ବର୍ଷ ଶୃଙ୍ଖଳିତ ଭାବେ ପାଳିତ ହୋଇଥିଲା।

ସମ୍ବନ୍ଧିତ ଖବର