ନୂଆ ଆଇପିଏସ୍‌ ପ୍ରୋବେସନରଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଗୁରୁମନ୍ତ୍ର : ବିପଦରେ ଲୋକଙ୍କ ବନ୍ଧୁ ଭଳି କାମ କର

ପୁଞ୍ଜି ବିନିଯୋଗକାରୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି ଓଡ଼ିଶା

ଭୁବନେଶ୍ବର : ବିପଦ ଆପଦରେ ଲୋକଙ୍କ ବନ୍ଧୁ ଭଳି କାମ କର। ଫଳରେ ଲୋକମାନଙ୍କ ଭିତରେ ପୁଲିସ ପ୍ରତି ଥିବା ନକାରାତ୍ମକ ମନୋଭାବ ଦୂର ହେବ। ଆଜି ନୂଆ କରି ଆଇପିଏସ୍‌ ପୁଲିସ ପ୍ରୋବେସନରଙ୍କୁ ଏପରି ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ। ଏହାସହିତ ସରକାର ଓ ବରିଷ୍ଠ ପୁଲିସ ଅଧିକାରୀମାନେ ସବୁ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟ ଶାସନ ସଚିବ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଶନିବାର ଲୋକସେବା ଭବନରେ ଭାରତୀୟ ପୁଲିସ ସେବାରେ ଯୋଗଦେଇଥିବା ନୂଆ ଆଇପିଏସ୍‌ ଅଧିକାରୀ ଉତ୍ତର ପ୍ରଦେଶର ନିତେଶ ଵାଧଵାନି, ତାମିଲନାଡ଼ୁର ଅଭିଳାଷ.ଜି ଓ କେରଳର ଏସ.ସୁଶ୍ରୀ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀଙ୍କୁ ସାକ୍ଷାତ କରି ଆଇପିଏସ୍‌ ଟ୍ରେନିଂ ଅନୁଭୂତି ବାଣ୍ଟିଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଥିଲେ, ଓଡ଼ିଶା ଏବେ ପ୍ରଗତିଶୀଳ ରାଜ୍ୟ ଭାବେ ଉନ୍ନତି ପଥରେ ଆଗେଇ ଚାଲିଛି। ରାଜ୍ୟ ଆର୍ଥିକ କ୍ଷେତ୍ରରେ ବିକାଶ କରିବା ସହ ଆଧୁନିକୀକରଣ ଓ ଦ୍ରୁତ ଶିଳ୍ପାୟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକାରୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ ସଫଳତା ସାରାଦେଶରେ ରାଜ୍ୟକୁ ଶୀର୍ଷ ସ୍ଥାନରେ ପହଞ୍ଚାଇପାରିଛି। ରାଜ୍ୟ ସରକାର ଏବେ ସମସ୍ତଙ୍କୁ ଲୋକାଭିମୁଖୀ ସ୍ବଚ୍ଛ ପ୍ରଶାସନ ଦେବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ପ୍ରଶାସନିକ ସଂସ୍କାର ପାଇଁ ୫ ‘ଟି’, ମୋ ସରକାର ଏ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

ଶ୍ରୀ ତ୍ରିପାଠୀ ନୂଆ ଆଇପିଏସ୍‌ମାନଙ୍କୁ ପରାମର୍ଶ ଦେଇ କହିଥିଲେ, ଅପରାଧ ଓ ଅପରାଧୀଙ୍କ ରେକର୍ଡ଼ ରଖିବା ପାଇଁ ରାଜ୍ୟ ସରକାର ପ୍ରଚଳନ କରିଥିବା ସିସିଟିଏନଏସ ଅନଲାଇନ୍ ସୁବିଧା ଯେପରି ସୁଚାରୁରୂପେ ଲୋକଙ୍କ ସେବାରେ କାର୍ଯ୍ୟ କରିବ ସେଥିପାଇଁ ପୁଲିସ ଅଧିକାରୀମାନେ ଦାୟିତ୍ବବାନ ହେବେ। ଆଗାମୀ ଦିନରେ ଏହି ଅନଲାଇନ୍ ସେବା ମକଦ୍ଦମା ପରିଚାଳନା ଓ ଫରେନସିକ୍ ଡାଟାବେସ୍ ସହିତ ସଂଯୋଗ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତ୍ୟେକ ଥାନାରେ ଅଭିଯୋଗ ଦେବାକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ଅଭ୍ୟର୍ଥନା ଡେସ୍କ, ମହିଳା ଓ ଶିଶୁ ଡେସ୍କ ଫଳପ୍ରଦ ସାବ୍ୟସ୍ତ ହୋଇଛି। ବରିଷ୍ଠ ପୁଲିସ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଆକଳନ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁଦୂର ଅଞ୍ଚଳରେ ଉତ୍ତମ କାର୍ଯ୍ୟ ସମ୍ପାଦନ କରୁଥିବା ଅଧିକାରୀଙ୍କୁ ପୁରସ୍କୃତ କରିବା ପାଇଁ ସରକାର ଯୋଜନା କରିଛନ୍ତି। ଏପରି ବ୍ୟାପକ ବ୍ୟବସ୍ଥାରେ ଦଳଗତ ଭାବନା ନେଇ କାର୍ଯ୍ୟ କରିବାକୁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ।

ଆଲୋଚନା ସମୟରେ ନୋଡାଲ ଅଧିକାରୀ ତଥା ଡିଏସପି ଜି.ପି.ଏସ୍.ଏସ୍ ନନ୍ଦ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇ କହିଥିଲେ ଆସନ୍ତା ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଏହି ଆଇପିଏସ ଅଫିସରମାନଙ୍କୁ ବିଜୁ ପଟ୍ଟନାୟକ ପୁଲିସ୍ ଟ୍ରେନିଂ କଲେଜରେ ପ୍ରଶିକ୍ଷଣ ଦିଆଯିବ। ଡିସେମ୍ବର ୨୩ ତାରିଖରେ ସେମାନଙ୍କୁ ବିଭିନ୍ନ ଜିଲ୍ଲାରେ ନିୟୋଜିତ କରାଯିବ।

ସମ୍ବନ୍ଧିତ ଖବର