ରଖେ ହରି ତ ମାରେ କିଏ? : ପାଣି ଟାଙ୍କିରେ ୧୦ ଦିନ

କେବଳ ପାଣି ପିଇ ବଞ୍ଚିଲା ବାଳକ, ପାରା ଧରିବାକୁ ଯାଇ ଫସି ଯାଇଥିଲା

ରାଉରକେଲା : ଯାହାକୁ ଭଗବାନ ବଞ୍ଚାଇ ରଖିବାକୁ ଚାହିବେ, ତାକୁ କେହି ମାରି ପାରିବେ ନାହିଁ….ଏଭଳି ଉକ୍ତିର ସତ୍ୟତା ରାଉରକେଲା ଉପକଣ୍ଠରେ ଅବସ୍ଥିତ ବନ୍ଧମୁଣ୍ଡାର ଜଣେ ବାଳକ କ୍ଷେତ୍ରରେ ଘଟିଛି। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୧୦ ଦିନ ଧରି ଏକ ପାଣି ଟାଙ୍କି ଭିତରେ ବନ୍ଦୀ ହୋଇ ରହିଯିବା ପରେ ଆଜି ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପାରା ଧରିବାକୁ ପ୍ରାୟ ୩୦ ଫୁଟ୍‌ ଉଚ୍ଚ ଟାଙ୍କି ଉପରକୁ ଯାଇ ଫସି ଯାଇଥିବା ଏହି ବାଳକ କେବଳ ପାଣି ପିଇ ଜୀବନ ବଞ୍ଚାଇ ରଖିଥିଲା। ତା’ର ନିଖୋଜ ହେବା ଓ ୧୦ ଦିନ ପରେ ଟାଙ୍କି ଭିତରୁ ଉଦ୍ଧାର ହେବା ଖବର ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି।

ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଡୁମେର୍ତ୍ତା ସିନେମାଟୋଲିର ଜଣେ ୧୪ ବର୍ଷ ବୟସ୍କ ବାଳକ ଅଗଷ୍ଟ ମାସ ୧୮ ତାରିଖ ଠାରୁ ନିଖୋଜ ଥିଲା। ପରିବାର ଲୋକେ ତାକୁ ଖୋଜାଖୋଜି କରି ନ ପାଇବାରୁ ପୁଲିସକୁ ଜଣାଇ ଥିଲେ। ଦୀର୍ଘ ୧୦ ଦିନ ପରେ ରେଳନଗରୀ ବନ୍ଧମୁଣ୍ଡା ବି ସେକ୍ଟର ସ୍ଥିତ ଓଭରହେଡ୍‌ ପାଣି ଟାଙ୍କି ଭିତରୁ ଆଜି ତାକୁ ଉଦ୍ଧାର କରାଯାଇଛି। ବାଳକ ଜଣକ ପାଣି ଟାଙ୍କି ଭିତରକୁ ଯିବା ଏବଂ ସେଠାରେ ଏତେ ଦିନ କଟାଇବା ଘଟଣା କୌଣସି ଫିଲ୍ମ କାହାଣୀ ଠାରୁ ବି କମ୍ ନୁହେଁ। ଉଦ୍ଧାର ବାଳକର କହିବା ଅନୁଯାୟୀ, ସେ ପାରା ଧରିବା ପାଇଁ ପାଣି ଟାଙ୍କି ଉପରକୁ ଏକୁଟିଆ ଚଢିଥିଲା। କୌତୂହଳବଶତଃ ସେ ପାଣି ଟାଙ୍କି ଭିତରକୁ ପଶିଥିଲା। କିନ୍ତୁ ଆଉ ବାହାରି ପାରି ନଥିଲା। ଟାଙ୍କି ଭିତରେ ଥିବା ଲୁହା ଶିଡ଼ିରେ ଚଢି ସେ ବାହାରିବାକୁ ଉଦ୍ୟମ କରୁଥିବାବେଳେ ତାହା ଭାଙ୍ଗି ପଡ଼ିଥିଲା। ଉଦ୍ଧାର ପାଇଁ ସେ ଖୁବ୍‌ଜୋର୍‌ରେ ଚିତ୍କାର କରି ଲୋକଙ୍କ ସହଯୋଗ ମାଗିଥିଲା। କିନ୍ତୁ ଏତେ ଉଚ୍ଚ‌ରେ ଥିବା ଟାଙ୍କି ଭିତରୁ ତା’ର ଚିତ୍କାର କାହାରି କାନରେ ପଡ଼ି ନଥିଲା। ତେଣୁ ଦୀର୍ଘ ୧୦ ଦିନ ଧରି ସେ ଟାଙ୍କି ଭିତରେ ରହିଯାଇଥିଲା। କେବଳ ପାଣି ପିଇ ସେ ଜୀବନ ବଞ୍ଚାଇ ରଖିଥିଲା। ଆଜି ସକାଳେ କେତେକ ଲୋକ ପାଣି ଟାଙ୍କି କଡ଼ ଦେଇ ଯାଉଥିବାବେଳେ ଉପରୁ ଚିତ୍କାର ଶୁଣି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ସ୍ଥାନୀୟ ଲୋକେ ଟାଙ୍କି ଉପରକୁ ଚଢି ଭିତରେ ବାଳକକୁ ଠାବ କରିବା ପରେ ରେଳବାଇର ଜଳଯୋଗାଣ ବିଭାଗକୁ ସୂଚନା ଦେଇଥିଲେ। ରେଳ ଜଳ ଯୋଗାଣ ବିଭାଗ କର୍ମଚାରୀମାନେ ଏକ ରଶି ଦ୍ବାରା ତାକୁ ଉଦ୍ଧାର କରି ପାଣି ଟାଙ୍କି ବାହାରକୁ ଆଣିଥିଲେ। ଖବରପାଇ ବନ୍ଧମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ବାଳକକୁ ଚିକିତ୍ସା ପାଇଁ ବନ୍ଧମୁଣ୍ଡା ରେଲୱେ ହସ୍ପିଟାଲକୁ ନେଇଥିଲେ। ଡାକ୍ତରମାନେ ବାଳକକୁ ସୁସ୍ଥ ଘୋଷଣା କରିବା ପରେ ପୁଲିସ ତା’କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର