ଆଜି ତହସିଲ ସ୍ତରରେ ଆରମ୍ଭ ହେବ ଜମାକାରୀ ସତ୍ୟାଗ୍ରହ

ଭୁବନେଶ୍ବର : ଆସନ୍ତାକାଲି (ମଙ୍ଗଳବାର) ତହସିଲସ୍ତରରେ ସତ୍ୟାଗ୍ରହ କରିବେ ଜମାକାରୀ। ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ଆହ୍ବାନରେ ଏହି ସତ୍ୟାଗ୍ରହ ଆରମ୍ଭ ହେଉଛି। ସପ୍ତାହରେ ଅତି କମ୍‌ରେ ଏହି ସତ୍ୟାଗ୍ରହ ଏକ ଘଣ୍ଟା ଲେଖାଏଁ ଚାଲିବ। ସରକାର ଛୋଟବଡ଼ ସମସ୍ତ ଜମାକାରୀଙ୍କୁ ଚିହ୍ନଟ କରିଥିବା ଓ ଯାଞ୍ଚ ସରିଥିବା ସମସ୍ତ ଜମାକାରୀଙ୍କୁ ଜମା ଟଙ୍କା ଫେରସ୍ତ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତହସିଲ କିମ୍ଵା ଥାନା ଜରିଆରେ ସମସ୍ତ ଜମାକାରୀ ଚିହ୍ନଟ ଓ କେବେ ସୁଦ୍ଧା ଚିହ୍ନଟ ସରିବ, ତାହା ସ୍ପଷ୍ଟ କରିନାହାନ୍ତି। ଏହାସହ ଯେଉଁସବୁ ଜମାକାରୀଙ୍କ ଚିହ୍ନଟ ଓ ଯାଞ୍ଚ ସରିଥିଲା, ଏବେ ତହସିଲକୁ ଆସିଥିବା ଟଙ୍କା ପରିମାଣ, ଆକାଉଣ୍ଟ ନମ୍ଵର ଇତ୍ୟାଦିର ତାଳମେଳ ରହୁନାହିଁ। ତେଣୁ ଜମାକାରୀମାନେ ପ୍ରତ୍ୟେକ ତହସିଲରେ ଉପସ୍ଥିତ ରହି ତ୍ରୁଟି ସଂଶୋଧନ ପାଇଁ ତହସିଲଦାର ଓ ସଂପୃକ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେବେ। ଏହି ଦରଖାସ୍ତରେ ଉପଯୁକ୍ତ ପ୍ରମାଣର ନକଲ ଯୋଡ଼ି ଦରଖାସ୍ତ କରାଇବେ ବୋଲି ସୂଚନା ଦିଆଯାଇଛି।

ଜମାକାରୀ ଆନ୍ଦୋଳନର ମୂଳ ଦାବିରେ ଅଟଳ ରହିଛି ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ। ମଞ୍ଚ କହିଛି, ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଓ ଯେଉଁ ତ୍ରୁଟିଯୁକ୍ତ ଆଇନର ସୁଯୋଗ ନେଇ ଦେଶରେ କୋଟି କୋଟି ଜମାକାରୀଙ୍କ କଷ୍ଟ ଉପାର୍ଜିତ ଜମା ଟଙ୍କା ଲୁଟ୍‌ କରାଗଲା, ତାହାର ସଂଶୋଧନ ବାବଦରେ ସରକାର ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି। ତେଣୁ ମଞ୍ଚ ଜମାକାରୀ ସତ୍ୟାଗ୍ରହ ଚାଲୁ ରଖିବ। ତେବେ ରାଜଧାନୀରେ ସବୁ ଜମାକାରୀ ଆସିବା ସମ୍ଭବ ହେଉ ନ ଥିବା, ମାଟ୍ରିକ୍ ଓ +୨ ପରୀକ୍ଷା ଚାଲୁଥିବାରୁ ବିନା ମାଇକ୍‌ ଓ ଶୋଭାଯାତ୍ରାରେ ଜମାକାରୀମାନେ ତହସିଲ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବେ। ଛୋଟବଡ଼ ସମସ୍ତ ଜମାକାରୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ତହସିଲ କାର୍ଯ୍ୟାଳୟ ଜରିଆରେ ଚିହ୍ନଟ କରିବା, ସମସ୍ତ ଜମାକାରୀଙ୍କୁ ଜମା ଟଙ୍କା ଫେରସ୍ତ, ଯେଉଁ ଆଇନ ଯୋଗୁଁ ମହାଠକେଇ ହେଲା, ସେ ସମସ୍ତ ତ୍ରୁଟିଯୁକ୍ତ କେନ୍ଦ୍ରୀୟ ଆଇନ ସଂଶୋଧନ କରିବା, ଯାଞ୍ଚ ସରିଥିବା କ୍ଷୁଦ୍ର ଜମାକାରୀଙ୍କ ପାଇଁ ତହସିଲକୁ ଆସିଥିବା ତ୍ରୁଟିର ସଂଶୋଧନ ପାଇଁ ମଞ୍ଚ ଦାବି କରିଛି।

ସମ୍ବନ୍ଧିତ ଖବର