କୌପୀନଧାରୀ ବାବାଙ୍କୁ ଥଇଥାନ ଦାବି

କେନ୍ଦୁଝର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦାରେ ଥିବା ମହିମା ଧର୍ମର ଶହେବର୍ଷରୁ ଊର୍ଦ୍ଧ୍ବ ଉପାସନା ପୀଠକୁ ଭଙ୍ଗାଯାଇଛି। ତୁରନ୍ତ କୌପୀନଧାରୀଙ୍କୁ ଥଇଥାନ କରିବାକୁ କୌପୀନଧାରୀ ସାଧୁଭକ୍ତ ସମିତି, କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମହିମା ଗାଦିରେ ମହିମା ଗୋଷାଇଁଙ୍କ ନାମରେ ଥିବା ସମସ୍ତ ସ୍ଥାବର ଏବଂ ଭୂସମ୍ପତିକୁ ଉଭୟ ବକଳଧାରୀ ଏବଂ କୌପୀନଧାରୀ ମହିମା ସମାଜ ନାମରେ ନାମିତ କରାଯାଉ।

ଗାଦି ମନ୍ଦିରର ତୃତୀୟ ବେଢ଼ାରେ ସିଦ୍ଧ ବଡ଼ କୃପାସିନ୍ଧୁ ବାବାଙ୍କ ଦ୍ୱାରା ସ୍ଥାପିତ ୧୦୦ ବର୍ଷର ବତିମନ୍ଦିର, ଧୁନିମନ୍ଦିର ଓ ଭେକ ମନ୍ଦିର ସହ ସମସ୍ତ ଉପାସନା ମନ୍ଦିରକୁ ମହିମା ସ୍ୱାମୀଙ୍କ ଜାଗାରେ ନିର୍ମାଣ କରିବାକୁ ପ୍ରଶାସନ ପଦେକ୍ଷେପ ନେଉ କୌପୀନଧାରୀ ସାଧୁଭକ୍ତ ସମିତି ଦାବି କରିଛି। ସେହିପରି ଯୋରନ୍ଦା ଗାଦିମନ୍ଦିର ଓ ଶୂନ୍ୟ ମନ୍ଦିରରେ ଉଭୟ ବକଳଧାରୀ ଏବଂ କୌପୀନଧାରୀ ସନ୍ନ୍ୟାସୀଙ୍କୁ ନୀତି କରିବାର ଅଧିକାର ଦିଆଯାଉ ବୋଲି ସମିତି ଦାବି କରିଛି। ମହିମା ଗାଦିରେ ଯେ କୌଣସି ଉନ୍ନୟନ କାର୍ଯ୍ୟ କରାଯାଉଛି ସେଥିରେ ଉଭୟ ସମାଜର ସାଧୁ, ସନ୍ନ୍ୟାସୀଙ୍କ ସହମତି ନିଆଯାଉ ବୋଲି ନିବେଦନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ କୌପୀନଧାରୀ ସାଧୁଭକ୍ତ ସମିତି କେନ୍ଦୁଝର ଜିଲ୍ଲା ସଭାପତି ବାବା ଯଶୋବନ୍ତ ଦାସ ଏବଂ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର