ମାସକରେ ୫ ଘଟଣା : ଏଥର କେନ୍ଦ୍ରାପଡ଼ାରେ କୁମାରୀ ମାତୃତ୍ବ

ସନ୍ତାନ ଜନ୍ମ କଲେ ଦଶମ ଶ୍ରେଣୀ ଛାତ୍ରୀ

ଗରଦପୁର : ଦାରିଙ୍ଗବାଡ଼ି, ଢେଙ୍କାନାଳ ଓ କଳାହାଣ୍ଡିର ନର୍ଲା ଏବଂ ଯାଜପୁର ପରେ ଏବେ କେନ୍ଦ୍ରାପଡ଼ାରେ ଜଣେ ନାବାଳିକା ମାତୃତ୍ବ ଲାଭ କରିଛନ୍ତି। ଏହି ନାବାଳିକା ହେଉଛନ୍ତି ଦଶମ ଶ୍ରେଣୀ ଛାତ୍ରୀ। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ମା’ ଓ ଶିଶୁପୁତ୍ରକୁ ମେଡ଼ିକାଲରେ ଛାଡ଼ି ପରିବାର ଲୋକ ଚାଲି ଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଜିଲ୍ଲା ଅନ୍ତର୍ଗତ ପାଟକୁରା ଥାନା ଅଞ୍ଚଳର ଏହି ଛାତ୍ରୀ ଜଣକ ଟେଷ୍ଟ ପରୀକ୍ଷା ପରେ ମାଟ୍ରିକ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଗତକାଲି ରାତିରେ ତାଙ୍କର ପେଟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ପାଟକୁରା ମେଡିକାଲ ନେଇଥିଲେ। ମେଡିକାଲରେ ପହଞ୍ଚି ପରିବାର ଲୋକେ ଝିଅର ଝାଡାବାନ୍ତି ହେଉଛି ବୋଲି କହିଥିଲେ। ତେବେ, ତାଙ୍କର ପ୍ରସବ ଯନ୍ତ୍ରଣା ହେଉଥିବା ଜାଣି ମେଡିକାଲ ତରଫରୁ ଛାତ୍ରୀଙ୍କୁ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଛାତ୍ରୀ ଜଣକ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ମେଡିକାଲ ତରଫରୁ ଏ ନେଇ କେନ୍ଦ୍ରାପଡା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଖବର ଦିଆଯାଇଥିଲା। ଖବର ପ୍ରଚାର ହୋଇଯିବା ପରେ ଛାତ୍ରୀଙ୍କ ପରିବାର ଲୋକେ ସେଠାରୁ ପଳାଇ ଯାଇଥିଲେ। ସୁରକ୍ଷା ସମିତିର ସଦସ୍ୟମାନେ ମା’ ଓ ଶିଶୁକୁ ଉଦ୍ଧାର କରି ସ୍ବଧାର ଆଶ୍ରମରେ ରଖିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ପରିବାର ପକ୍ଷରୁ ଏ ନେଇ ଥାନାରେ ବି ଅଭିଯୋଗ କରାଯାଇନାହିଁ। ପ୍ରକାଶଥାଉକି, କନ୍ଧମାଳର ଏକ ଆଶ୍ରମ ସ୍କୁଲ୍‌ରେ ଜଣେ ଛାତ୍ରୀଙ୍କ ପ୍ରସବ ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହାର କିଛିଦିନ ପରେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ନର୍ଲାଠାରେ ଅନ୍ତଃସତ୍ତ୍ବା ଥିବା ଜଣେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାଜପୁରର ଜଣେ ନାବାଳିକା ମାତୃତ୍ବ ଲାଭ ଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିଭଳି, ଢେଙ୍କାନାଳ ସପ୍ତଶଯ୍ୟା ଆଶ୍ରମ ସ୍କୁଲ୍‌ର ଜଣେ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କେନ୍ଦ୍ରାପଡ଼ା ହେଉଛି ପଞ୍ଚମ ଘଟଣା।

ସମ୍ବନ୍ଧିତ ଖବର