‘ମୋ ସ୍କୁଲ’ ଅଭିଯାନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

‘ମୋ ସ୍କୁଲ’ ମୋବାଇଲ୍‌ ଆପ୍‌’, ‘କଫି ଟେବୁଲ୍‌ ବୁକ୍‌’ ଉନ୍ମୋଚିତ

ଭୁବନେଶ୍ବର : ସରକାରୀ ବିଦ୍ୟାଳୟ ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବାର ମାଧ୍ୟମ ସାଜିଛି ‘ମୋ ସ୍କୁଲ’ ଅଭିଯାନ। ଦୁଇ ବର୍ଷ ମଧ୍ୟରେ ଏହି ଅଭିଯାନକୁ ବେଶ ସଫଳତା ମିଳିଛି। ବହୁ ପୁରାତନ ଛାତ୍ରଛାତ୍ରୀ ଅଭିଯାନରେ ସାମିଲ ହେଇ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ଏହାକୁ ଆହୁରି କ୍ରିୟାଶୀଳ କରିବା ପାଇଁ ଆଜିଠାରୁ ‘ମୋ ସ୍କୁଲ ମୋବାଇଲ୍‌ ଆପ୍‌’ ସମେତ କଫି ଟେବୁଲ୍‌ ବୁକ୍‌, ନ୍ୟୁଜ୍‌ ଲେଟର୍‌ ମଧ୍ୟ ଉନ୍ମୋଚିତ ହୋଇଛି। ‘ମୋ ସ୍କୁଲ’ ଅଭିଯାନର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିବା ସହ ସ୍କୁଲର ପୁରାତନ ଛାତ୍ରଛାତ୍ରୀ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ଗୋଟିଏ ଶିକ୍ଷାନୁଷ୍ଠାନର ବିକାଶରେ ଏହାର ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରମୁଖ ଭୂମିକା ରହିଛି। ସେମାନଙ୍କ ଅପେକ୍ଷା ଆଉ କୌଣସି ବ୍ୟକ୍ତିବିଶେଷ କ୍ୟାମ୍ପସର ସମସ୍ୟା ସମ୍ପର୍କରେ ବିଶେଷ ଅବଗତ ନ ଥାନ୍ତି। ସେମାନେ ହିଁ ମୋ’ ସ୍କୁଲ ଅଭିଯାନକୁ ଆଗକୁ ନେବା ସହ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଆଣିପାରିବେ। ‘ମୋ ସ୍କୁଲ’ର ସଫଳତା ପରେ ଏବେ ସରକାରଙ୍କ ପକ୍ଷରୁ କଲେଜର ପୁରାତନ ଛାତ୍ରଛାତ୍ରୀଙ୍କୁ ଏକାଠି କରିବା ପାଇଁ ‘ମୋ କଲେଜ’ ଅଭିଯାନ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ସେ ଆହୁରି କହିଥିଲେ ଯେ ଏମ୍‌ଆଇଟି ହେଉ କି ହାର୍ଭ‌ାଡ଼ ବିଶ୍ବବିଦ୍ୟାଳୟ; ବିଶ୍ବର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନଗୁଡ଼ିକର ଉନ୍ନତି ପଛରେ ଆଲୁମିନିଙ୍କର ହିଁ ପ୍ରମୁଖ ଭୂମିକା ରହିଛି। ଯେଉଁଥିପାଇଁ ଏମାନେ ବିଶ୍ବସ୍ତରୀୟ ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ଆଗରେ ରହିଛନ୍ତି। ‌ଭାରତରେ ବି ଆଇଆଇଟି ଓ ଆଇଆଇଏମ୍‌ଗୁଡ଼ିକର ବିକାଶ ପଛରେ ପୁରାତନ ଛାତ୍ରଛାତ୍ରୀଙ୍କ ଭୂମିକାକୁ ଅଣଦେଖା କରାଯାଇ ପାରିବ ନାହିଁ। ‘ମୋ ସ୍କୁଲ’ ଅଭିଯାନ ମାଧ୍ୟମରେ ଆମେ କିଛିଟା ସଫଳତା ପାଇଛୁ। ତଥାପି ଆହୁରି ଅନେକ ବାଟ ଯିବାର ଅଛି। ତେଣୁ ପୁରାତନ ଛାତ୍ରଛାତ୍ରୀଙ୍କ ନେଟ୍‌ୱାର୍କକୁ ସୁଦୃଢ଼ କରିବାକୁ ହେବ। ସାମାଜିକ ଗଣମାଧ୍ୟମ ଓ ବୈଷୟିକ ଜ୍ଞାନକୌଶଳ ଦ୍ବାରା ପରସ୍ପର ପାଖରେ ପହଞ୍ଚି ପାରିବା। ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିପାରିବା।

ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମୋ’ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ଉନ୍ନୟନ କମିସନରଙ୍କ ସମେତ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ‘ମୋ ସ୍କୁଲ’ ଆପ୍‌ ପାଇଁ ଅବଦାନ ଥିବା ବୈଷୟିକ ଉଦ୍ୟୋଗୀ ଅମରେନ୍ଦ୍ର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଧିତ କରିଥିଲେ।

ସମ୍ବନ୍ଧିତ ଖବର