ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଦୁର୍ନୀତି: ଅଭିଯୁକ୍ତ ଅଧିକାରୀଙ୍କୁ ଖସାଇଦେବାକୁ ପ୍ରଶାସନର ଉଦ୍ୟମ!

ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇବେ କ୍ଷତିଗ୍ରସ୍ତ ହିତାଧିକାରୀ

ଖୋର୍ଦ୍ଧା: ୨୦୨୨ ଫେବ୍ରୁଆରି ମାସରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡ଼ା ପରିବର୍ଦ୍ଧିତ ଶାଖାରେ ଦାୟିତ୍ୱରେ ଥିବା ଶାଖା ପରିଚାଳକ ଓ ଅନ୍ୟ କର୍ମଚାରୀ ମିଶି ଶତାଧିକ ଗରିବ କୁଟୀରଶିଳ୍ପୀ, ଦିନମଜୁରିଆ, ହିତାଧିକାରୀଙ୍କ ସ୍ଥାୟୀ ଜମା, ସଂଚୟ ଜମା ଆଦି ଟଙ୍କା ଜାଲ ଦସ୍ତଖତ କରି ହଡ଼ପ କରିଥିଲେ । ଏହି ଘଟଣାରେ ୧ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଗିରଫ କରିବା କିମ୍ବା କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଟଙ୍କା ଫେରାଇବାକୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଅପରପକ୍ଷରେ, ଅଭିଯୁକ୍ତଙ୍କୁ ଜାମିନରେ ଖସି ଯିବାକୁ ସହାୟତା କରାଯାଉଛି ବୋଲି ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ।

କ୍ଷତିଗ୍ରସ୍ତ ହିତାଧିକାରୀ ଗଦାଧର ସାହୁ କହିଛନ୍ତି ଯେ ୨୦୧୦ରୁ ୨୦୨୨ ମଧ୍ୟରେ ବ୍ୟାଙ୍କର ଶତାଧିକ ହିତାଧିକାରୀଙ୍କ ସୁଧମୂଳ ସହ ୩ କୋଟି ଟଙ୍କା ବ୍ୟାଙ୍କର ଶାଖା ପରିଚାଳକ ବୁଧିରାମ ଦାସ, ଶାନ୍ତିଲତା ଓଝା ଓ ପ୍ରସନ୍ନ ତୋଷ ହଡ଼ପ କରିନେଇଥିଲେ । ବିଭାଗୀୟ ତଦନ୍ତରେ ଏହା ସେମାନଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ସ୍ପଷ୍ଟ ହୋଇଥିଲା । ଏପରିକି ବୁଧିରାମ ଦାସ ଏହି ହଡ଼ପ ତାଙ୍କରି ପ୍ରତ୍ୟକ୍ଷ ତତ୍ୱବଧାନରେ ହୋଇଥିବା ଓ ହଡ଼ପ କରିନେଇଥିବା ଟଙ୍କା ଫେରାଇବାକୁ ଲିଖିତ ଭାବେ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଜଣାଇଥିଲେ । ଏହାପରେ କ୍ଷତିଗ୍ରସ୍ତ ହିତାଧିକାରୀ ତିନି ତିନିଥର ଜିଲ୍ଳାପାଳଙ୍କୁ ସାକ୍ଷାତ କରି ସେମାନଙ୍କ ଟଙ୍କା ଫେରାଇବାରେ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ ।

ତତ୍କାଳୀନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ଅର୍ଥନୈତିକ ଶାଖାକୁ ଲିଖିତ ଭାବେ ଅନୁରୋଧ କରିଥିଲେ । ତେବେ ଏହା ମଧ୍ୟରେ ୧ ବର୍ଷ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ କି ସେମାନଙ୍କ ଟଙ୍କା ଫେରାଇବାର କୌଣସି ପଦକ୍ଷେପ ନିଆଯାଇନାହିଁ । ଏଣୁ ନିରାଶ ହୋଇ ରାଜ୍ୟ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ସେଠାରେ ସେମାନେ ଜାଣିବାକୁ ପାଇଲେ ଯେ ବ୍ୟାଙ୍କ କର୍ତୃପକ୍ଷଙ୍କ ପ୍ରତିବାଦ ନଥିବାରୁ ଶାନ୍ତିଲତା ଓଝା ଓ ପ୍ରସନ୍ନ ତୋଷ ଜାମିନ ପାଇଯାଇଛନ୍ତି । ବୁଧିରାମ ଜାମିନ ପାଇଁ ଆବେଦନ କରିଥିଲେ, ନ୍ୟାୟାଳୟ ଏଥିପାଇଁ ୩୫ଲକ୍ଷ ଟଙ୍କା ଜମା ରଖିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହି ଟଙ୍କା ସେ ଜମା ରଖିପାରିନଥିବାରୁ ଜାମିନ ଖାରଜ ହୋଇଯାଇଛି ।

ଏହି ତିନି ଅଧିକାରୀଙ୍କ ବିରୋଧରେ ବେଗୁନିଆ ଥାନାରେ ୧୦୨/୨୦୨୨ ରେ ମାମଲା ରୁଜୁ ହୋଇଛି । ଜାମିନ ଖାରଜ ହୋଇଯାଇଥିବାରୁ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଟଙ୍କା ଫେରାଇବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସମବାୟ ସଚିବ, ୫-ଟି ସଚିବ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କୁ ଲିଖିତ ଭାବେ ଜଣାଇଛନ୍ତି ବୋଲି କ୍ଷତିଗ୍ରସ୍ତ ଜମାକାରୀ ଲାବଣ୍ୟ ସାହୁ, ଶଶିମଣି ଦାସ, ସନ୍ତୋଷ କୁମାର ସିଂହ, ରବୀନ୍ଦ୍ର କୁମାର ଦାସ ପ୍ରମୁଖ କହିଛନ୍ତି ।

ସମ୍ବନ୍ଧିତ ଖବର