ତାଳଚେରରେ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ଘୋଷଣା : କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ପାଇଁ ମିଳିବ ୧୫ ଲକ୍ଷ

ତାଳଚେର ମେଡିକାଲ କଲେଜକୁ ସୁପର ସ୍ପେସିଆଲିଟି ମାନ୍ୟତା
ରେଳପଥ ବିକାଶରେ ଖର୍ଚ୍ଚ ହେବ ୯ ହଜାର କୋଟି
୫ ବର୍ଷରେ ଆହୁରି ୪ ହଜାର ନିଯୁକ୍ତ ସୁଯୋଗ ସୃଷ୍ଟି କରିବ ଏମ୍‌ସିଏଲ୍‌

ତାଳଚେର : କୋଇଲା ଖଣିରେ ଘଟୁଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ହେଉଛି, ସେମାନଙ୍କ ପରିବାରକୁ ଅନୁଗ୍ରହ ରାଶି (ଏକ୍ସ-ଗ୍ରାସିଆ) ବାବଦରେ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପୂର୍ବରୁ ଏଥିପାଇଁ ପାଞ୍ଚ ଲକ୍ଷ ଟଙ୍କା ଦିଆଯାଉଥିଲା। ସରକାର ସେଥିରେ ୩୦୦ ପ୍ରତିଶତ ବୃଦ୍ଧି କରି ଅନୁଗ୍ରହ ରାଶି ପରିମାଣକୁ ୧୫ ଲକ୍ଷ ଟଙ୍କା କରିଦେଇଛନ୍ତି। ତାଳଚେର ଗସ୍ତରେ ଆସିଥିବା କେନ୍ଦ୍ର କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ‌ଯୋଶୀ ଏହି ଘୋଷଣା କରିଛନ୍ତି।

ଗୁରୁବାର ଦିନିକିଆ ତାଳଚେର ଗସ୍ତ ଅବସରରେ ଡେରାଠାରେ ଆୟୋଜିତ ସାଧାରଣ ସଭାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ଏହା ଘୋଷଣା କରିବା ସହ ଶ୍ରମିକମାନଙ୍କ ମୃତ୍ୟୁଜନିତ ଖଣି ବନ୍ଦ ଆନ୍ଦୋଳନକୁ ଏଣିକି ଏଡ଼ାଇ ଦିଆଯାଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଖଣି ବନ୍ଦ ଆନ୍ଦୋଳନ ଯୋଗୁଁ ଏମ୍‌ସିଏଲ୍‌କୁ ବହୁ କ୍ଷତି ସହିବାକୁ ପଡୁଥିଲା। ଏଥିସହିତ, ଏମ୍‌ସିଏଲ୍ ଦ୍ୱାରା ନିର୍ମିତ ତାଳଚେର ମେଡିକାଲ କଲେଜର କିଏ ପରିଚାଳନା କରିବ, ତାହାକୁ ନେଇ ଦ୍ବନ୍ଦ୍ବ ରହିଥିବାବେଳେ ମନ୍ତ୍ରୀ ଶ୍ରୀ ଯୋଶୀ ଏ ନେଇ ସ୍ପଷ୍ଟ ମତ ରଖିଛନ୍ତି। ଖୁବ୍‌ଶୀଘ୍ର ଏହି ମେଡ଼ିକାଲ କଲେଜରେ ନାମ ଲେଖାଯିବ। ଏହାର ସୁପରିଚାଳନା ଦାୟିତ୍ବ ଏକ ବିଶ୍ୱସ୍ତରୀୟକୁ ସଂସ୍ଥା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ଏକ ସୁପର ସ୍ପେସିଆଲିଟି ଡାକ୍ତରଖାନାରେ ପରିଣତ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଥିଲେ ଯେ, ଖଣି ଦ୍ୱାରା କ୍ଷତିଗ୍ରସ୍ତ ପାରିପାର୍ଶ୍ବିକ ଗାଁଗୁଡ଼ିକୁ ଡାକ୍ତର, ଟେକ୍‌ନିସିଆନ୍‌ ଓ ପାଥୋଲାବ ଥାଇ ଭ୍ରାମ୍ୟମାଣ ଚିକିତ୍ସା ସୁବିଧା ପ୍ରଦାନ କରାଯିବ। ଆବଶ୍ୟକ ପଡ଼ିଲେ ଏମସିଏଲ୍‌ ପକ୍ଷରୁ ମାଗଣା ଔଷଧ ଯୋଗାଇ ଦିଆଯିବ। ତାଳଚେରବାସୀଙ୍କୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ। ଏଥିପାଇଁ ୧୧୫ କୋଟି ଟଙ୍କାର ଏକ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଇତିମଧ୍ୟରେ ଏହି ପ୍ରକଳ୍ପ ପାଇଁ ୨୭ କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆସରିଛି ବୋଲି ସେ କହିଥିଲେ। କୋଲ୍‌ ଇଣ୍ଡିଆର ସବୁ ସବ୍‌ସିଡିଆରି କମ୍ପାନିରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଖଣି କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଦେବାରେ ଏମ୍‌ସିଏଲ୍‌ ରେକର୍ଡ ପ୍ରତିଷ୍ଠା କରିଛି। ଏ ପର୍ଯ୍ୟନ୍ତ ୧୬ ହଜାର ନିଯୁକ୍ତି ଦେଇଥିବା ଏମ୍‌ସିଏଲ୍‌ ଆସନ୍ତା ୨୦୨୪ ସୁଦ୍ଧା ଅଧିକ ୪ ହଜାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ରେଳପଥର ବିକାଶ ପାଇଁ ଏମ୍‌ସିଏଲ୍‌ ୯୦୦୦ କୋଟି ଟଙ୍କା ପୁଞ୍ଜି ନିବେଶ କରିବ ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ କହିଥିଲେ। ଗତ ବର୍ଷ ଏମ୍‌ସିଏଲ୍‌ ୧୪୪ ମିଲିୟନ ଟନ୍‌ କୋଇଲା ଉତ୍ପାଦନ କରିଥିଲା। ଚଳିତ ବର୍ଷ ଏମ୍‌ସିଏଲ ୧୬୨ ମିଲିୟନ ଟନ କୋଇଲା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଉତ୍ପାଦନରେ ବର୍ତ୍ତମାନ ସୁଦ୍ଧା କମ୍ପାନି ୧୧ ପ୍ରତିଶତ ପଛରେ ରହିଛି। ବର୍ତ୍ତମାନ କୋଇଲା ଉତ୍ପାଦନରେ ଏମ୍‌ସିଏଲ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଏହାକୁ ଏକ ବୃହତ୍‌ କୋଇଲା ଉତ୍ପାଦନକାରୀ ସଂସ୍ଥା ରୂପେ ଗଢ଼ି ତୋଳିବାକୁ ଉଦ୍ୟମ ଜାରି ରହିଛି ବୋଲି କହିବା ସହ ଏଥି ପାଇଁ ମନ୍ତ୍ରୀ ଶ୍ରୀ ଯୋଶୀ ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। କୋଇଲା ଉତ୍ପାଦନରେ ଏମସିଏଲକୁ ଏକ ନମ୍ବର କଂପାନିରେ ପରିଣତ କରିବା ପାଇଁ ସବୁ ଉଦ୍ୟମ ଜାରି ରହିଛି ବୋଲି ସଭାରେ ଉପସ୍ଥିତ କୋଲ ଇଣ୍ଡିଆ ଅଧ୍ୟକ୍ଷ ଏ. କେ. ଝା ସୂଚନା ଦେଇଥିଲେ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ଡେରା ଠାରେ ୨୨ କୋଟି ବ୍ୟୟ ହେବାକୁ ଥିବା ଡିଏଭି ସ୍କୁଲ ଓ ୨ କୋଟି ବ୍ୟୟ ଅଟକଳ ଥିବା ଡେରା ହାଇସ୍କୁଲର ନୂତନ କୋଠାର ଶିଳାନ୍ୟାସ କରିଥିଲେ। ଏମସିଏଲ ସିଏମଡି ଭୋଳାନାଥ ଶୁକ୍ଳା, କୋଇଲା ମନ୍ତଣାଳୟ ଯୁଗ୍ମ ସଚିବ ଆର.କେ. ସିହ୍ନା, ଡିଏଭି ଗ୍ରୁପ ସମୂହ ପରିଚାଳନା କମିଟିର କୋଷାଧ୍ୟକ୍ଷ ଡି.ଭି. ସେଠୀ ମଂଚାସୀନ ଥିଲେ। ଅପରାହ୍ନରେ ମନ୍ତ୍ରୀ ବରିଷ୍ଠ ଖଣି ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ, ଶ୍ରମିକ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଖଣି କ୍ଷତିଗ୍ରସ୍ତଙ୍କ ସମସ୍ୟା ଶୁଣିବା ପରେ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର