ଉପକୂଳବର୍ତ୍ତୀ ଅଞ୍ଚଳକୁ ଅଧିକ ବିପର୍ଯ୍ୟୟ ସହନଶୀଳ କରାଯିବ: ୫ବର୍ଷରେ ଖର୍ଚ୍ଚ ହେବ ୨୬୧କୋଟି ୫୦ଲକ୍ଷ

ଭୁବନେଶ୍ବର : ଉପକୂଳବର୍ତ୍ତୀ ଅଞ୍ଚଳକୁ ଅଧିକ ବିପର୍ଯ୍ୟୟ ସହନଶୀଳ କରିବାକୁ ରାଜ୍ୟ ସରକାର ୫ବର୍ଷରେ ୨୬୧କୋଟି ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ଏନେଇ ପ୍ରସ୍ତୁତ ହୋଇଥିବା କାର୍ଯ୍ୟ ଯୋଜନାକୁ ସୋମବାର ଦିନ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ସମନ୍ବିତ ଉପକୂଳ ଅଞ୍ଚଳ ପରିଚାଳନା ସୋସାଇଟିର ଷ୍ଟିଅରିଂ କମିଟି ଅନୁମୋଦନ କରିଛି।

ଏହି ଯୋଜନା ଚଳିତବର୍ଷରୁ ଆରମ୍ଭ ହୋଇ ୨୦୨୬-୨୭ ମଧ୍ୟରେ ପୂର୍ଣ୍ଣାଙ୍ଗ ରୂପ ନେବ। ଏଥିରେ ବାଲେଶ୍ବର ଜିଲ୍ଲାର ତଳସରୀ, କେନ୍ଦ୍ରାପଡ଼ାର ଭିତରକନିକା, ଗଞ୍ଜାମର ବାହୁଡ଼ା ଓ ଚିଲିକା ଏବଂ ପୁରୀ ଜିଲ୍ଲାର ଦେବୀ ମୁହାଣ ଓ ଚିଲିକା ଆଦି ଅଞ୍ଚଳ ଏଥିରେ ସାମିଲ୍‌ ହେବ। ୩୩୯ ଗ୍ରାମପଞ୍ଚାୟତ, ୫ଟି ବନ୍ୟଖଣ୍ଡ ଅନ୍ତର୍ଗତ ପ୍ରାୟ ୩,୭୫,୩୨୧ ହେକ୍ଟର ଉପକୂଳ ଅଞ୍ଚଳକୁ ପ୍ରାକୃତିକ ବିପର୍ଯ୍ୟୟ ସହନଶୀଳ କରାଯିବ। ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ସହନଶୀଳ କୃଷି ଏବଂ ନୂଆ ଜୀବିକା ପନ୍ଥା ସୃଷ୍ଟି କରି ଲୋକମାନଙ୍କୁ ଅଧିକ ସାହସୀ ଏବଂ ଆତ୍ମ ନିର୍ଭରଶୀଳ କରାଯିବ।

ଉପକୂଳ ଅଞ୍ଚଳଗୁଡ଼ିକରେ ମଙ୍ଗଳାଯୋଡ଼ି ଓ ଭିତରକନିକା ପରି ଅଧିକ ଇକୋ ପର୍ଯ୍ୟଟନ ଯୋଗ୍ୟ ସ୍ଥାନଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକର ବିକାଶ କରିବା ପାଇଁ ଶ୍ରୀ ମହାପାତ୍ର ଜଙ୍ଗଲ ଓ ପରିବେଶ ଏବଂ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସେହି ସ୍ଥାନଗୁଡ଼ିକରେ ବୋଟିଂ, ବନ୍ୟଜନ୍ତୁ ଦର୍ଶନ ଓ ଫୁଡ୍‌ କୋର୍ଟ ଆଦିର ସୁବିଧା କଲେ ଏହା ସ୍ଥାନୀୟ ଲୋକଙ୍କ ପାଇଁ ଏକ ନିରନ୍ତର ଜୀବିକା ପନ୍ଥା ଉନ୍ମୁକ୍ତ କରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ।

ଏହି ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ କାର୍ଯ୍ୟ ଯୋଜନା ସମ୍ବଦ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନା କରିଥିଲେ। ବୈଠକରେ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଲ କୁମାର ଦେବ, ପର୍ଯ୍ୟଟନ ବିଭାଗ ପ୍ରମୁଖସଚିବ ସୁରେନ୍ଦ୍ର କୁମାର, ପରିବେଶ ନି‌ର୍ଦ୍ଦେଶକ ସୁଶାନ୍ତ କୁମାର ନନ୍ଦଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର