‘ବାବୁ କହିଛନ୍ତି ୧୫୦୦ ଦିଅ ମୋଟରବାଇକ୍‌ ନିଅ’, ଥାନା ପରିସରରେ ଖୁଲମଖୁଲା ଟଙ୍କା ଆଦାୟ

ପୁଲିସର ମଧ୍ୟସ୍ଥି ଜେଲ ଫେରନ୍ତା ଯୁବକ! ଦୁଇ ଅଧିକାରୀଙ୍କ ବିରୋଧରେ ଲମ୍ବା ଅଭିଯୋଗ

ରାଉରକେଲା : ଗତ ଶନିବାରର ଘଟଣା। ବିଶ୍ରା ଥାନା ପରିସର। ସେଦିନ ଜୁଆଖେଳ ହେଉଥିବା ଏକ ସ୍ଥାନରେ ଚଢ଼ଉକରି ବିଶ୍ରା ପୁଲିସ କିଛି ଯୁବକଙ୍କୁ ଥାନାକୁ ନେଇଥିଲା, ସେଠାରେ ଥିବା କିଛି ମଟରସାଇକଲକୁ ମଧ୍ୟ ଜବତ କରିଥିଲା। ଯୁବକମାନଙ୍କୁ ତାଗିଦ କରିବାସହ ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କୁ ଯିବାକୁ ଅନୁମତି ଦିଆ ଯାଇଥିଲା। ସେହିପରି ମଟରସାଇକଲ ମାଲିକମାନେ ଆବଶ୍ୟକ କାଗଜପତ୍ର ଦେଖାଇ ନିଜ ନିଜ ମଟରସାଇକଲ ନେଇଥିଲେ। ଏ ଖବର ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା। ଏଥିରେ କିଛି ଅସ୍ବାଭାବିକତା ନାହିଁ।

ତେବେ ସେ ଖବରରେ ଯାହା ନଥିଲା, ତା’ ହେଉଛି- ମଟରସାଇକଲ ନେଇ ଫେରୁଥିବା ସେହି ଲୋକଙ୍କୁ ସେହି ଥାନା ପରିସରରେ ଫଟୋରେ ଥିବା ଯୁବକ ଜଣକ ଅଟକାଉଥିଲା। ମଟରସାଇକଲ ପିଛା ୧୫୦୦ ଟଙ୍କା ଆଦାୟ କରିବାଲାଗି ତା’କୁ ‘ବାବୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହୁଥିଲା। ଆମର ହସ୍ତଗତ ହୋଇଥିବା ଏକ ଭିଡିଓରେ ଥାନା ପରିସର ଭିତରେ ଏପରି ଖୁଲମଖୁଲା ଟଙ୍କା ଆଦାୟର ଚିତ୍ର ରହିଛି। ଉଲ୍ଲେଖନୀୟ, ବାବୁ ନାମରେ ସେହି ଥାନାରେ ଜଣେ ଅଧିକାରୀ ଅଛନ୍ତି। ସେଦିନ ମୋଟ୍ ୪ ଜଣ ମଟରସାଇକଲ ମାଲିକ ଉକ୍ତ ଯୁବକକୁ ୧୫୦୦ ଟଙ୍କା​ ଦେଇଥିଲେ, ସେ ଟଙ୍କାଙ୍କୁ ହାତରେ ମୋଡ଼ି ଧରିଥିବା ଚିତ୍ର ଭିଡିଓରେ ରହିଛି। ଅନ୍ୟମାନେ ପରେ ଦେବେବୋଲି ସେମାନଙ୍କ କଥାବାର୍ତ୍ତାରୁ ଜଣା ପଡୁଛି। ଏହି ମାମଲାରେ ଆହୁରି କିଛି ମୋବାଇଲ୍‌ ରେକର୍ଡ଼ିଂ ମଧ୍ୟ ମିଳିଛି।

ବିଭିନ୍ନ ବେଆଇନ କାର୍ଯ୍ୟକୁ ଅତୀତରେ ଖୁବ୍‌ ଚର୍ଚ୍ଚାର ରହିଛି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବିଶ୍ରା ଥାନା। ପୂର୍ବରୁ ଜଣେ ଏସ୍‌ଆଇ ଓ ଗୃହରକ୍ଷୀଙ୍କ ଜୁଲମ୍‌କୁ ନେଇ ପ୍ରତିବାଦର ସ୍ବର ଉଠିଥିଲା। ଜନ ଆକ୍ରୋଶ ତେଜିଥିଲା। ଅଭିଯୋଗ ପହଞ୍ଚିଥିଲା ଅତିରିକ୍ତ ଏସ୍‌ପି ଓ ଏସ୍‌ପିଙ୍କ ନିକଟରେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଦୁହିଁଙ୍କୁ ଥାନାରୁ ବିଦା କରାଯାଇଥିଲା। ଏବେ ପୁଣି ବିଶ୍ରା ଥାନା ଅଞ୍ଚଳରେ ସମାନସ୍ଥିତି ଉପୁଜିଛି। ଥାନାର ଅଧିକାରୀ ଜଣେ ଲୋକପ୍ରିୟ ଅଫିସର ହୋଇଥିବାବେଳେ ଥାନାର ଦୁଇଜଣ କରିତକର୍ମା ଅଧିକାରୀଙ୍କ ବିରୋଧରେ ବହୁ ଅଭିଯୋଗ ଶୁଣା ଯାଉଛି। ଜୁଆ, ସଟ୍ଟା ଖେଳ, କୁକୁଡ଼ା ଲଢ଼େଇ ହେଉ ଅବା ବେଆଇନ ମଦ ବିକ୍ରି, ଏହାକୁ ଏମାନେ ପ୍ରୋତ୍ସାହନ ଦେଉଥିବା ସ୍ଥାନୀୟ ଲୋକ ଅଭି‌ଯୋଗ କରିଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ କୁକୁଡା ଲଢ଼େଇ, ସଟ୍ଟା ଓ ଜୁଆ, ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରି ହୁ ହୁ ହୋଇ ବଢ଼ି ଚାଲିଛି। ସେଥିରୁ ଏମାନେ ସାପ୍ତାହିକ ବା ମାସିକିଆ ଚାନ୍ଦା ଆଦାୟ କରୁଥିବା ଅଭିଯୋ​ଗ ହେଉଛି। ଏଥିପାଇଁ ସେମାନେ ନିକଟରେ ଜେଲରୁ ଫେରିଥିବା ଉପରୋକ୍ତ ଯୁବକଙ୍କୁ ମଧ୍ୟସ୍ଥି ସଜାଇଛନ୍ତି।

କୁକୁଡା ଲଢ଼େଇ, ଜୁଆ ଓ ସଟ୍ଟା ଓ ବେଆଇନ ମଦ କାରବାର କରୁଥିବା ଲୋକଙ୍କ ସହ ମୁଲଚାଲ ହେବାପରେ ମଧ୍ୟସ୍ଥି ସାଜିଥିବା ଏହି ଯୁବକ ସେମାନଙ୍କ ଠାରୁ ସର୍ତ ମୁତାବକ ଟଙ୍କା ଆଣି ଅଧିକାରୀଙ୍କୁ ଦେଇଥାନ୍ତି। ଭିଡିଓରୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି। ସବୁଠୁ ଆଶ୍ଚର୍ଯ୍ୟ କଥା, ଏସବୁ ବେଆଇନ କାରବାର ସମ୍ପର୍କରେ ଥାନାବାବୁ ସମ୍ପୂର୍ଣ୍ଣ ଅଜ୍ଞ ବୋଲି କୁହା ଯାଉଛି। ତାଙ୍କ ନଜର ଆଢ଼ୁଆଳରେ ଏ ଦୁହେଁ ନିଜ ବେଆଇନ ଚାନ୍ଦା ଆଦାୟ ଚଳାଇଛନ୍ତି। ଉଲ୍ଲେଖନୀୟ ଯେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ମହିପାଣି ଓ ଭାଲୁଲତାରେ ମାସ ମାସ ଧରି ବେଆଇନ କୁକୁଡା ଲଢ଼େଇ ଚାଲିଛି। ଆଜି ହିଁ ମହିପାଣିରେ ଏକ ବଡଧରଣ କୁକୁଡା ଲଢ଼େଇ ପା​ଡ଼ା ଚାଲିଥିଲା। ପୂର୍ବାହ୍ନ ପ୍ରାୟ ୧ଟାରୁ ଆରମ୍ଭ ହୋଇଥିବା କୁକୁଡା ଲଢ଼େଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା। ରାଉରକେଲା, ବନ୍ଧମୁଣ୍ଡା, ଝିରପାଣି, ନୂଆଗାଁ, ଝାଡ଼ଖଣ୍ଡର ମନୋହରପୁର ଆଦି ଅଞ୍ଚଳର ଶହ ଶହ ଲୋକଙ୍କ ଭିଡ ଜମିଥିଲା। ଏହି ବେଆଇନ କାମକୁ ପୂର୍ବରୁ ଉପରୋକ୍ତ ଦୁଇ ଅଧିକାରୀ ପରୋକ୍ଷରେ ପ୍ରତ୍ସୋହନ ଦେଇଥିବା ଚର୍ଚ୍ଚା ହେଉଛି। ସେମାନେ ଦିନଟିଏ ଖେଳ ପାଇଁ ଆୟୋଜକଙ୍କଠାରୁ ୨୦ ହଜାର ଟଙ୍କା ଆଦାୟ କରୁଥିବା ଚର୍ଚ୍ଚା ହେଉଛି।

କୁକୁଡ଼ା ଲଢ଼େଇ ସହ ଭାଲୁଲତାର ବଙ୍ଗଲାଡ଼ିପା‌ରେ ନିୟମିତ ଜୁଆଖେଳ ଚାଲୁଛି। ବଙ୍ଗଲାଢ଼ିପା ନିକଟ ପଡ଼ିଆରେ ଜୁଆଡିଙ୍କ ଆଡ୍ଡା ଜମୁଛି। ଗୋଟିଏ କି ଦୁଇଟି ନୁହେଁ ଏକାଧିକ ଜୁଆ ପଟ୍ଟି ପଡୁଛି। ଦୈନିକ ଲକ୍ଷ ଲକ୍ଷ ଟଙ୍କା ଉଡୁଛି। ପୂର୍ବାହ୍ନ ସାଢ଼େ ୧୨ଟାରୁ ଆରମ୍ଭ ହେଉଥିବା ଜୁଆ ଖେଳ ରାତି ୧୨ଟା ପର୍ଯ୍ୟନ୍ତ ଚାଲୁଛି। କେବଳ ପୁଲିସ କାହିଁକି, ସ୍ଥାନୀୟ ଅଞ୍ଚଳର ପ୍ରାୟ ସମସ୍ତେ ଏ ବିଷୟରେ ଜାଣିଛନ୍ତି, କିନ୍ତୁ ଉକ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସୁରକ୍ଷାରେ ଥିବାରୁ ଏହା ଉପରେ ଥରୁଟିଏ ହେଲେ ଚଢ଼ଉ ହୋଇନାହିଁ। ବିଶ୍ରା ଥାନାରୁ ମାତ୍ର ଅଧ କି.ମି. ଦୂର ବନ ବିଭାଗ ଅଫିସ୍‌ ସମ୍ମୁଖରେ ଦୁଇଟି ଢ଼ାବାରେ ମାସ ମାସ ଧରି ବେଆଇନ ବାର୍‌ ଚାଲିଛି। ନକଲି ଓ ଅସଲି ବିଦେଶୀ ମଦ ଅବାଧରେ ବିକ୍ରି ଚାଲିଛି। ସେଠାରେ ମଧ୍ୟ ପୁଲିସ ମୋଟା ଅଙ୍କର ପାଉଣା ପାଇ ନିରବ ରହୁଛି ବୋଲି ଆଲୋଚନା ହେଉଛି। ତେତେରକେଲା ନଦୀକୁ ଲାଗିଥିବା ଢ଼ାବା, ରତାଖଣ୍ଡି ଢ଼ାବା‌ରେ ମଧ୍ୟ ସେହି ସମାନ ସ୍ଥିତି। ସତ୍ୟବାଦୀ ସ୍କୁଲ ପଛପାର୍ଶ୍ବରେ ଗୋଟିଏ କି ଦୁଇଟି ନୁହେଁ, ଏକକାଳୀନ ଚାରି ଚାରିଟି ଜାଗାରେ ‌ଦେଶୀ ବିକ୍ରି ଚାଲୁଛି। ଏସବୁ ଝାଡ଼ଖଣ୍ଡ ସୀମାନ୍ତ ଗାଁରୁ ବିଶ୍ରା ଥାନା ଦେଇ ଆସୁଥିଲେ ହେଁ, ରୋକାଯାଉ ନାହିଁ। ସନ୍ତୋଷପୁର ଗ୍ରୀନ୍‌ ଗା‌ର୍ଡେନ ପାଖରେ ଦୈନିକ ସଟ୍ଟା ଖେଳ ଚାଲୁଛି। ଏସବୁ ସ୍ଥାନୀୟ ଅଞ୍ଚଳର ସମସ୍ତେ ଜାଣନ୍ତି। କିନ୍ତୁ ପୁଲିସ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ, ତାହା ମଧ୍ୟ ସମସ୍ତେ ଜାଣୁଛନ୍ତି। ଦକ୍ଷ ଓ ଲୋକପ୍ରିୟ ଏସ୍‌ପି ଏ ଦିଗରେ କିଛି ପଦକ୍ଷେପ ନିଅନ୍ତୁ ବୋଲି ଦାବି ହେଉଛି।

ସମ୍ବନ୍ଧିତ ଖବର