ଚାକିରି ଦେଇ ଠକିଲା କଂପାନି, କାମ କରି ଟଙ୍କା ନପାଇ ଡିଭିଜନାଲ ଅଫିସର ଦ୍ବାରସ୍ଥ ହେଲେ ବେକାର ଯୁବଗୋଷ୍ଠୀ

ମାଲକାନଗିରି: ବିଦ୍ୟୁତ ବିଭାଗକୁ ଟାଟା ପାୱାର ଦାୟିତ୍ବ ନେବା ପରେ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି। ମାଲକାନଗିରି ଜିଲ୍ଲାରେ ପୂର୍ବରୁ ବିଦ୍ୟୁତ ବିଭ୍ରାଟ ଏକ ପ୍ରକାର ନଥିବା ବେଳେ ଏବେ ଘନଘନ ବିଦ୍ୟୁତ କାଟ ସାଂଗକୁ ଦୀର୍ଘ ସମୟ ଧରି ବିଦ୍ୟୁତ ସରବାରହ ବନ୍ଦ ହୋଇ ପଡି ରହୁଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ଯେତେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଛନ୍ତି। ଏବେ ଟାଟା ପାୱାର ତରଫରୁ ନିଯୁକ୍ତି ପାଇଥିବା ଠିକାଦାରମାନେ ସ୍ମାର୍ଟ ମିଟର ବସାଇବା ପାଇଁମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରେ ବେକାର ଯୁବକମାନଙ୍କୁ ଥଇଥାନ କରିଥିଲେ। ଗତ ମେ ମାସରୁ ଏହି ବେକାର ଯୁବକମାନେ ଗାଁ ଗାଁ ବୁଲି ବିଭିନ୍ନ ସ୍କୁଲ, କଲେଜ, ପୁଲିସ ଷ୍ଟେସନ ସହ ଘର ଘର ବୁଲି ସର୍ଭେ କରିବା ପରେ ସ୍ମାର୍ଟ ମିଟର ବସାଇଥିଲେ।

ତେବେ ଏହି ଯୁବକମାନଙ୍କୁ ମାସିକ ୧୨ ହଜାର ଟଙ୍କା ବେତନ ଦେବା ପାଇଁ ପ୍ରତିଶ୍ରୁତି ସହ ପେଟ୍ରୋଲ ଖର୍ଚ୍ଚ ବାବଦକୁ ୨ ହଜାର ଟଙ୍କା ସପ୍ତାହକୁ ୫୦୦ ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ସ୍ଥାନୀୟ ଜଣେ ଠିକାଦାର ତପନ କୁମାର ସରକାର।ତେବେ ଏହି ଯୁବକମାନେ ଗତ ମେ, ଜୁନ ଏବଂ ଜୁଲାଇ ମାସରେ କାମ କରିବା ପରେ ମଧ୍ୟ ସେମାନଙ୍କୁ ଟଙ୍କା ପ୍ରଦାନ କରାଯାଇନଥିଲା। ଓଲଟା ସେମାନଙ୍କ ଠାରୁ ୩ ହଜାର ଟଙ୍କା ଲେଖାଏଁ ଅଗ୍ରୀମ ବାବଦକୁ ନେଇ ସେମାନଙ୍କୁ କ୍ୟାପ, ଜୋତା ଏବଂ ପୋଷାକ ଦିଆଗଲା ବୋଲି କୁହାଗଲା। ଏବେ ଏହି ପିଲାମାନେ ତିନି ମାସ କାମ କରିବା ପରେ ମଧ୍ୟ ଟଂକା ମିଳିଲା ନାହିଁ କି ଆଗକୁ ଆଉ କାମ ଦେଲେ ନାହିଁ।

ଠିକାଦାରଙ୍କୁ ଟଙ୍କା ପାଇଁ ଯେତେ ଗୁହାରି କଲେ ମଧ୍ୟ ସେ ଆଜି-କାଲି କହି ଦିନ ଗଡାଇ ଚାଲିଲା। ଆଜି ଶେଷରେ ମାଥିଲି ଅଂଚଳର ଯୁବକମାନେ ବାଧ୍ୟ ହୋଇ ଓପିଟିସିଏଲର ଡିଭିଜନ ଅଫିସକୁ ଆସି ଅଭିଯୋଗ କରିଥିଲେ। ଏହି ବିଭାଗର ଅଧିକାରୀମାନେ ଏନେଇ ତଦନ୍ତ କରିବେ ବୋଲି କହିଥିବା ଯୁବକମାନେ କହିଛନ୍ତି। କାହିଁକି ବେକାର ଯୁବକମାନଙ୍କ ସହ ଟାଟା ପାୱାର ଖେଳୁଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ରଖିଛନ୍ତି। ତୁରନ୍ତ ସେହି କାମ କରିଥିବା ଯୁବକମାନଙ୍କୁ ସେମାନଙ୍କର ପ୍ରାପ୍ୟ ଫେରାଇବା ସହ ଆଗକୁ କାମ ଯୋଗାଇ ଦେବାକୁ ଦାବି କରାଯାଇଛି।

ଏନେଇ ଓପିଟିସିଏଲର ଅଧିକାରୀଙ୍କୁ ଯୋଗାଯୋଗ ହୋଇଥିଲେ ମଧ୍ୟ ସେମାନେ କୌଣସି ଉତ୍ତର ରଖିନଥିଲେ। ଏଭଳି ଅବସ୍ଥା ସାରା ଜିଲ୍ଲାରେ ହୋଇଥିବାରୁ ଆଗକୁ ଏହା ଆନ୍ଦୋଳନାତ୍ମକ ରୂପ ନେବ ବୋଲି କୁହାଯାଇଛି। ତୁରନ୍ତ ଓପିଟିସିଏଲର ଉଚ୍ଚ ପଦାଧିକାରୀ ଏହି ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର