ଓଡ଼ିଶା ଜଗରନଟ୍ସ ଖୋଖୋ ଦଳର ବାଲେଶ୍ବର ଖେଳାଳିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବାଲେଶ୍ବର: ମହାରାଷ୍ଟ୍ରର ପୁନେଠାରେ ଶେଷ ହୋଇଥିବା ଜାତୀୟସ୍ତର ଅଲ୍‌ଟିମେଟ୍‌ ଖୋଖୋ(ସିଜିନ୍‌-୧)ରେ ଓଡ଼ିଶାର ଜଗରନଟ୍ସ ଦଳ ଆନ୍ଧ୍ରପ୍ରଦେଶର ତେଲଗୁ ଯୋଦ୍ଧା ଦଳକୁ ୪୬-୪୫ ପଏଣ୍ଟରେ ପରାଜିତ କରି ଚାମ୍ପିଅନ୍‌ ହୋଇ ଇତିହାସ ରଚିଛି। ଓଡ଼ିଶା ଜଗରନଟ୍ସ ଦଳରେ ସ୍ଥାନ ପାଇଥିବା ୬ ଜଣ ଓଡ଼ିଆ ଖେଳାଳିଙ୍କ ମଧ୍ୟରୁ ୪ ଜଣ ଖେଳାଳି ବାଲେଶ୍ବର ଜିଲ୍ଲାର ଅଟନ୍ତି। ସେମାନେ ହେଲେ ଜଗନ୍ନାଥ ମୁର୍ମୁ, ଲିପୁନ୍‌ ମୁଖି, ସିଦ୍ଧେଶ୍ବର ଟୁଡୁ ଓ ସୁକାନ୍ତ ସିଂ।

ଗୁରୁବାର ଦିନ ରେଳ‌ ଯୋଗେ ସେମାନେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଷ୍ଟେସନ୍‌ଠାରେ ସେମାନଙ୍କୁ ଏବଂ ପ୍ରଶିକ୍ଷକ ମଳୟ ରଂଜନ ବେହେରାଙ୍କୁ କ୍ରୀଡ଼ା ସଂଘର ସାଧାରଣ ସଂପାଦକ ଅଭୟ ମହାପାତ୍ର, ସହସାଧାରଣ ସଂପାଦକ ପଦ୍ମଲୋଚନ ଲେଙ୍କା ସମ୍ବର୍ଦ୍ଧିତ କରିଥିଲେ। ସଂଘର ଯୁଗ୍ମ ସଂପାଦକ କାର୍ତ୍ତିକ ଚନ୍ଦ୍ର ନାୟକ, ଜଗଦୀଶ ଚନ୍ଦ୍ର ବେହେରା, ସାଦ୍ଦିକ ଅଲ୍ଲୀ ଖାଁ, ପ୍ରଦୀପ କୁମାର ଦାସ, ବିଦ୍ୟାଳୟର ବହୁ କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟିତ୍ରୀ ବିଜୟୀ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସେହିପରି ବାଲେଶ୍ବରର ବହୁ ବରିଷ୍ଠ ଓ କନିଷ୍ଠ ଖେଳାଳି ସେମାନଙ୍କୁ ସ୍ବାଗତ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ। କିଛି ଖେଳାଳିଙ୍କ ପିତାମାତା ମଧ୍ୟ ଉପସ୍ଥିତ ଥିଲେ। ପ୍ରଶିକ୍ଷକ ମଳୟ ଖେଳାଳିଙ୍କୁ ଏହିସ୍ତରକୁ ଆଣିବାରେ ବଡ଼ ଭୂମିକା ଗ୍ରହଣ କରିଥିବା ସାଧାରଣ ସଂପାଦକ ଶ୍ରୀ ମହାପାତ୍ର କହିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ। ଏମାନଙ୍କ ପରି ଆହୁରି ଅଧିକ ଖେଳାଳି ତିଆରି କରିବା ପାଇଁ ପ୍ରଶିକ୍ଷକ ମଳୟଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର