୩୦ରେ ରାଜ୍ୟ କଂଗ୍ରେସର ବିପର୍ଯ୍ୟୟ ସମୀକ୍ଷା

କଂଗ୍ରେସ ବିଧାୟକ ଦଳ ନେତା ବଛାଯିବ, ପୁତ୍ରମୋହ ପ୍ରସଙ୍ଗରେ ମୁହଁ ଖୋଲିଲେ ନିରଞ୍ଜନ, ବୈଠକରେ ବର୍ଷକର ଅନୁଭୂତି ବଖାଣିବେ

ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ କଂଗ୍ରେସ ଚରମ ବିପର୍ଯ୍ୟୟକୁ ସାମ୍ନା କରିଛି। ଏହି ବିପର୍ଯ୍ୟୟରେ ଟଳି ପଡ଼ିଛନ୍ତି ଅନେକ ଦଳୀୟ ବରିଷ୍ଠ ନେତା। ପ୍ରମୁଖ ବିରୋଧୀ ଦଳ ମାନ୍ୟତା ହରାଇଛି କଂଗ୍ରେସ। ଦଳର ଏହି ଶୋଚନୀୟ ପରାଜୟ ପଛର କାରଣ ଖୋଜିବା ପାଇଁ ଆଗାମୀ ୩୦ ତାରିଖରେ ରାଜ୍ୟ କଂଗ୍ରେସର ସମୀକ୍ଷା ବୈଠକ ବସିବ। ସେହିଦିନ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ବଛାଯିବ।

ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ପିସିସି ସଭାପତି କହିଲେ ଯେ ଆସନ୍ତା ୩୦ ତାରିଖରେ ହେବାକୁ ଥିବା ସମୀକ୍ଷା ବୈଠକରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ଟି.ଏସ୍‌. ସିଂହ‌ଦେଓ ଯୋଗଦେବେ। ବୈଠକରେ ସମସ୍ତ ବିଜୟୀ ଓ ପରାଜିତ ପ୍ରାର୍ଥୀଙ୍କ ସହିତ ଆଲୋଚନା ହେବ। ସେହିଦିନ ଅପରାହ୍‌ଣରେ ବରିଷ୍ଠ ନେତାମାନଙ୍କ ସହିତ କଂଗ୍ରେସ ଦଳର ବିପର୍ଯ୍ୟୟ ସଂପର୍କରେ ଆଲୋଚନା ହେବ। କେବଳ ବିପର୍ଯ୍ୟୟର କାରଣ ଖୋଜା ନୁହେଁ, ଆଗାମୀ ଦିନରେ ଦଳ କିପରି ବିପର୍ଯ୍ୟୟରୁ ବାହାର କରାଯିବ ସେ ନେଇ ମଧ୍ୟ ରଣନୀତି ପ୍ରସ୍ତୁତ କରାଯିବ। ସେହି ବୈଠକରେ ପିସିସି ସଭାପତି ଭାବେ ଦାୟିତ୍ବ ନେବାର ଏକବର୍ଷର ଅନୁଭୂତି ବ୍ୟକ୍ତ କରିବେ ବୋଲି କହିଥିଲେ ନିରଞ୍ଜନ।

ପୁତ୍ରମୋହ ପ୍ରସଙ୍ଗରେ ମୁହଁ ଖୋଲି ପିସିସି ସଭାପତି କହିଲେ, ‘‘ମୋ ପୁଅ ଛିଡ଼ା ହୋଇଥିଲେ ବି ମୁଁ ଦିନେ ହେଲେ ବି ପ୍ରଚାର ପାଇଁ ସେଠାକୁ ଯାଇନାହିଁ। କେବଳ ମୋ ଇଚ୍ଛା ଅନୁସାରେ ସେ ଛିଡ଼ା ହୋଇନାହାନ୍ତି। ଜିଲ୍ଲା କଂଗ୍ରେସର ମତାମତ ଓ ଏଆଇସିସିର ନିଷ୍ପତ୍ତି କ୍ରମେ ମୋ ପୁଅ ପ୍ରାର୍ଥୀ ହୋଇଥିଲେ। ଅନ୍ୟମାନଙ୍କ କ୍ଷେତ୍ରରେ କ’ଣ ହୋଇଛି, ମୋତେ ଜଣାନାହିଁ। ବରିଷ୍ଠ କଂଗ୍ରେସ ନେତା ଚିଦମ୍ବରମ, କମଲ୍‌ନାଥ, ଗେହଲଟ୍‌ ବୋଧେ ପୁତ୍ରମାନଙ୍କ ପ୍ରତି ଅଧିକ ଧ୍ୟାନ ଦେଲେ। ତେଣୁ ରାହୁଲ ଏଭଳି କହିଥିବେ।’’

ରାଜନୀତିରେ ଅପରାଧୀ ପ୍ରାର୍ଥୀମାନଙ୍କୁ ଟିକେଟ୍‌ ମିଳିବା ପ୍ରସଙ୍ଗରେ ସେ କହିଲେ ଯେ ଏହା ଶୁଭ ସୂଚନା ନୁହେଁ। ବର୍ତମାନ ନୀତି, ଆଦର୍ଶର ରାଜନୀତି ଚାଲିନାହିଁ। ରାଜନୀତିର ବ୍ୟବସାୟୀକରଣ ହୋଇଛି। ଏଭଳି ରାଜନୀତି ଦ୍ବାରା ଦେଶରେ କେବେ ହେଁ ପ୍ରଗତି ହୋଇପାରିବ ନାହିଁ। କୌଣସି ଦଳର ନୀତି ଆଦର୍ଶ ଠିକ୍‌ ନାହିଁ। ଆଜି ଯିଏ କଂଗ୍ରେସରୁ ଟିକେଟ୍‌ ନେଉଛି, କାଲି ସେ ବିଜେଡି ବା ବିଜେପିରୁ ଟିକେଟ୍‌ ନେଉଛି। ବର୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ନୀତି, ଆଦର୍ଶ ଓ ବିଚାରଧାରାରେ ବିଶ୍ବାସ ସୃଷ୍ଟି କରି ରାଜନୀତିକୁ ଅଣାଗଲେ ଦେଶର ପ୍ରଗତି ଓ ଲୋକଙ୍କର ମଙ୍ଗଳ ହୋଇପାରିବ।
କଂଗ୍ରେସ କାହିଁକି ବିପର୍ଯ୍ୟୟର ସମ୍ମୁଖୀନ ହେଲା ସେ ସଂପର୍କରେ ନିରଞ୍ଜନ କହିଲେ, ‘‘ଲୋକେ ଆମକୁ ଗ୍ରହଣ କଲେନାହିଁ। ଦେଶରେ ମୋଦୀ ହାୱା ଓ ଓଡ଼ିଶାରେ ନବୀନ ହାୱା ବହିଲା। ସେହି ହାୱାକୁ ଆମେ ପ୍ରତିହତ କରିପାରିଲୁନି। ଏହା ଆମର ଦୁର୍ବଳତା। ଏହାକୁ ଆମେ ସ୍ବୀକାର କରୁଛୁ। ଜୋ ଜିତା ୱ ସିକନ୍ଦର‌ ବୋଲି ସେ କହିଥିଲେ।

ଏ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜଟଣୀରୁ ବିଜୟୀ ହୋଇଥିବା ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ କହିଲେ ଯେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିରଞ୍ଜନ ଏକା ନୁହଁନ୍ତି, ଏଥିପାଇଁ ସମସ୍ତେ ଦାୟୀ। ଯଦି ନିରଞ୍ଜନ ଆଉ ୫ ବର୍ଷ ପର୍ଯ୍ୟନ୍ତ ପିସିସି ଦାୟିତ୍ବରେ ରହିବେ ତାଙ୍କ ନେତୃତ୍ବରେ ଦଳ ମଜ୍‌ବୁତ୍‌ ବୋଲି ସେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର