କୃଷି ବିଲ୍‌ ବିରୋଧରେ ସୋସିଆଲ ମିଡିଆରେ କଂଗ୍ରେସର ପ୍ରଚାର : ଏହା ଏକ କଳା ଆଇନ୍ – ପିସିସି ସଭାପତି

ଚାଷୀଙ୍କ ପ୍ରତି ଦରଦ ଥିଲେ ଆଇନକୁ ପରିବର୍ତ୍ତନ କରୁ କେନ୍ଦ୍ର: କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ କୃଷି ବିଲ୍‌ ଚାଷୀମାନଙ୍କ ଦୂରବସ୍ଥା ବୃଦ୍ଧି କରିବା ସହିତ ଭାରତର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିବ। ଲୋକସଭାରେ ବିଲ୍‌କୁ ପାରିତ କରିବା ସହିତ ଅଗଣତାନ୍ତ୍ରିକ ଭାବେ କେନ୍ଦ୍ର ସରକାର ରାଜ୍ୟସଭାରେ ବି ପାରିତ କଲେ। ଏହା ଏକ କଳା ଆଇନ୍‌। ବହୁ ବର୍ଷ ପୂର୍ବରୁ କଂଗ୍ରେସ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା କରି ଚାଷୀମାନଙ୍କ ଭିତରେ ଯେଉଁ ଆତ୍ମବିଶ୍ବାସ ଭରିଥିଲା ତାକୁ ଏହି ଆଇନ ବଳରେ ହଟାଇବାକୁ ବିଧିବଦ୍ଧ ଭାବେ କେନ୍ଦ୍ର ସରକାର ଉଦ୍ୟମ କରିଛନ୍ତି। କୃଷି ବିଲ୍‌ ବିରୋଧରେ କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାରଙ୍କ ଅଧ୍ୟକ୍ଷତାରେ ସୋସିଆଲ୍‌ ମିଡିଆରେ ଜନ ଜାଗରଣ ଆରମ୍ଭ କରିବା ଅବସରରେ ଏପରି ଗର୍ଜିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆହ୍ବାନ କରି କହିଛନ୍ତି, ଯଦି ଚାଷୀମାନଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ପ୍ରକୃତ ଦରଦ ଅଛି, ତାହେଲେ ଏହି ଆଇନକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ଦେଶରେ ୬୦% ଚାଷୀମାନଙ୍କ ପାଖରେ ୫ ଏକରରୁ କମ୍‌ ଜମି ରହିଛି। ଏହିସବୁ ଚାଷୀମାନେ ସାଧାରଣତଃ ଅର୍ଥାଭାବ ଯୋଗୁଁ ମଣ୍ଡିକୁ ଆସିପାରନ୍ତି ନାହିଁ। ସେମାନେ ବାଧ୍ୟ ହୋଇ ତାଙ୍କ ଆର୍ଥିକ ଅନାଟନ ମେଣ୍ଟାଇବା ପାଇଁ ଏମ୍‌ଏସ୍‌ପି ଠାରୁ କମ୍‌ ଦରରେ କୃଷି ଉତ୍ପାଦ ବିକ୍ରି କରିଥାନ୍ତି। କଂଗ୍ରେସ ସରକାର ଅମଳରେ ମଣ୍ଡି ଓ ଏମ୍‌ଏସ୍‌ପି ବ୍ୟବସ୍ଥା କରାଯାଇଥିଲା। ଏହି ଆଇନ ଯୋଗୁଁ ଏବେ ସେସବୁ ବ୍ୟବସ୍ଥା ଦୁର୍ବଳ ହୋଇଯିବ। ବଡ଼ ବଡ଼ ପୁଞ୍ଜିପତିମାନେ ଚାଷକୁ କବଜା କରିଯିବେ। ଯଦି କେନ୍ଦ୍ର ସରକାର କହୁଛନ୍ତି ଏମ୍‌ଏସ୍‌ପି ରହିବ ତାହେଲେ ବିଲ୍‌ରେ କାହିଁକି ଲିପିବଦ୍ଧ କରୁନାହାନ୍ତି। ଏମ୍‌ଏସ୍‌ପିଠାରୁ କମ୍‌ ଦରରେ କିଣିଲେ ଦଣ୍ଡ ବ୍ୟବସ୍ଥା କରାଯାଉ। ଏହାହେଲେ ଚାଷୀ ସୁରକ୍ଷିତ ହୋଇପାରିବ। ନ ହେଲେ ଦେଶର ଚାଷୀମାନଙ୍କ ଭବିଷ୍ୟତ ଅନ୍ଧାର ଭିତରୁ ଠେଲିହୋଇଯିବ।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି, କେନ୍ଦ୍ର ସରକାର କୃଷି ଓ କୃଷକ ଉପରେ ଯେଉଁ ଆଧ୍ୟାଦେଶ ଆଣିଥିଲେ ତାକୁ ଆଇନରେ ପରିଣତ କରିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହାଦ୍ବାରା ଚାଷୀ ସମାଜ କେତେ କ୍ଷତିଗ୍ରସ୍ତ ହେବ ତାକୁ କେହି ବି ଆକଳନ କରିପାରିନାହାନ୍ତି। ଦିନ ଆସିବ ଚାଷୀମାନେ ସର୍ବହରା ହୋଇଯିବେ। ସବୁଠୁ ବଡ଼ ଦୁର୍ଭାଗ୍ୟ ହେଉଛି, ପ୍ରଧାନମନ୍ତ୍ରୀ ହୁଅନ୍ତୁ କି କେନ୍ଦ୍ର କୃଷି ମନ୍ତ୍ରୀ ଯେଉଁଭଳି ବିବୃତି ରଖୁଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ। କେନ୍ଦ୍ର ସରକାର କହୁଛନ୍ତି, ଆଗରୁ ଚାଷୀମାନେ ଦେଶର ଯେ କୌଣସି ସ୍ଥାନରେ ବିକ୍ରି କରିବାର ବ୍ୟବସ୍ଥା ନ ଥିଲା। ଏହି ନୂଆ ଆଇନରେ ଚାଷୀମାନଙ୍କୁ ସ୍ବାଧୀନତା ମିଳିଛି। ଏହା ପ୍ରମାଣିତ କରୁଛି ପ୍ରଧାନମନ୍ତ୍ରୀ କିମ୍ବା କୃଷି ମନ୍ତ୍ରୀଙ୍କ ପୂର୍ବ ଆଇନ ସମ୍ପର୍କରେ ଧାରଣା ନାହିଁ। ଏହାସହିତ ବହୁ ପୂର୍ବରୁ ଓଡ଼ିଶା ହାଇକୋର୍ଟ ଏକ ଜନସ୍ବାର୍ଥ ମାମାଲାର ବିଚାର କରି ଚାଷୀମାନେ ଇଚ୍ଛାମୁତାବକ ବ୍ୟକ୍ତିବିଶେଷ ଓ ସ୍ଥାନରେ ବିକ୍ରି କରିପାରିବେ ବୋଲି ରାୟ ଦେଇଛନ୍ତି। ଶ୍ରୀ ମିଶ୍ର ଦାବି କରି କହିଛନ୍ତି ଯଦି କେନ୍ଦ୍ର ସରକାର ଚାଷୀମାନଙ୍କ ହିତ ଚାହୁଁଛନ୍ତି ତାହେଲେ ଏମ୍‌ଏସ୍‌ପିରୁ କମ ଦାମରେ କୃଷି ଉତ୍ପାଦ କିଣୁଥିବା ବ୍ୟକ୍ତିକୁ ୭ ବର୍ଷ ଜେଲ୍‌ ଦଣ୍ଡ ସହିତ ଜରିମାନା ବ୍ୟବସ୍ଥା କରନ୍ତୁ। ତାହେଲେ ଯାଇ ଜଣାପଡ଼ିବ ବିଜେପି ହୃଦୟ କେତେ ଚାଷୀମାନଙ୍କ ସ୍ବାର୍ଥ ରକ୍ଷା ଲାଗି କାନ୍ଦୁଛି।

ସମ୍ବନ୍ଧିତ ଖବର