ନିଜ ପିଠି ନିଜେ ଥାପୁଡ଼ାଉଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ: କଂ‌ଗ୍ରେସ

ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦୁଇଦିନ ତଳେ ବିଭାଗର ସମୀକ୍ଷା କରିବା ଅବସରରେ ଓଡ଼ିଶାର ସ୍ବାସ୍ଥ୍ୟସେବାକୁ ପ୍ରଶଂସା କରିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଏହି ପ୍ରଶଂସା ନିଜ ପିଠି ନିଜେ ଥାପୁଡ଼ାଇବା ପରି ମନେ ହେଉଛି। ବିଗତ ୨୩ ବର୍ଷର ନବୀନବାବୁଙ୍କ ଶାସନରେ ଓଡ଼ିଶାବାସୀ ନିମ୍ନତମ ସ୍ୱାସ୍ଥ୍ୟସେବା ପାଇପାରିଲେ ନାହିଁ। ଆଜି ବି ଭାରରେ ରୋଗୀ ବୁହା ହେଉଛନ୍ତି। ଦାନ ମାଝୀର ଉଦାହରଣ ପ୍ରତିଦିନ ରହିଛି। ତେବେ ସ୍ୱାସ୍ଥ୍ୟ ସେବାର ସୁଧାର କେଉଁଠି ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ।

ଶୁକ୍ରବାର ଦିନ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନ୍‌ଗୋ କହିଲେ, କେରଳରେ ପ୍ରତି ୪୦୦ ଜଣ ପାଇଁ ଜଣେ ଡାକ୍ତର ରହିଛନ୍ତି। ହେଲେ ଓଡ଼ିଶାରେ ପ୍ରତି ୨୧୮୭ ଲୋକରେ ଜଣେ ଡାକ୍ତର ଅଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ହିସାବ ଅନୁଯାୟୀ ୨ହଜାର ଲୋକରେ ଜଣେ ଡାକ୍ତର ରହିବା କଥା। ସେହି ଅନୁସାରେ ରାଜ୍ୟରେ ୪.୬ କୋଟି ଜନସଂଖ୍ୟାରେ ୪୬ ହଜାର ଡାକ୍ତରଙ୍କର ଆବଶ୍ୟକତା ରହିଛି। ମାତ୍ର ତାହା ଏଠାରେ ହୋଇପାରି ନାହିଁ। ଯେଉଁ ଡାକ୍ତରମାନେ କାର୍ଯ୍ୟରତ ଅଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଯୋଗ୍ୟତା ଠିକ୍ ଅଛି କି ନାହିଁ ତାହା ପରଖିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏଠି ଔଷଧ ଓ ଡାକ୍ତର ନକଲି। ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ (ସ୍ୱାସ୍ଥ୍ୟ ସେବା) ତାଙ୍କ ସତ୍ୟପାଠରେ ହାଇକୋର୍ଟଙ୍କୁ ଜଣାଇଛନ୍ତି ଯେ ଓଡ଼ିଶା ମେଡିକାଲ ସ୍ୱାସ୍ଥ୍ୟ ସେବା ଅଧୀନରେ ସାଧାରଣ ଡାକ୍ତର ଓ ବିଶେଷଜ୍ଞ ଡାକ୍ତରଙ୍କ ପାଇଁ ୮୫୪୬ଟି ପଦବି ରହିଛି। ସାଧାରଣ ମେଡିକାଲ ଅଫିସର ପଦବିରେ ୩୫୨୩ଟି ଖାଲି ପଡ଼ିଛି। ବିଶେଷଜ୍ଞ ଡାକ୍ତରଙ୍କ ପାଇଁ ୨୭୦୮ ଟି ପଦବି ଥିବା ବେଳେ ତହିଁରୁ ୧୨୧୧ ଟି ଖାଲି ପଡ଼ିଛି।

ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଛନ୍ତି ଯେ ରାଜ୍ୟର ଡାକ୍ତରଖାନା ମାନଙ୍କରେ ସମୁଦାୟ ୩୬ ହଜାର ପଦବି ଖାଲି ପଡ଼ିଛି। ନବୀନ ସରକାରରେ ରାଜ୍ୟବାସୀ ନିମ୍ନତମ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ବୋଲି ଏକଥା ଆଉ କାହାକୁ ଅଛପା ନାହିଁ ବୋଲି ଶ୍ରୀ କାନୁନଗୋ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରକାଶ ମିଶ୍ର ଓ ପ୍ରଶାନ୍ତ ଶତପଥୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର