ଏସ୍‌ଓଜି ପାଇଁ ଘରୋଇ ଜମି ନେବା ଯୋଜନାକୁ ବିରୋଧ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାରୁଠେଙ୍ଗବାସୀଙ୍କ ଧାରଣା

ଖୋର୍ଦ୍ଧା: ଜଟଣୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦାରୁଠେଙ୍ଗରେ ରାଜ୍ୟ ସରକାର ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ (ଏସ୍ଓଜି)ର ସ୍ଥାୟୀ ଛାଉଣୀ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ସ୍ଥାୟୀ ଛାଉଣୀ ପାଇଁ ସେଠାର ସ୍ଥାୟୀ ବାସିନ୍ଦାଙ୍କ ଘରୋଇ ଜମି, ବାସଗୃହ, ସର୍ବସାଧାରଣ ସଡ଼କ, ଶ୍ମଶାନ, ଗୋଚର ଜମି ଆଦି ବିନା ନୋଟିସରେ ଅଧିଗ୍ରହଣ କରାଯାଉଥିବା ଅଭିଯୋଗ କରି ସରକାରଙ୍କ ଏଭଳି ଯୋଜନାକୁ ବୁଧବାର ଗ୍ରାମବାସୀ ପ୍ରବଳ ବିରୋଧ କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

ଆଜି ପୂର୍ବାହ୍ଣରେ ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସର ଜିଲ୍ଲା ସଂଗଠନର କର୍ମକର୍ତା ଓ ଦାରୁଠେଙ୍ଗ ଗ୍ରାମର ଶତାଧିକ ମହିଳା-ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଏକ ସ୍ମାରକପତ୍ର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କୁ ପ୍ରଦାନ କରିଥିଲେ । ବିଧାୟକ ଶ୍ରୀ ରାଉତରାୟଙ୍କ କହିବାନୁସାରେ, ଗାଁଟି ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ଗାଁ । ଏଠାରେ ପ୍ରାୟ ୧ହଜାରରୁ ଉଦ୍ଧ୍ୱର୍ ଅନୁସୂଚିତ ଜାତି ଓ ଜନଜାତିର ଲୋକ ବସବାସ କରୁଛନ୍ତି । ୫ ବର୍ଷ ପୂର୍ବେ ରାଜ୍ୟ ସରକାର ଏଠାରେ ଏସ୍ଓଜି ପାଇଁ ଜମି ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ଗ୍ରହଣ କଲେ ଗ୍ରାମବାସୀ ସେତେବେଳେ ବିରୋଧ କରିଥିଲେ ।

ଏନେଇ ୫ଡିସେମ୍ବର ୨୦୧୭ରେ ତତ୍କାଳୀନ ଜିଲ୍ଲାପାଳଙ୍କୁ ଏନେଇ ଆବେଦନ କରିଥିଲେ । ତେବେ ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କ ଭୁଲ ଜମି ଚିହ୍ନଟ ଯୋଗୁଁ ଅନେକଙ୍କ ସ୍ଥାୟୀ ବାସଗୃହ, ସ୍କୁଲ, ସଡ଼କ ଆଦି ମଧ୍ୟ ସରକାରୀ ଜମି ଭଳି ବିନା ନୋଟିସରେ ଅଧିଗ୍ରହଣ କରାଯାଉଛି । ଏଣୁ ଘରୋଇ ଜମି ଅଧିଗ୍ରହଣକୁ ବନ୍ଦ କରି ସରକାରୀ ଜମିର ଚିହ୍ନଟ କରିବାକୁ ସେ ଦାବି କରୁଛନ୍ତି । ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଦାରୁଠେଙ୍ଗ ସରପଂଚ ତପନ କୁମାର, କଂଗ୍ରେସ ନେତା ପଦ୍ମଚରଣ ରାୟଙ୍କ ସମେତ ଅନ୍ୟ ଗ୍ରାମବାସୀମାନେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର