୧୫ରେ ‘ଓଡ଼ିଶା ବନ୍ଦ’ଡାକରାକୁ ସମର୍ଥନ କରିବ କଂଗ୍ରେସ: ନିରଂଜନ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଙ୍କଟପନ୍ନ ହୋଇପଡ଼ିଛି । ତାସାଙ୍ଗକୁ ଡିଜେଲ ଓ ପେଟ୍ରୋଲ ଉପରେ ଟିକସ ବୃଦ୍ଧି ଯୋଗୁଁ ବର୍ତ୍ତମାନ ତୈଳ ଦର ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହେଲାଣି । ଏହାର ସିଧାସଳଖ ପ୍ରଭାବ ମାଲ୍ ଓ ଯାତ୍ରୀ ପରିବହନ ଉପରେ ପଡୁଛି । ସେଥିରେ ତୈଳ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ସାଙ୍ଗକୁ ୨୩ଟି ନିତ୍ୟବ୍ୟବହାର୍ଯ୍ୟ ଜିନିଷକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟାଇଦେବା ଫଳରେ ଖାଇବା ତେଲ, ଡାଲି, ଆଳୁ, ପିଆଜ, ଚିନି, ଔଷଧ ଆଦି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଆକାଶଛୁଆଁ ଦରବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।

ଏଣୁ ଜନମାରଣ ନୀତି ବିରୁଦ୍ଧରେ ସିପିଆଇ, ସିପିଆଇ (ଏମ), ସିପିଆଇ(ଏମଏଲ) ଲିବରେସନ, ଫରୱାର୍ଡ ବ୍ଲକ ପ୍ରମୁଖ ୪ଟି ବାମ ଦଳ ଆସନ୍ତାକାଲି (ଜୁଲାଇ ୧୫) ତାରିଖ ଗୁରୁବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ର ଡାକରା ଦେଇଛନ୍ତି । ଏହି ବନ୍ଦ ଡାକରାକୁ ଭାରତୀୟ ଜାତୀୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ବିଜ୍ଞପ୍ତିରେ ଜଣାଇଛନ୍ତି ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ସମସ୍ତ ଜିଲ୍ଲା କଂଗ୍ରେସ ସଭାପତିଗଣ ଏବଂ ନେତୃବୃନ୍ଦ, ସାଂସଦ, ବିଧାୟକ ପ୍ରାର୍ଥୀ ଓ କର୍ମୀମାନଙ୍କୁ ନିବେଦନ କରିଛନ୍ତି ଓଡ଼ିଶା ବନ୍ଦରେ ସାମିଲ ହୋଇ ସଂପୂର୍ଣ୍ଣ ସହଯୋଗ କରିବା ପାଇଁ । ଏହି ଓଡ଼ିଶା ବନ୍ଦ ଡାକରାର ସଫଳ ପାଇଁ ଜନସାଧାରଣଙ୍କର ପୂର୍ଣ୍ଣ ସହଯୋଗ ପଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର