ଠିକା ନର୍ସଙ୍କ ଆନ୍ଦୋଳନ ଷଷ୍ଠ ଦିନରେ
ଆନ୍ଦୋଳନକୁ ନର୍ସିଂ କର୍ମଚାରୀ ସଂଘର ସମର୍ଥନ୨୮ରୁ କଳାବ୍ୟାଜ୍ ପରିଧାନ, ୫ରୁ ଧାରଣା
କଟକ: ଏସ୍ସିବି ମେଡିକାଲ୍ରେ ନିୟୋଜିତ ଠିକା ନର୍ସଙ୍କ ଆନ୍ଦୋଳନ ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏତେ ଦିନଧରି ଆନ୍ଦୋଳନ ଚଳାଇଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇପାରିନାହାନ୍ତି। ତଥାପି ଠିକା ନର୍ସଙ୍କ ଦାବି ଯଥାର୍ଥ ହୋଇଥିବାରୁ ଏଥିପାଇଁ ସେମାନଙ୍କୁ ସମର୍ଥନ ଜଣାଇଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ସଂଘ ପକ୍ଷରୁ ଆଜି ଏକ ବୈଠକ ଡକାଯାଇ ଠିକା ନର୍ସଙ୍କୁ ସହଯୋଗ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଆସନ୍ତା ୨୮ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ସଂଘ ପକ୍ଷରୁ କଳାବ୍ୟାଜ ପରିଧାନ କରାଯିବ। ଏହି ଅବଧି ମଧ୍ୟରେ ଦାବି ପୂରଣ ନହେଲେ ଆସନ୍ତା ୫ ତାରିଖରୁ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ। ସପ୍ତାହେ ମଧ୍ୟରେ ଯଦି ସରକାର ତାଙ୍କ ଜିଦ୍ରେ ଅଟଳ ରୁହନ୍ତି, ତାହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କେବଳ ଠକା ନର୍ସଙ୍କୁ ସମର୍ଥନ ନୁହେଁ, ସଂଘର ମଧ୍ୟ କିଛି ଦାବିକୁ ସରକାର ଦୀର୍ଘ ଦିନ ଧରି ପୂରଣ କରୁ ନଥିବାରୁ ଏହି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ୨୦୧୩ ମସିହାରୁ ସମସ୍ତ ଶ୍ରେଣୀର କର୍ମଚାରୀଙ୍କ କ୍ଷେତ୍ରରେ ଆର୍ଏସିପି ଲାଗୁ କରାଯାଇଛି। ହେଲେ ରାଜ୍ୟର ୩ହଜାରରୁ ଅଧିକ ନର୍ସିଂ କର୍ମଚାରୀଙ୍କୁ ବିଭିନ୍ନ ଆଳ ଦେଖାଇ ବର୍ତ୍ତମାନ ସୁଦ୍ଧା ଏହାକୁ ଲାଗୁ କରାଯାଇନାହିଁ। ଏହାବ୍ୟତୀତ ଅତିରିକ୍ତ ଇନ୍କ୍ରିମେଣ୍ଟ, ପଦୋନ୍ନତି ଭିତ୍ତିକ ଖାଲି ପଦବି ପୂରଣ କରିବା ଦାବି ମଧ୍ୟ ଉପସ୍ଥାପନ କରାଯିବ ବୋଲି ସଂଘର ସଭାପତି ଧରିତ୍ରୀ ସାହୁ ଓ ସଂପାଦକ ଜ୍ୟୋତ୍ସ୍ନାମୟୀ ଦେଈ ସୂଚନା ଦେଇଛନ୍ତି। ସଂଘର ଏହି ଦାବିଗୁଡ଼ିକ ସହିତ ଠିକା ନର୍ସଙ୍କ ୬ଦଫା ଦାବି ଉପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଠିକା କର୍ମଚାରୀଙ୍କୁ ୯୩୦୦ ଟଙ୍କା ଦରମା ସହ ଗ୍ରେଡ୍ ପେ ୪୨୦୦ ଟଙ୍କା ପ୍ରଦାନ କରାଯିବା, ଅନ୍ୟ ଚିକିତ୍ସାଳୟରେ ପୂର୍ବରୁ କାର୍ଯ୍ୟ କରିଥିବା ଅଭିଜ୍ଞତାକୁ ସ୍ଥାୟୀ ନିଯୁକ୍ତି ନିୟମରେ ହିସାବକୁ ନେବା, ହସ୍ପିଟାଲ୍ ପରିସରରେ ନର୍ସିଂ କର୍ମଚାରୀଙ୍କ ପାଇଁ ସରକାରୀ ବାସଗୃହ ନିର୍ମାଣ କରାଯିବା ଇତ୍ୟାଦି ଦାବି ଉପରେ ଠିକା ନର୍ସମାନେ ଗତ ୬ଦିନ ଧରି ଆନ୍ଦୋଳନରେ ବସିଛନ୍ତି।
ଘରୋଇ ନର୍ସିଂ ଛାତ୍ରୀଙ୍କୁ ଅଟକାଇଲେ ଆନ୍ଦୋଳନକାରୀ
ଗତକାଲି ଏସ୍ସିବି ଅଧୀକ୍ଷକଙ୍କୁ ଘେରାଉ କରିବା ପରେ ଆଜି ଠିକା ନର୍ସମାନେ ଘରୋଇ ନର୍ସିଂ ଛାତ୍ରୀମାନଙ୍କୁ ଡ୍ୟୁଟିକୁ ଯିବା ପାଇଁ ସୁଯୋଗ ଦେଇ ନଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରୋଇ ନର୍ସିଂ ଛାତ୍ରୀଙ୍କୁ ଅଟକାଇ ରଖବାକୁ ଅଧୀକ୍ଷକ ଏଥିରେ ହସ୍ତକ୍ଷେପ କରିଥିଲେ। ଏଭଳି ଘଟଣାକୁ ଅପରାଧିକ କାର୍ଯ୍ୟକଳାପ ବୋଲି କହିବା ସହ ଥାନାରେ ଏତଲା ଦେବା ଚେତାବନୀ ଦିଆଯିବାରୁ ଠକା ନର୍ସମାନେ ଘରୋଇ ଛାତ୍ରୀଙ୍କୁ ଛାଡ଼ିଦେଇଥିଲେ। ଏହି ଘଟଣା ପରେ ଠିକା ନର୍ସଙ୍କୁ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗଦେବାକୁ ଅଧୀକ୍ଷକ ଏକ ଚିଠି ଜରିଆରେ ନର୍ସେସ୍ ଆକ୍ସନ୍ କମିଟିକୁ ପରାମର୍ଶ ଦେଇଥିଲେ। ଆନ୍ଦୋଳନକାରୀଙ୍କ ଦାବି ଯଥାର୍ଥ ହୋଇଥିଲେ ବି ଏସ୍ମା ଆଇନ୍ ଅନୁଯାୟୀ କାର୍ଯ୍ୟବନ୍ଦ କରିବା ଗ୍ରହଣଯୋଗ୍ୟ ନୁହେଁ। ଏହାସତ୍ତ୍ୱେ ଗତ ୨୧ ତାରିଖରେ ସ୍ୱାସ୍ଥ୍ୟ ବିଭାଗର ଭାରପ୍ରାପ୍ତ ଅଧିକାରୀ ଶାଲିନୀ ପଣ୍ଡିତ ଉଚ୍ଚସ୍ତରୀୟ କମିଟିରେ ଘଟଣା ବିଷୟରେ ଆଲୋଚନା କରବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାସତ୍ତ୍ୱେ ଠିକା ନର୍ସମାନେ ଆନ୍ଦୋଳନରୁ ଓହରି ନଥିଲେ। ତେଣୁ ନୈତିକତା ଦୃଷ୍ଟିରୁ ଠିକା କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବାକୁ ପରାମର୍ଶ ଦିଆଯାଇଛି। ତଥାପି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଲେ ବିକଳ୍ପ ବ୍ୟବସ୍ଥା ପାଇଁ ବିଭିନ୍ନ ସିଡିଏମ୍ଓଙ୍କୁ ଅନୁରୋଧ କରାଯାଇଛି। ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ସିଡିଏମ୍ଓଙ୍କ ପକ୍ଷରୁ କେତେକ ବରିଷ୍ଠ ନର୍ସଙ୍କୁ ଅସ୍ଥାୟୀ ଭାବେ ପଠାଇବାକୁ ଅନୁରୋଧ କରାଯାଇଛି। ଏଥିସହିତ ଘରୋଇ ନର୍ସିଂ ଛାତ୍ରୀମାନଙ୍କୁ କାମଚଳା ଭାବେ ଡ୍ୟୁଟିରେ ରଖାଯାଇଥିବା ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍ଗୋ ସୂଚନା ଦେଇଛନ୍ତି।