କରୋନା ଅପେକ୍ଷା ବେଶି ଡରାଉଛି ସୋସିଆଲ ମିଡିଆ: ମାନସିକ ରୋଗ ବିଶେଷଜ୍ଞ

ବେଶି ଚିନ୍ତାଗ୍ରସ୍ତ ହେଲେ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ: ମନସ୍ତତ୍ତ୍ବବିତ୍‌

ଭୁବନେଶ୍ବର : କରୋନା ଏ ପର୍ଯ୍ୟନ୍ତ ଭାରତରେ ୫ ଜଣଙ୍କ ପ୍ରାଣ ନେଇଛି। ମାତ୍ର ଲୋକଙ୍କ ମନରେ ଏଇ କରୋନା ଏମିତି ଭୟ ସଞ୍ଚାର କରିଛି, ଯେମିତି ୫ ହଜାର ଲୋକ ପ୍ରାଣ ହରାଇଲେଣି। ସତର୍କତା ଆପଣାଇବା ନିତାନ୍ତ ଆବଶ୍ୟକ। ମାତ୍ର ଅତି ଭୟଭୀତ ହୋଇ ପଡ଼ିବା ଖରାପ ଲକ୍ଷଣ। ‌ଯେବେ ଦିଲ୍ଲୀରେ କରୋନା ପଜିଟିଭ ରୋଗୀଙ୍କୁ ଚିହ୍ନଟ କରାଗଲା, ସେତେବେଳେ ଓଡ଼ିଶାରୁ ଯଦି କେହି ଦିଲ୍ଲୀରେ ଚାକିରି କରୁଥିଲା, ତାକୁ ପରିବାର ଲୋକେ ଓଡ଼ିଶା ଡକେଇ ଦେଇଥିଲେ। ଏବେ ଭୁବନେଶ୍ବରରେ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ପରିବାର ଲୋକେ ଭୁବନେଶ୍ବରରେ ଚାକିରି କରୁଥିବା କିମ୍ବା ପଢ଼ୁଥିବା ନିଜ ପିଲାମାନଙ୍କୁ ‌ ଗାଁ’କୁ ଡକେଇନେଲେ। ଏମିତିକି ନିକଟରେ ‌ବେଙ୍ଗାଲୁରୁରୁ ଆସିଥିବା ଏକ ପରିବାରକୁ ଗାଁ’ରେ ପୂରାଇ ଦିଆଗଲା ନାହିଁ। ବାସ୍ତବରେ ଲୋକେ ଯେ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଛନ୍ତି, ଏସବୁ ତା’ର ଲକ୍ଷଣ ବୋଲି ମାନସିକ ରୋଗ ବିଶେଷଜ୍ଞ ଓ ମନସ୍ତତ୍ବବିତ୍‌ମାନେ କହିଛନ୍ତି।

ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସୁରଜିତ ସାହୁ କହିଛନ୍ତି, କରୋନା ସଂକ୍ରମଣରୁ ବର୍ତିବା ପାଇଁ ଯାହା ସ‌ଚେତନ କରାଯାଉଛି, ତାହା ହେବା ଉଚିତ। ମାତ୍ର ସୋସିଆଲ ମିଡିଆରେ ଏବେ କରୋନାକୁ ନେଇ ଯିଏ ଯାହା ପାରୁଛି, ମନଇଚ୍ଛା ପ୍ରଚାର କରୁଛି। ବାସ୍ତବରେ ଅଧିକାଂଶ ଲୋକ ସୋସିଆଲ ମିଡିଆରେ କେବଳ ଏବେ ଏଇ ବିଷୟଗୁଡ଼ିକୁ ଅଧିକ ଦେଖୁଛନ୍ତି। ଯାହା ମଣିଷକୁ ମାନସିକସ୍ତରରେ ବେଶି ଦୁର୍ବଳ କରିଦେଉଛି। ଫଳରେ ମଣିଷ ଭିତରେ ‘ଆଙ୍କ୍‌ଜିଟି ସିମ୍ପ୍‌ଟମ୍‌’ ତଥା ଘାବରେଇବାର ଲକ୍ଷଣମାନ ଦେଖାଦେଉଛି। ବେଶିଦିନ ଏପରି ରହିଲେ, ଏହା ‘ପୋଷ୍ଟ ଟ୍ରମାଟିକ ଷ୍ଟ୍ରେସ୍‌ ଡିଜଅର୍ଡର’ର ରୂପ ନେଇପାରେ। ଫଳରେ କରୋନା ହଟିଗଲା ପରେ ମଧ୍ୟ ଲୋକଙ୍କ ମନରେ ଏକ ଅଜଣା ଭୟ ଅନେକ ଦିନ ପର୍ଯ୍ୟନ୍ତ ବସା ବାନ୍ଧିବ। ବାରମ୍ବାର ସେଇ କଥା ମନେ ପଡ଼ିବ। ଏହା ବ୍ୟଗ୍ରତା ବଢ଼ାଇବ।

ଡାକ୍ତର ସାହୁଙ୍କ କହିବା ମୁତାବକ, ଏବେ ସାଧାରଣ ଥଣ୍ଡା, ଛିଙ୍କ କି ଜ୍ବର ହେଲେ ଲୋକେ ଅତ୍ୟଧିକ ଭୟଭୀତ ହୋଇ ପଡ଼ୁଛନ୍ତି। ମାତ୍ର ଜାଣି ରଖିବା ଉଚିତ ଯେ ସବୁ ‘ଫ୍ଲୁ’ କରୋନା ନୁହେଁ। ବର୍ଷକୁ ମଣିଷକୁ ହାରାହାରି ୩ରୁ ୪ଥର ଥଣ୍ଡା ହୁଏ। ମାତ୍ର ଥଣ୍ଡା ହେବା ମାତ୍ରେ ଡରି ନଯାଇ ଟେଷ୍ଟ କରିନେବା ନିତାନ୍ତ ଆବଶ୍ୟକ। ମୋ ମତରେ ଏବେ ସୋସିଆଲ ମିଡିଆର ଇଣ୍ଟରନେଟ୍‌ ବ୍ୟବସ୍ଥାକୁ ମନ୍ଥର କରିଦେବା ଉଚିତ। ଏହା ହୋଇପାରିଲେ ଲୋକମାନେ ଯେପରି ଅତ୍ୟଧିକ ଆତଙ୍କିତ ହୋଇପଡ଼ୁଛନ୍ତି, ତାହା ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଯିବ। ସେ ଏକଥା ମଧ୍ୟ କହିଛନ୍ତି, ଏହା ଏକ ସ୍ଥାୟୀ ସମସ୍ୟା ନୁହେଁ। ତେଣୁ ଏତେ ଚିନ୍ତିତ ନହୋଇ ସରକାରୀସ୍ତରରେ ଯେତିକି ନିର୍ଦ୍ଦେଶ ଦିଆଯାଉଛି, ସେଇ ଅନୁସାରେ ସତର୍କତା ଆପଣାଇ ପାରିଲେ ଜଣେ ଏହାଠୁ ମୁକ୍ତ ରହିପାରିବ। ସେହିଭଳି ଯେଉଁମାନେ ବି ବାହାରୁ ଓଡ଼ିଶାକୁ ଫେରୁଛନ୍ତି, ସେମାନଙ୍କୁ ୧୪ଦିନ ପର୍ଯ୍ୟନ୍ତ କ୍ବାରାଣ୍ଟିନ୍‌ ବା ସଙ୍ଗ‌ରୋଧରେ ୧୪ଦିନ ପର୍ଯ୍ୟନ୍ତ ରଖାଯିବା ନିତାନ୍ତ ଆବଶ୍ୟକ। କ୍ବାରାଣ୍ଟିନ୍‌ରେ ରହିବାର ଅର୍ଥ ନୁହେଁ ଯେ ସେମାନେ ମଧ୍ୟ କରୋନା ଆକ୍ରାନ୍ତ। ‌ତେଣୁ ଏ ଚିନ୍ତାକୁ ପରିହାର କରିବା ଉଚିତ ବୋଲି ସେ କହିଛନ୍ତି। ଡାକ୍ତର ସାହୁ କହିଛନ୍ତି ଯେ ଯେଉଁମାନେ ବି ବାହାରୁ ଆସୁଛନ୍ତି, ପ୍ରତ୍ୟେକଙ୍କୁ ସଙ୍ଗରୋଧ ତଥା କ୍ବାରାଣ୍ଟିନ୍‌ରେ ରଖାଯାଇ ପାରିଥିଲେ ହୁଏତ ଆଜି ଓଡ଼ିଶାରେ ବି କରୋନା ପଜିଟିଭ୍‌ ଦେଖା ଦେଇନଥା’ନ୍ତେ।

ବିଶିଷ୍ଟ ମନସ୍ତତ୍ବବିତ୍‌ ତଥା ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାକ୍ତନ ମନୋବିଜ୍ଞାନ ପ୍ରଫେସର୍‌ ପ୍ରତାପ ରଥଙ୍କ କହିବା ମୁତାବକ, ପ୍ରକୃତି ବିରୋଧରେ ମଣିଷ ଲଢ଼େଇ କରି ଚାଲିଛି। ଏହି ଭାଇରସ୍‌ ଭଳି ମୂଳ ଶତ୍ରୁମାନଙ୍କୁ ଚିହ୍ନଟ ନକରି ଆମେ ପରସ୍ପର ଭିତରେ ଯୁଦ୍ଧରେ ମାତିଥିବା ବେଳେ ଏବେ ସମଗ୍ର ବିଶ୍ବ ଏକାଠି ହୋଇ ଏହି ଭାଇରସ ରୂପୀ ଶତ୍ରୁମାନଙ୍କ ବିରୋଧରେ ଲଢ଼େଇ ଜାରି ରଖିଛି। ମନୋବିଜ୍ଞାନ ଦୃଷ୍ଟିରୁ ଏହା ଏକ ଭଲ ସଙ୍କେତ ବୋଲି ମୁଁ କହିବି। ମାତ୍ର ମଣିଷ ଚିନ୍ତା କରିବା କଥା ଯେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୩ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟୁଛି। ଏହାର ଅର୍ଥ ସଡ଼କକୁ ଓହ୍ଲାଇଲେ ମୃତ୍ୟୁର ଭୟ ରହୁଛି। ଘର ଭିତରେ ବି ପ୍ରତିବର୍ଷ ଦେଢ଼ ଲକ୍ଷ ଲୋକଙ୍କର ଆତ୍ମହତ୍ୟା ଯୋଗୁଁ ପ୍ରାଣହାନି ଘଟୁଛି। ଅର୍ଥାତ ଘର ଭିତରେ ଅଶାନ୍ତି ବି ଜୀବନ ନେଇଯାଉଛି। ଯଦି ଏହି ଅନୁପାତରେ କରୋନାକୁ ଦେଖାଯାଏ, ତେବେ ତାହା ଏ ପର୍ଯ୍ୟନ୍ତ ୫ଟି ଜୀବନ ନେଇଛି। ତଥାପି ଆମେ ଆତଙ୍କିତ କାହିଁକି? ମାନବ ଜାତି ଡରିବା ଏକ ଭଲ ଲକ୍ଷଣ। ନଚେତ ମଣିଷର ବେପରୱା ସ୍ବଭାବ ତା’ର ଜୀବନ ନେଇଯିବ। ମାତ୍ର ଅତ୍ୟଧିକ ଡରିବା ଦ୍ବାରା ଏହା ଆମ ଭିତରେ ରୋଗ ସହ ଲଢ଼ୁଥିବା ‘ଇମ୍ୟୁନ୍‌ ସିଷ୍ଟମ୍‌’କୁ ହ୍ରାସ କରିବ। ମନସ୍ତତ୍ବ ବିଜ୍ଞାନ ଅନୁଯାୟୀ, ‌ଜଣେ ଯେତେ ରୋଗଗ୍ରସ୍ତ ହେଇଥାଉନା କାହିଁକି, ତା’ର ଦୃଢ଼ ଇଚ୍ଛାଶକ୍ତି ବେଳେବେଳେ ମଣିଷର ଇମ୍ୟୁନ୍‌ ସିଷ୍ଟମକୁ ମଜଭୁତ କରି ତାକୁ ବଞ୍ଚାଇଦିଏ। ତେଣୁ ଏ ସମୟରେ ମଣିଷ ମାନସିକସ୍ତରରେ ଯେତେ ସୁସ୍ଥ ଓ ଶାନ୍ତ ରହି ଆବଶ୍ୟକ ସତର୍କତା ଆପଣେଇବ, ତାହା ତା ପାଇଁ ଶ୍ରେୟଷ୍କର ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର