କରୋନା ଭୟ : ବିଦେଶୀଙ୍କୁ ହୋଟେଲରୁ ନ ବାହାରିବାକୁ ନିର୍ଦେଶ

ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିଲେ

ସମ୍ବଲପୁର : ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ସମ୍ବଲପୁର ଆସିଥିବା ୬ ଜଣ ଫ୍ରାନ୍ସ ନାଗରିକ ସମ୍ବଲପୁରର ଏକ ହୋଟେଲରେ ରହିଛନ୍ତି। ତେବେ କରୋନା ଭୟ ଯୋଗୁଁ ୧୪ ଦିନ ଯାଏ ହୋଟେଲରୁ ନ ବାହାରିବକୁ ସେମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହି ରହଣି ସମୟ ମଧ୍ୟରେ କୌଣସି ବାହାର ଲୋକଙ୍କ ସହିତ ନ ମିଶିବାକୁ କୁହାଯାଇଛି।

ସୂଚନା ଅନୁଯାୟୀ, ବୁଧବାର ସମ୍ବଲପୁରରେ ଅନୁଷ୍ଠିତ ହେଉଥିବା ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ବର୍ଷେ ହେଲା ବାଙ୍ଗାଲୋରରେ ରହୁଥିବା ଫ୍ରାନ୍ସର ଏକ ଦମ୍ପତି ଏବଂ ତାଙ୍କ ସହ ଫ୍ରାନ୍ସରେ ରହୁଥିବା ୪ ଜଣ ନାଗରିକ ୯ ତାରିଖରୁ ଏଠାକୁ ଆସିଛନ୍ତି। ସ୍ଥାନୀୟ ଏକ ହୋଟେଲରେ ସେମାନେ ରହିଛନ୍ତି। ୧୦ ତାରିଖରେ ସମ୍ବଲପୁର ସ୍ବାସ୍ଥ୍ୟ ବିଭାଗ ଏ ସମ୍ପର୍କରେ ଅବଗତ ହେବା ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା। ସେମାନଙ୍କଠାରେ କରୋନାର ଲକ୍ଷଣ ନ ଥିବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ନାହିଁ। ତେବେ ବର୍ତ୍ତମାନ କରୋନା ଭୟ ଥିବାରୁ ବିବାହ ଉତ୍ସବ କିମ୍ବା ବାହାରକୁ ନଯାଇ ସେମାନଙ୍କୁ ହୋଟେଲରେ ରହିବାକୁ କୁହାଯାଇଛି। ଏହା ସହିତ ସମ୍ବଲପୁରର କୌଣସି ହୋଟେଲକୁ ବିଦେଶୀ ନାଗରିକ ଆସିଲେ ସେ ସମ୍ପର୍କରେ ପ୍ରଶାସନକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର