କରୋନାର ହଟସ୍ପଟ୍‌ ଗଞ୍ଜାମ ଏବେ ନିୟନ୍ତ୍ରଣରେ, ତଥାପି ଭୟ ଟିଳିନି

୨୪୮ଜଣଙ୍କ ଜୀବନ ଯାଇଛି, ଆଜି ପୁଣି ୬ ପଜିଟିଭ୍‌ ଚିହ୍ନଟ

ବ୍ରହ୍ମପୁର : କରୋନା ହଟ୍‌ସ୍ପଟ କୁହାଯାଉଥିବା ଗଞ୍ଜାମ ଜିଲ୍ଲାର ସ୍ଥିତି କ୍ରମଶଃ ସ୍ବାଭାବିକ ହେବାରେ ଲାଗିଛି ସତ କିନ୍ତୁ ଏବେ ବି ଲୋକଙ୍କ ମନରୁ ଭୟ ସଂପୂର୍ଣ୍ଣ ହଟିନାହିଁ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ (ଗଞ୍ଜାମ ମଡେଲ)କୁ ରାଜ୍ୟ ସରକାର ଅନ୍ୟ ଜିଲ୍ଲାରେ ବି କାର୍ଯ୍ୟକାରୀ କରିବାକୁ ବି ନିର୍ଦ୍ଦେଶ ଦେଇଥିଲେ। କରୋନା ସଂପୂର୍ଣ୍ଣ ହଟିନଥିବା ବେଳେ ଏବେ ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ଲୋକଙ୍କୁ ପୁଣି ପୂର୍ବସ୍ମୃତିକୁ ତାଜା କରିଦେଇଛି। ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ  ନାଗପୁରରେ ଲକ୍‌ଡାଉନ୍ ଫେରିଛି। ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟରୁ ପ୍ରତିଦିନ ଟ୍ରେନ୍ ଚଳାଚଳ ହେଉଥିବା ଏବଂ ଗଞ୍ଜାମ ଜିଲ୍ଲା ଦେଇ ରାଜ୍ୟକୁ ପ୍ରବେଶ କରୁଥିବାରୁ ଏବେ ଲୋକଙ୍କ ମନରେ ପୁଣି ଭୟ ଘାରିଛି। ଦୀର୍ଘ ଦିନ ଧରି କରୋନା ରିପୋର୍ଟ ଶୂନ୍ୟ ରହୁଥିବା ବେଳେ ଆଜି ଜିଲ୍ଲାରେ ୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ନିୟନ୍ତ୍ରଣରେ ରହିଛି ସତ କିନ୍ତୁ ସଂପୂର୍ଣ୍ଣ ମୁକ୍ତ ହୋଇନାହିଁ। ରାଜ୍ୟ ସରକାର ଏବେ ଟିକାକରଣ ଉପରେ ଗୁରୁତ୍ବ ଦେଉଥିବା ବେଳେ ବେଳ ଥାଉଥାଉ ଏଦିଗରେ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ବି ମତପ୍ରକାଶ ପାଇଛି।

Free Press Journal

ଗଞ୍ଜାମ ଜିଲ୍ଲାର ପ୍ରାୟ ୬ ଲକ୍ଷରୁ ଅଧିକ ଶ୍ରମିକ ବିଭିନ୍ନ ରାଜ୍ୟ ଯଥା ଗୁଜରାତ, ମହାରାଷ୍ଟ୍ର, ତାମିଲନାଡ଼ୁ, କେରଳ ଆଦି ରାଜ୍ୟରେ କାମ କରୁଥିଲେ। କରୋନା ଜନିତ ଲକ୍‌ଡାଉନ୍‌ ଯୋଗୁଁ ଜୀବିକା ହରାଇବା ଫଳରେ ସେମାନେ ନିଜ ନିଜ ଭିଟାମାଟିକୁ ଫେରିଥିଲେ। ଏପ୍ରିଲ ୨୮ ତାରିଖରେ ସୁରତରୁ ୨୨୨ଜଣ ପ୍ରବାସୀ ୪ଟି ବସ୍‌ ଯୋଗେ ଜିଲ୍ଲାକୁ ଆସିଥିଲେ। ମେ ୫ତାରିଖରୁ ସ୍ବତନ୍ତ୍ର ଟ୍ରେନ୍‌ରେ ପ୍ରବାସୀ ଜିଲ୍ଲାକୁ ଫେରିଥିଲେ। ସୂଚନା ଅନୁଯାୟୀ ପ୍ରାୟ ୨ଶହ ସ୍ବତନ୍ତ୍ର ଟ୍ରେନ ଓ ୩ହଜାରରୁ ଊର୍ଦ୍ଧ୍ବ ବସ୍‌  ଯୋଗେ ଜିଲ୍ଲାକୁ ପ୍ରାୟ ୪ ଲକ୍ଷ ପ୍ରବାସୀ ଫେରିଥିଲେ।  ରାଜ୍ୟକୁ ଫେରିଥିବା ସମୁଦାୟ ପ୍ରବାସୀଙ୍କ ମଧ୍ୟରୁ ୬୦ ପ୍ରତିଶତ ଗଞ୍ଜାମ ଜିଲ୍ଲାକୁ ଫେରିଥିଲେ। ଗୋଟିଏ ଦିନରେ ୧୬ଟି ଟ୍ରେନ୍‌ରେ ୧୭ହଜାର ପ୍ରବାସୀ ଫେରିଥିବା ବି ରେକର୍ଡ ରହିଛି। ପ୍ରବାସୀ ଫେରିବା ପରେ ମେ ମାସ ୨ ତାରିଖ ଦିନ ଜିଲ୍ଲାରେ କରୋନା ପାଦ ଥାପିଥିଲା। ପ୍ରଥମ ଦିନରେ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ମେ ୭ତାରିଖ ସୁଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୯ରେ ପହଞ୍ଚିଥିଲା। ଜୁନ୍‌ ୨୨ ସୁଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାରରେ ପହଞ୍ଚିଥିଲା। ଏହି ସଂଖ୍ୟା କ୍ରମଶଃ ବଢ଼ିବଢ଼ି ଜୁଲାଇ ମାସ ଶେଷ ସୁଦ୍ଧା ୧୦ ହଜାର ପାର ହୋଇଥିଲା। ଅଗଷ୍ଟରେ ଜିଲ୍ଲାର ସମୁଦାୟ ପଜିଟିଭ୍‌ ସ˚ଖ୍ୟା ୧୭,୪୫୬ରେ ପହଞ୍ଚିଥିଲା। ଏହି ସମୟରେ ସମଗ୍ର ରାଜ୍ୟରେ ଗଞ୍ଜାମ କରୋନା ସଂକ୍ରମଣରେ ପ୍ରଥମ ସ୍ଥାନରେ ରହିଥିଲା। ଜୁଲାଇ ୧ ତାରିଖରେ ଜିଲ୍ଲାରେ ଶେଷ ଥର ଲାଗି  ସଂକ୍ରମିତଙ୍କ ସଂଖ୍ୟା ୯୯ ରହିଥିବା ବେଳେ ତା’ପର ଠାରୁ ସଂକ୍ରମିତଙ୍କ ସଂଖ୍ୟା କେବେ ବି ଶହେ ତଳକୁ ଖସି ନ ଥିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ ଦିନେ ଦିନେ ଏହି ସଂଖ୍ୟା ଉପରମୁହାଁ ହୋଇ ଦୁଇ ଶହ ବି ପାର ହୋଇଯାଉଥିଲା।

ରିପୋର୍ଟ ଅନୁଯାୟୀ ଜୁଲାଇ ୨୨ରେ ୫୪୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୩ରେ ସର୍ବାଧିକ ୭୩୨ ଏବ˚ ୨୪ରେ ୫୬୦ ଚିହ୍ନଟ ହୋଇଥିଲା।  ଜୁନ୍‌ ଠାରୁ ଅଗଷ୍ଟ ମଧ୍ୟଭାଗ ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରତିଦିନ ହାରାହାରି ୭ଜଣ କୋଭିଡରେ ପ୍ରାଣ ହରାଉଥିଲେ। ସରକାରୀ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୪୮ ଜଣ କୋଭିଡ଼୍‌ରେ ଓ ୧୦ ଜଣଙ୍କ ଅଣ କୋଭିଡ଼ରେ ମୃତ୍ୟୁ ହୋଇଛି। ମୃତକଙ୍କ ତାଲିକାରେ ୪୧ ଜଣ କୋଭିନ ଯୋଦ୍ଧା ବି ରହିଛନ୍ତି। ଜିଲ୍ଲାରେ ସ୍ଥିତି ଅଣାୟତ୍ତ ହେବା ପରେ ୩-ଟି(ଟେଷ୍ଟ-ଟ୍ରେସ୍‌-ଟ୍ରିଟମେଣ୍ଟ) ଅସ୍ତ୍ରକୁ ଆପଣାଇଥିଲା ଜିଲ୍ଲା ପ୍ରଶାସନ। ପ୍ରଥମ ପଦକ୍ଷେପ ସ୍ବରୁପ  ସମୁହ ସ୍ବାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ୨ଶହ ଡାକ୍ତର ଟିମ୍‌ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ନୂଆ ସ˚କ୍ରମିତଙ୍କୁ ଚିହ୍ନଟ କରିଥିଲେ। ଜିଲ୍ଲାରେ ୬ ଥର ସମୁହ ସ୍ବାସ୍ଥ୍ୟ ଯାଞ୍ଚ ହୋଇଥିଲା। ଲୋକଙ୍କ ଅକ୍ସିଜେନ ସ୍ତର ଯାଞ୍ଚ କରାଯାଇଥିଲା।  ଗୃହ ସଙ୍ଗରୋଧରେ ଥିବା ସ˚କ୍ରମିତଙ୍କୁ କଲ ସେଣ୍ଟର ଓ ଜୁମ୍‌ ଆପ୍‌ ମାଧ୍ୟମରେ ତଦାରଖ କରାଯାଇଥିଲା। କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା। କ‌ୋଭିଡ଼୍‌ ପରୀକ୍ଷାକୁ ଯଥେଷ୍ଟ ବୃଦ୍ଧି କରାଯାଇଥିଲା।  ଜୁନ୍‌ ମାସରେ ୪୭୪୦, ଜୁଲାଇରେ ୨୩ହଜାର ୮୩ ଏବଂ ଅଗଷ୍ଟ ମାସରେ ଜିଲ୍ଲାରେ ୨ଲକ୍ଷ ୧୪ହଜାର କୋଭିଡ଼୍‌ ଟେଷ୍ଟ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ପ୍ରାୟ ୮ଲକ୍ଷ ଲୋକଙ୍କ କୋଭିଡ଼୍‌ ପରୀକ୍ଷା ହୋଇ ସାରିଲାଣି। କୋରନା ରୋଗୀଙ୍କ ପାଇଁ  ଜିଲ୍ଲାରେ ପ୍ରାଥମିକ ପର୍ଯ୍ୟାୟରେ ଶିତଳାପଲ୍ଲୀ ଠାରେ ଟାଟା କୋଭିଡ଼୍-୧୯ ହସ୍ପିଟାଲ କରାଯାଇଥିଲା। ପରବର୍ତ୍ତୀ ସମୟରେ ଆଉ ଦୁଇ କୋଭିଡ଼୍ ହସ୍ପିଟାଲ ପ୍ରତିଷ୍ଠା ସହ ଜିଲ୍ଲାରେ ସ୍ବାସ୍ଥ୍ୟ ଭତ୍ତିଭୂମିକୁ ସୁଦୃଢ କରି ଚିକିତ୍ସା ସେବାକୁ ଗୁରୁତ୍ବ ଦିଆଗଲା। ଏଥିସହ ଜୁଲାଇ ୨୧ରୁ ଜିଲ୍ଲାରେ ପ୍ଲାଜ୍‌ମା ଥେରାପି ଚିକିତ୍ସା ଆରମ୍ଭ କରାଗଲା। ସାମୂହିକ ଉଦ୍ୟମ ସହ କଟକଣା ଫଳରେ ସୁସ୍ଥ ହାର ବଢ଼ିବା ସହ ସଂକ୍ରମଣ ହ୍ରାସ ପାଇଥିଲା। ସେଦିନର ଗଞ୍ଜାମ ଜିଲ୍ଲାର କରୋନା ଚିତ୍ର ଆଜି ବି ଲୋକଙ୍କ ମନରୁ ଲିଭିନାହିଁ।  ରିପୋର୍ଟ ଅନୁଯାୟୀ ଆଜି ସୁଦ୍ଧା ଜିଲ୍ଲାରେ ୨୧ହଜାର ୯୧୦ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୧ହଜାର ୬୪୦ଜଣ ସୁସ୍ଥ ହୋଇଛନ୍ତି।

୧୭ ସହରାଞ୍ଚଳରେ ୬୮୭୫ଜଣ ପ୍ରବାସୀଙ୍କ ପାଇଁ ସଙ୍ଗରୋଧ ପ୍ରୋତ୍ସାହନ
ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ୨୮ଦିନ ସଙ୍ଗରୋଧ ଠିକ୍‌ ଭାବେ ପାଳନ କଲେ ୨ହଜାର ଟଙ୍କା ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମକୁ ବାଦ୍‌ ଦେଇ ୧୭ଟି ସହରାଞ୍ଚଳରେ ୬୮୭୫ଜଣ ପ୍ରବାସୀ ସଙ୍ଗରୋଧରେ ରହି ୨ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପାଇଥିବା ଜଣାପଡ଼ିଛି। ଗତ ସେପ୍ଟେମ୍ବର ମାସ ସୁଦ୍ଧା ଏହି ବାବଦକୁ ୧କୋଟି ୩୮ଲକ୍ଷ ୫୦ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି। ଜିଲ୍ଲାର ପୋଲସରା ଏନ୍‌ଏସିରେ ସର୍ବାଧିକ ୧୫୩୧ଜଣ ପ୍ରାବସୀ ସଙ୍ଗରୋଧ ନିୟମ ପାଳନ କରି ୨ହଜାର ଟଙ୍କା ଲେଖାଏଁ ପାଇଥିବା ଜଣାପଡ଼ିଛି। ସେହିପରି କୋଦଳାରେ ୧୦୬୪ଜଣ , ଆସିକାରେ ୩୧୧ଜଣ, ବେଲଗୁଣ୍ଠାରେ ୪୦୩ଜଣ, ଭଞ୍ଜନଗରରେ ୧୬୩ଜଣ, ବୁଗୁଡ଼ାରେ ୩୫୨, ଛତ୍ରପୁରରେ ୭୦ଜଣ, ଚିକିଟି ଏନ୍‌ଏସିରେ ୧୪୭ଜଣ, ଦିଗପହଣ୍ଡିରେ୧୮୭, ଗଞ୍ଜାମରେ ୮୬, ଗୋପାଳପୁରରେ ୧୪୯, ହିଞ୍ଜଳିକାଟୁରେ ୫୨୭, କବିସୂର୍ଯ୍ୟନଗରରେ ୮୩୦ଜଣ, ଖଲ୍ଲିକୋଟରେ ୪୩୧, ପୁରୁଷୋତ୍ତମପୁରରେ ୨୧୧, ରମ୍ଭାରେ ୨୫୬ ଏବଂ ସୋରଡ଼ା ଏନ୍‌ଏସିର ୨୯୯ଜଣ ପ୍ରବାସୀ ୨ହଜାର ଲେଖାଏଁ ପ୍ରୋତ୍ସାହନ ରାଶି ପାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର