କରୋନା ରୋଗୀଙ୍କ ସେବିକା ଅର୍ଚ୍ଚନା: ୧୫ ଦିନରେ ଚିକିତ୍ସା କଲେଣି ୧୬୦ ରୋଗୀ

କୋଭିଡ ହସ୍ପିଟାଲରେ ସମ୍ଭାଳିଛନ୍ତି ଆଇସିୟୁ କକ୍ଷ

ରାଉରକେଲା : ମହାମାରୀ କରୋନା ସଂକ୍ରମଣ ଭୟ ଦୂରେଇ ଦେଇଛି ସମ୍ପର୍କ। ରକ୍ତ ସମ୍ପର୍କ ଭାଇ,ବନ୍ଧୁ ପରିଜନ ବି ପାଖ ପଶୁ ନାହାନ୍ତି। ଯେମିତି ହଜିଯାଇଛନ୍ତି ମାନବିକତା ଓ ମଣିଷପଣିଆ। ସଂକ୍ରମଣର ଭୟ ଥିବା ସତ୍ବେ ଜୀବନକୁ ବାଜି ଲଗାଇ ଦିନ ରାତି କରୋନା ରୋଗୀଙ୍କ ସେବାରେ ନିଜକୁ ସମର୍ପିତ କରି ଦେଇଛନ୍ତି ସ୍ବାସ୍ଥ୍ୟକର୍ମୀ। ନିଜ ଓ ପରିବାର କଥା ପଛେ, ହସ୍ପିଟାଲ ବେଡ଼୍‌ରେ ମୃତ୍ୟୁ ସହ ସଂଘର୍ଷ କରୁଥିବା କରୋନା ରୋଗୀଙ୍କ ଜୀବନ ଆଗ, ଏମିତି ମାନସିକତା ନେଇ ଦିନ ରାତି ରୋଗୀଙ୍କ ସେବାରେ ଲାଗିଛନ୍ତି ଏମାନେ। ସେମିତି ଜଣେ ସେବିକା ହେଲେ ହାଇଟେକ୍ କୋଭିଡ୍ ହସ୍ପିଟାଲ ଆଇସିୟୁର ପ୍ରମୁଖ ଦାୟିତ୍ବ ସମ୍ଭାଳିଥିବା ଅର୍ଚ୍ଚନା ମଲ୍ଲିକ।

ଘର ଜଗତସିଂହପୁର ରାଇବରାଇର। ଗତ ଏକ ବର୍ଷ ଧରି କରୋନା ରୋଗୀ ସେବା କରୁଛନ୍ତି। ଦୈନିକ ୨୪ ଘଣ୍ଟାରୁ ୨୦ ଘଣ୍ଟା ରୋଗୀଙ୍କ ସେବା ଲାଗିଛନ୍ତି ସେ। ସଂକ୍ରମଣକୁ ଖାତିର ନ କରି ପିପିଇ କିଟ୍ ପିନ୍ଧି, ମୁହଁରେ ମାକ୍ସ ବାନ୍ଧି ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଇସିୟୁର ଗୋଟିଏ ବେଡ୍ରୁ ଆଉ ଗୋଟିଏ ବେଡରେ ପଡିଥିବା ରୋଗୀଙ୍କ ଚିକିତ୍ସା କରୁଛନ୍ତି। କେବଳ ଆଇସିୟୁ ନୁହେଁ ଜେନେରାଲ ବେଡ୍, କ୍ୟାବିନରେ ରୋଗୀଙ୍କ ସେବା କରୁଛନ୍ତି। ମାନସିକ ଭାବେ ଭାଙ୍ଗି ପଡିଥିବା ରୋଗୀଙ୍କ ମୁହଁରେ ହସ ଫୁଟାଉଛନ୍ତି। ଗତ ୧୫ ଦିନ ମଧ୍ୟରେ ଆଇସିୟୁରେ ଭର୍ତ୍ତି ହୋଇଥିବା ୧୬୦ରୁ ଅଧିକ ରୋଗୀଙ୍କୁ ଚିକିତ୍ସା ସାରିଛନ୍ତି। ଚିକିତ୍ସା ସେବା ଭିତରେ ଜଣେ ହେଲେ ରୋଗୀ ସମ୍ପର୍କୀୟଙ୍କ ଫୋନ୍ କଲ୍ କାଟନ୍ତି ନି। ଯିଏ ଯେତେବେଳେ କଲ୍ କରନ୍ତି ଅର୍ଚ୍ଚନା ଫୋନ୍ ଉଠାନ୍ତି। ରୋଗୀଙ୍କ ଭଲ ମନ୍ଦ ସଂକ୍ରାନ୍ତରେ ପରିବାର ଲୋକଙ୍କୁ କହନ୍ତି। ସାନ୍ତ୍ବନା ସହ ଧର୍ଯ୍ୟ ହରା ନ ହେବାକୁ ପରାମର୍ଶ ଦିଅନ୍ତି। ଏମିତି ରୋଗୀ ସେବାରେ ନିୟୋଜିତ ହୋଇଥାନ୍ତି ଯେ, ରାତିରେ ମାତ୍ର ୩ରୁ ୪ ଘଣ୍ଟା ଶୋଇବାକୁ ସମୟ ପାଆନ୍ତି।

ଆଇସିୟୁ କକ୍ଷ ପାର୍ଶ୍ବରେ କ୍ୟାବିନ୍ ତାଙ୍କ ଘର। ସେଇଠି ଖାଇବା, ଶୋଇବା ସହ ବିଶ୍ରାମ ନିଅନ୍ତି। ତାଙ୍କୁ ରୋଗୀ ସେବାରେ ସହାୟତା କରନ୍ତି ଦୁଇ ସାଙ୍ଗ ରାଜୁ ପଟ୍ଟନାୟକ ଓ ମନୋରମା ଜେନା। ଗତ ୨୦୨୦ ଏପ୍ରିଲ ମାସରୁ ଆଜି ପର୍ଯ୍ୟନ୍ତ ହାଇଟେକ୍ କୋଭିଡ ହସ୍ପିଟାଲର ଆଇସିୟୁର କକ୍ଷର ଚିକିତ୍ସା ଭାର ସମ୍ଭାଳିଥିବା ଅର୍ଚ୍ଚନାଙ୍କ ମା’ ଜଣେ ଗୃହରକ୍ଷୀ। ଏଥିପାଇଁ ତାଙ୍କ ମା’ ବାପା ତାଙ୍କୁ ଏଭଳି ମହତ କାର୍ଯ୍ୟରୁ ବିରତ ରହିବାକୁ ବାରଣ କରିନାହାନ୍ତି ବୋଲି କହିଛନ୍ତି ଅର୍ଚ୍ଚନା କରିଛନ୍ତି। ସେ କହିଛନ୍ତି, ଆଜି ପର୍ଯ୍ୟନ୍ତ ଆଇସିୟୁ ବେଡରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କରି ଆସୁଛନ୍ତି। ଭଗବାନଙ୍କ ଦୟାରୁ ମୋତେ କରୋନା ଆକ୍ରାନ୍ତ ହୋଇ ନାହିଁ କି କୌଣସି ଲକ୍ଷଣ ଅନୁଭବ କରି ନାହିଁ। ଅନେକ ରୋଗୀଙ୍କୁ ମରଣ ମୁହଁରୁ ବଞ୍ଚାଇଛି। ଅନେକଙ୍କ ପାଖରେ ହାରି ଯାଇଛି। ମୃତକଙ୍କ ଶବ ନେବାକୁ ଆସୁଥିବା ସମ୍ପର୍କୀୟ କାନ୍ଦି କାନ୍ଦି ଫେରନ୍ତି ବହୁତ ଦୁଃଖ ଲାଗେ। ନିଜ ଆଖିରୁ ଲୁହ ସମ୍ଭାଳି ପାରେନି। ତଥାପି ଧୈର୍ଯ୍ୟହରା ହୋଇ ନାହିଁ। କୋହ ସମ୍ଭାଳି ପୁଣି ନିଜ କାମରେ ଲାଗିପଡେ।

ଗତ ଚାରି ଦିନ ଏଭଳି ଘଟଣା ଘଟିଥିଲା। ଯାହା ସବୁଦିନ ମନେ ରହିବ। ଆଇସିୟୁ ଦୁଇଟି ପାଖ ପାଖ ବେଡରେ ୮୨ ବର୍ଷର ବୃଦ୍ଧ, ୩୨ ବର୍ଷର ଯୁବକ ଚିକିତ୍ସିତ ହେଉଥିଲେ। ୮୨ ବର୍ଷର ବୃଦ୍ଧ କରୋନା ଯୁଦ୍ଧରେ ବିଜୟୀ ହୋଇ ପରିବାର ସହ ଖୁସିରେ ଘରକୁ ଫେରିଥିଲେ। ତାଙ୍କ ପାଖ ବେଡରେ ୩୨ ବର୍ଷ ଯୁବକ କରୋନା ଯୁଦ୍ଧରେ ହାରି ଯାଇଥିଲେ। ବୃଦ୍ଧଙ୍କ ପୁଅ ଓ ପରିବାର ଦିଦି ବହୁତ ବହୁତ ଧନ୍ୟବାଦ କହୁଥିବାବେଳେ, ମୃତ୍ୟୁ ବରଣ କରିଥିବା ୩୨ ବର୍ଷର ଯୁବକ ପତ୍ନୀ ଦିଦି, ମୋ ସ୍ବାମୀଙ୍କ ଫେରାଇ ଦିଅ ବୋଲି ଭୋ ଭୋ ହୋଇ କାନ୍ଦୁଥିଲେ। ଏଭଳି ଦୁଃଖଦ ଘଟଣା ମୋତେ ବହୁତ କଷ୍ଟ ଦେଇଥିଲା ବୋଲି କହିଛନ୍ତି ଅର୍ଚ୍ଚନା ।

ସମ୍ବନ୍ଧିତ ଖବର