ଭିମ୍‌ସାର୍‌ରେ କରୋନା ଆକ୍ରାନ୍ତ ମୃତ!

ମହାରାଷ୍ଟ୍ରରୁ ପଶ୍ଚିମବଙ୍ଗ ଯାଉଥିଲେ, ଅସୁସ୍ଥ ହେବାରୁ ବୁର୍ଲାରେ ଭର୍ତ୍ତି ହୋଇଥିଲେ

ସମ୍ବଲପୁର : ଭିମ୍‌ସାର୍‌ରେ ପ୍ରଥମ କରୋନା ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଜଣେ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାର ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ମୃତ ଦେହରୁ ସଂଗୃହୀତ ସ୍ବାବ୍‌ ନମୁନା ପଜିଟିଭ୍ ଆସିଥିବା ଜଣା ପଡ଼ିଛି। ‌ତେବେ ଏହା କରୋନା ଜନିତ ମୃତ୍ୟୁ ବୋଲି ଏଯାଏ ରାଜ୍ୟ ସରକାର ସ୍ପଷ୍ଟ କରିନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ କେବଳ ମୃତକ ନୁହନ୍ତି; ତାଙ୍କ ସହିତ ଉକ୍ତ କାର୍‌ରେ ଯାଉଥିବା ଆଉ ୩ ଜଣ ବ୍ୟକ୍ତିଙ୍କ ନମୁନା ମଧ୍ୟ ପଜିଟିଭ୍‌ ଆସିଛି। କିନ୍ତୁ କାର୍‌ର ସମ୍ମୁଖ ପାର୍ଶ୍ବରେ ବସିଥିବା ୨ ଜଣ ଡ୍ରାଇଭର୍‌ଙ୍କ ନମୁନା ନେଗେଟିଭ୍‌ ଆସିଛି। ଶନିବାର ଗୋଟିଏ ଦିନରେ ଭିମସାର୍‌ର ପରୀକ୍ଷାଗାରରେ ସଂପୃକ୍ତ ୪ ଜଣଙ୍କୁ ମିଶା‌ଇ ୬ଟି ନମୁନା ପଜିଟିଭ୍‌ ଆସିଥିଲା। ତନ୍ମଧ୍ୟରୁ ରବିବାର କେବଳ ଗୋଟିଏ ସରକାରୀଭାବେ ଘୋଷଣା କରାଯାଇଛି। ଉକ୍ତ ଅହମ୍ମଦାବାଦ ଫେରନ୍ତା ୨୨ ବର୍ଷୀୟ ଯୁବକ ଜଣକ ରେଢ଼ାଖୋଲ ବ୍ଲକ୍ ଲୁହାପଙ୍କସ୍ଥିତ ସରକାରୀ ସଂଗରୋଧ କେନ୍ଦ୍ରରେ ଥିଲେ। ଉକ୍ତ କେନ୍ଦ୍ରରୁ ସମ୍ବଲପୁର ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ଆଜି ଘୋଷଣା ହୋଇଥିବା ୯ମ ଆକ୍ରାନ୍ତ ମଧ୍ୟ ସେହି କେନ୍ଦ୍ରରେ ଥିବା ଜଣାପଡ଼ିଛି। ତାଙ୍କୁ ତାଲଚେରସ୍ଥିତ କୋଭିଡ୍ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତେବେ ଅନ୍ୟ ଜଣେ ଆକ୍ରାନ୍ତ ଜିଲ୍ଲାର କୌଣସି ଏକ ସଂଗରୋଧ କେନ୍ଦ୍ରର ହୋଇଥିଲାବେଳେ ତାଙ୍କ ସଂପର୍କରେ ସବିଶେଷ ବିବରଣୀ ମିଳିପାରି ନାହିଁ।

ରାଜଘାଟ ବିଦ୍ୟୁତ୍‌ ଚୁଲାରେ ହେଲା ଦାହ ସଂସ୍କାର
ମହାରାଷ୍ଟ୍ରରୁ କୋଲକାତା ଯାଉଥିବା ଓ ଭିମସାର୍‌ରେ ମୃତ୍ୟୁ ହୋଇଥିବା ୩୨ ବର୍ଷୀୟ ଯୁବକଙ୍କ ଶବକୁ ରବିବାର ଦିନ ୧ଟା ୩୦ରେ ସ୍ଥାନୀୟ ରାଜଘାଟଠାରେ ବିଦ୍ୟୁତ୍‌ ଚୁଲାରେ ଦାହ କରାଯାଇଛି। ସ୍ଥାନୀୟ ପ୍ରଶାସନ ଓ ସମ୍ବଲପୁର କୋଭିଡ୍ ହସ୍‌ପିଟାଲ୍ କର୍ମଚାରୀମାନେ ତାଙ୍କର ଦାହ ସଂସ୍କାର କରିଥିଲେ। ଦାହ ବେଳେ କର୍ମଚାରୀମାନେ ପିପିଇ ପିନ୍ଧି ସଂପୂର୍ଣ୍ଣ ନିରାପତ୍ତା ବ୍ୟବସ୍ଥା ଅପଣାଇଥିଲେ। ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲ୍ଲା ନିବାସୀ ଉକ୍ତ ମୃତକଙ୍କ କୌଣସି ସଂପର୍କୀୟ ପହଞ୍ଚିପାରି ନଥିଲାବେଳେ ସେମାନଙ୍କ ସହ ଫୋନ୍‌ରେ ଯୋଗାଯୋଗ କରି ଅନୁମତି ନିଆ ଯାଇଥିଲା। ଉକ୍ତ ବ୍ୟକ୍ତିଙ୍କ ସହ ଥିବା ଅନ୍ୟ ତିନି କରୋନା ଆକ୍ରାନ୍ତ ସହଯାତ୍ରୀଙ୍କୁ କୋଭିଡ୍ ହସ୍‌ପିଟାଲ୍‌କୁ ପଠାଇ ଦିଆ ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର