ଆକ୍ରାନ୍ତ ସଂଖ୍ୟା ୧୭ ହଜାର ଟପିଲା, ପୁଣି ୫ ମୁଣ୍ଡ ଗଡ଼ାଇଲା କରୋନା

ଦିନକରେ ୭୩୬ ଜଣ ଆକ୍ରାନ୍ତ, ୫୧୫ ସୁସ୍ଥ

ଭୁବନେଶ୍ୱର : ଓଡ଼ିଶାରେ କରୋନା ବେଲଗାମ ଭାବେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ଭିତରେ ୭୩୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଟପିଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିଲା ବେଳେ ୨୫୫ ଲୋକାଲ୍‌ କେସ୍‌ ରହିଛି। ଏହାସହିତ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୪୩୭ ହୋଇଛି। ଗତ ୨୪ ଘଣ୍ଟାରେ ୫୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲା ବେଳେ ମୋଟ୍‌ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୨ ହଜାର ୪୫୨ରେ ପହଞ୍ଚିଛି।

ପ୍ରତି ଦିନ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା ସବୁଠାରୁ ଚିନ୍ତାଜନକ ‌ବିଷୟ ହୋଇଛି। ସବୁଦିନେ କରୋନାରେ ମୁଣ୍ଡ ଗଡ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ୫ ଜଣଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ସୁନ୍ଦରଗଡ଼ ଓ ଜଗତସିଂହପୁରରୁ ଜଣେ ଲେଖାଏ ଅଛନ୍ତି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୧ରେ ପହଞ୍ଚିଛି। ଏହା ମଧ୍ୟକୁ କେବଳ ଗଞ୍ଜାମ ଜିଲ୍ଲାରେ ୫୪ ଜଣ ଅଛନ୍ତି।

ଲଗାତର ଭାବେ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୨୪୭ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ବାଦ୍ କୋରାପୁଟରୁ ୪୫, ଯାଜପୁର ଓ ଜଗତସିଂହପୁରରୁ ୪୦ ଲେଖାଏ, ଗଜପତିରୁ ୩୯, ବାଲେଶ୍ବରରୁ ୩୩, କଟକରୁ ୨୭, ସମ୍ବଲପୁରରୁ ୨୫, ଅନୁଗୁଳରୁ ୨୨, ମାଲକାନଗିରିରୁ ୧୮, ସୁନ୍ଦରଗଡ଼ରୁ ୧୭, ପୁରୀରୁ ୧୪, ମୟୂରଭଞ୍ଜରୁ ୧୨, ନୟାଗଡରୁ ୧୦, ବୌଦ୍ଧ ଓ ରାୟଗଡ଼ାରୁ ୮ ଲେଖାଏଁ, କେନ୍ଦ୍ରାପଡ଼ାରୁ ୭, ଭଦ୍ରକରୁ ୫, ବଲାଙ୍ଗୀରରୁ ୪, ବରଗଡ଼ରୁ ୩, କଳାହାଣ୍ଡିରୁ ୨, ଢେଙ୍କାନାଳ, କେନ୍ଦୁଝର ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ସୁସ୍ଥ ହୋଇଥିବା ୫୧୫ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ଅଛନ୍ତି। ଏହି ଜିଲ୍ଲାରୁ ୧୯୯ ଜଣ ସୁସ୍ଥ ହୋଇଥିଲା ବେଳେ ଖୋର୍ଦ୍ଧାରୁ ଦ୍ବିତୀୟ ସର୍ବାଧିକ ୮୦ ଜଣ ସୁସ୍ଥ ହୋଇଛନ୍ତି। ଏହା ବାଦ୍ ଯାଜପୁରରୁ ୪୦, ସୁନ୍ଦରଗଡ଼ରୁ ୩୭, କଟକରୁ ୨୮, କେନ୍ଦୁଝରରୁ ୨୦, ଜଗତସିଂହପୁରରୁ ୧୮, ବାଲେଶ୍ବରରୁ ୧୫, ବରଗଡ଼ ଓ ଝାରସୁଗୁଡ଼ାରୁ ୧୩ ଲେଖାଏଁ, ରାୟଗଡ଼ା ଓ ମୟୂରଭଞ୍ଜରୁ ୯ ଲେଖାଏଁ, ବଲାଙ୍ଗୀରରୁ ୮, ଭଦ୍ରକରୁ ୭, ଗଜପତି ଓ ପୁରୀରୁ ୬ ଲେଖାଏଁ, କୋରାପୁଟରୁ ୫, ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଗତକାଲି ମଧ୍ୟ ରାତ୍ରି ସୁଦ୍ଧା ଓଡ଼ିଶାରେ ୩ ଲକ୍ଷ ୮୬ ହଜାର୧୦୨ଟି କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୭ ହଜାର ୪୩୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ୧୨ ହଜାର ୪୫୨ ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ୮୬୬ ରହିଛି।

ସମ୍ବନ୍ଧିତ ଖବର