କନ୍ଧମାଳକୁ ଫେରିଲା କରୋନା, ଚକାପାଦ ବ୍ଲକ୍‌ରେ ଜଣେ ପଜିଟିଭ୍‌

 

ଫୁଲବାଣୀ : କରୋନାର ଦ୍ବିତୀୟ ଲହର ସମଗ୍ର ଓଡ଼ିଶାରେ ବ୍ୟାପୁଥିବା ବେଳେ ଗୁରୁବାର କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ୍‌ ବ୍ରାହ୍ମଣପାଦ ପଞ୍ଚାୟତର ତୋଟାଗୁଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। କୋଭିଡ୍‌ର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଥିବାରୁ ତୋଟାଗୁଡ଼ା ଗ୍ରାମକୁ ସମ୍ପୂର୍ଣ୍ଣ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଜିଲ୍ଲା ପ୍ରଶାସନ ଘୋଷଣା କରିଛି। ଏ ନେଇ ଜିଲ୍ଲାପାଳ ଡ. ବୃନ୍ଦା ଡି. ଏକ ନିର୍ଦ୍ଦେଶନାମା (ନଂ ୩୩୧/୨୫.୦୩.୨୧) ଜାରି କରିଛନ୍ତି। କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା ହେବା ପରେ ଏହି ଗାଁକୁ ବାହାର ଲୋକଙ୍କୁ ପ୍ରବେଶ ଏବଂ ଗାଁର ଲୋକଙ୍କୁ ବାହାରକୁ ଛାଡ଼ିବା ଉପରେ କଟକଣା ଲଗାଯାଇଛି। ତୋଟାଗୁଡ଼ା ଗ୍ରାମର ପ୍ରବେଶ ଓ ପ୍ରସ୍ଥାନ ପଥରେ ଏକ ଅସ୍ଥାୟୀ ଚେକ୍‌ପୋଷ୍ଟ ନିର୍ମାଣ କରିବାକୁ ଚକାପାଦ ଥାନାଧିକାରୀଙ୍କୁ କୁହାଯାଇଛି। ପୁଲିସ ନିୟମିତ ଭାବେ ତୋଟାଗୁଡ଼ା ଗ୍ରାମରେ ଉପସ୍ଥିତ ରହି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲାପାଳ ନ‌ିର୍ଦ୍ଦେଶ ଦେଇଛନ୍ତି। ଏହି ଚେକ୍‌ପୋଷ୍ଟ ପାଇଁ ଉପଯୁକ୍ତ ମାନବସମ୍ବଳ ଯୋଗାଇ ଦେବାକୁ ଜିଲ୍ଲାପାଳ କନ୍ଧମାଳ ଏସ୍‌ପିଙ୍କୁ ଅନୁରୋଧ କରିଛନ୍ତି।
ତୋଟାଗୁଡ଼ା କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଦାୟିତ୍ବରେ ଚକାପାଦ ତହସିଲ୍‌ଦାର ମଧୁସ୍ମିତା ନାୟକଙ୍କୁ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ କରାଯାଇଛି। ତୋଟାଗୁଡ଼ା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିବପ୍ରସାଦ ସାହୁଙ୍କୁ କଣ୍ଟେନ୍‌ମେଣ୍ଟ୍‌ ଜୋନର ନୋଡ଼ାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ନୋନାଲ ଅଫିସର ଗ୍ରାମବାସୀଙ୍କ ମଧ୍ୟରେ କୋଭିଡ୍‌ ସଚେତନତା ସୃଷ୍ଟି କରିବା ସହ କଣ୍ଟେନ୍‌ମେଣ୍ଟ୍‌ ଜୋନ ପରିଚାଳନା କରିବେ। ଏହି ଅବଧି ମଧ୍ୟରେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ମଧ୍ୟକୁ କୌଣସି ଯାନବାହନ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ର ସମସ୍ତ ବାସିନ୍ଦା ନିଜନିଜ ଘର ମଧ୍ୟରେ ରହିବେ ଏବଂ ବାହାରକୁ ଛାଡ଼ିବାକୁ ଅନୁମତି ମିଳିବ ନାହିଁ। ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ଜରିଆରେ ଗ୍ରାମବାସୀଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। କଣ୍ଟେନମେଣ୍ଟ ଜୋନରୁ ସମସ୍ତ ଲୋକଙ୍କଠାରୁ ସ୍ବାବ୍‌ ସଂଗ୍ରହ କରିବା ସହିତ କଣ୍ଟାକ୍ଟ ଟ୍ରେସିଂ କରିବାକୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରାଜ୍ୟଶ୍ରୀ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ବନ୍ଧିତ ଖବର