ଅଙ୍ଗନବାଡ଼ି ପିଲାଙ୍କ ସ୍ବେଟର୍‌ କିଣାରେ ବି ଦୁର୍ନୀତି

ତଦନ୍ତ ପାଇଁ ଶିଶୁ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ

କେନ୍ଦ୍ର ମନ୍ତ୍ରୀଙ୍କ ଚିଠି ଅନୁସାରେ ତଦନ୍ତ ହେବ: ମନ୍ତ୍ରୀ ଟୁକୁନୀ

ବାଲେଶ୍ବର/ନୀଳଗିରି/ବଲାଙ୍ଗୀର : ଅଙ୍ଗନବାଡ଼ିରେ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାଲାଭ କରୁଥିବା ୩ରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ଚଳିତବର୍ଷ ମାଳତୀଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନାରେ ନୂଆ ଯୋତା, ମୋଜା ଓ ସ୍ବେଟର୍‌ ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। କରୋନା ମହାମାରୀ ସମୟରେ ଲୋକଙ୍କ ଜୀବିକା ଉପରେ ଆସିଥିବା ସଙ୍କଟର ମୁକାବିଲା ନିମ‌ନ୍ତେ ଗ୍ରାମାଞ୍ଚଳରେ ଥିବା ମହିଳାଗୋଷ୍ଠୀଙ୍କୁ ସ୍ବେଟର୍‌ ତିଆରି ସହିତ ଏହାର ବିତରଣ ଦାୟିତ୍ବ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ହେଲେ ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକରେ ଏହି ଯୋଜନାରେ ଘୋର ବ୍ୟତିକ୍ରମ ସାଙ୍ଗକୁ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି। ଏ ସଂକ୍ରାନ୍ତରେ ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଚିଠି ଲେଖି ଏହାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।

ରାଜ୍ୟ ସରକାରଙ୍କ ନିର୍ଦେଶ ମୁତାବକ ନଭେମ୍ବର ୧୩ ତାରିଖରେ ନୀଳଗିରି ସିଡିପିଓଙ୍କ କାର୍ଯ୍ୟାଳୟରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସ୍ବେଟର୍‌ ଯୋଗାଣ ନିମନ୍ତେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ କିଛି ନିର୍ଦ୍ଦିଷ୍ଟ ନିୟମା‌ବଳୀ ପାଳନ କରିବାକୁ କୁହାଯାଇଥିଲା। ଏଥିପାଇଁ ଆବେଦନ କରି କିଛି ମହିଳା ସ୍ବୟଂସହାୟକ ଗୋଷ୍ଠୀ ଋଣ ନେଇ ସ୍ବେଟର୍‌ ପ୍ରସ୍ତୁତ କରିବା ପରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଇଥିଲେ। କିନ୍ତୁ ଉକ୍ତ ସ୍ବେଟର୍‌ଗୁଡ଼ିକୁ ଅଙ୍ଗନବାଡ଼ିରେ ଗ୍ରହଣ କରାଗଲାନାହିଁ। କୁହାଗଲା ସରକାରୀ ନିର୍ଦ୍ଦେଶାବଳୀ ଅନୁସାରେ, ଏହି ସ୍ବେଟରଗୁଡ଼ିକ ପ୍ରସ୍ତୁତ ହୋଇନାହିଁ। ସ୍ବେଟର୍‌ ଗ୍ରହଣ ନକରିବାକୁ ସିଡିପିଓ ମନା କରିଛନ୍ତି ବୋଲି ‌ଅଙ୍ଗନବାଡ଼ି କର୍ମୀମାନେ କହିଥିଲେ। ସମ୍ପୃକ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଯେତେବେଳେ ସିଡିପିଓଙ୍କୁ ଏ ବିଷୟ‌ରେ ଜଣାଇବାକୁ ଚାହିଁଲେ ସିଡିପିଓ ଆଉ ସେମାନଙ୍କ କଥା ଶୁଣିଲେ ନାହିଁ। ଅନ୍ୟପକ୍ଷରେ ଏହି ଯୋଜନାରେ ପ୍ରତି ପିଲାଙ୍କ ପାଇଁ ସ୍ବେଟର୍‌ ପିଛା ୧୫୦ ଟଙ୍କା, ବୁଟ୍‌ ଓ ମୋଜା ପାଇଁ ୧୦୦ ଟଙ୍କା ଦିଆଯାଉଥିବା ବେଳେ ଅଙ୍ଗନବାଡ଼ି କର୍ମୀ ସେଗୁଡ଼ିକୁ କିଣି ପିଲାମାନଙ୍କୁ ଯୋଗାଇ ଦେବାକୁ ସିଡିପିଓ ସାନି ବିଜ୍ଞପ୍ତି ଜାରି କଲେ। ଯେଉଁଥିରେ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ସ୍ବେଟର୍‌, ଯୋତା, ମୋଜା ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ଅଭିଭାବକମାନେ ଏକାଠି ହୋଇ ନୀଳଗିରି ସିଡିପିଓ ଓ ଉପଜିଲ୍ଲାପାଳଙ୍କୁ ଭେଟି ପିଲାଙ୍କୁ ଦିଆଯାଇଥିବା ସ୍ବେଟର୍‌, ଯୋତା ଓ ମୋଜାରେ ସିଡିପିଓ, ଅଙ୍ଗନବାଡ଼ି କର୍ମୀ ଓ ଦଲାଲମାନଙ୍କ ମଧ୍ୟରେ ଅସାଧୁମେଣ୍ଟ ହୋଇଥିବା ଲିଖିତ ଅଭିଯୋଗ କରିଥିଲେ।

ଏହି ପ୍ରସଙ୍ଗରେ କିଛି ସ୍ବୟଂସହାୟକ ଗୋଷ୍ଠୀର କର୍ମକର୍ତ୍ତା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଜଣାଇବା ପରେ ସେ ଏହାର ତଦନ୍ତ ପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। କରୋନା ସମୟରେ ମହିଳାଗୋଷ୍ଠୀମାନେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କୁ ଜୀବିକା ଦେବା ପାଇଁ ଏହି ଯୋଜନା କରାଯାଇଥିଲା। ଯେଉଁଥିପାଇଁ ସେମାନେ ଋଣ ମଧ୍ୟ ନେଇଥିଲେ। ଏବେ ସେମାନ‌ଙ୍କଠାରୁ ସ୍ବେଟର୍‌ ଗ୍ରହଣ କରିବାକୁ ସିଡିପିଓ ମନା କରିବା ପରେ ଋଣ ଶୁଝିବାରେ ମହିଳାଗୋଷ୍ଠୀ ଅସମର୍ଥ ହେବେ। ସିଡିପିଓ ଏସ୍‌ଏଚ୍‌ଜିମାନଙ୍କଠାରୁ ଏହା ଗ୍ରହଣ ନକରି ଅଙ୍ଗନବାଡ଼ି କର୍ମୀଙ୍କ ଦ୍ବାରା ଅନ୍ୟ ମାଧ୍ୟମରେ କିଣା କରାଇବା ପଛରେ ନିଶ୍ଚିତ ଭାବେ ମନ୍ଦ ଉଦ୍ଦେଶ୍ୟକୁ ସୂଚାଉଛି ବୋଲି କେନ୍ଦ୍ରମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇ ନିରପେକ୍ଷ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କ ଚିଠି ଉପରେ ପ୍ରତିକ୍ରିୟା ପ୍ରକାଶ କରି ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିସନଶକ୍ତି ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି ଯେ ସ୍ବେଟର କିଣା ପାଇଁ ସବୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଟଙ୍କା ମଂଜୁର କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଯେଉଁ ସ୍ଥାନରେ ଦୁର୍ନୀତି ରହିଛି ବୋଲି ଚିଠି କରିଛନ୍ତି, ତାହାର ତଦନ୍ତ କରାଯିବ। ଏଥିପାଇଁ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର