ନକଲି ବିଦେଶୀ ମଦ କାରଖାନା ଠାବ, ୨ ଗିରଫ

ମଦ, ଠିପି, ବିଭିନ୍ନ ବ୍ରାଣ୍ଡର ଖାଲି ବୋତଲ ଜବତ

ରାଉରକେଲା: ସହରରେ ବନ୍ଦ ହୋଇପାରୁନି ନକଲି ବିଦେଶୀ ମଦର ‌ଚୋରା କାରବାର।‌ କେତେବେଳେ ବାଲୁଘାଟ, ଜଲଦା ତ ଅନ୍ୟ ‌କେତେବେଳେ ସହରର ମଧ୍ୟରୁ ଶହ ଶହ ଲିଟର ନକଲି ବିଦେଶୀ ମଦ ଜବତ ହେଉଛି। ପୁଲିସ ନକଲି ମଦ ତିଆରି ବେପାରିକୁ ଗିରଫ କରି କୋର୍ଟ ଚାଲାଣ କରୁଛି। କିନ୍ତୁ ଏହି କାରବାର ମାଷ୍ଟରମାଇଣ୍ଡର ଠିକଣା ପାଉନି ଅବକାରୀ ପୁଲିସ। ସୋମବାର ଅବକାରୀ ପୁଲିସର ସ୍ବତନ୍ତ୍ର ଟିମ୍ ଜନଗହଳିପୂର୍ଣ୍ଣ ଟ୍ରାଫିକ୍‌ ଗେଟ୍‌ ତାରିଣୀ ମନ୍ଦିର ନିକଟରେ ତିଆରି ହେଉଥିବା ନକଲି ବିଦେଶୀ ମଦ କାରଖାନା ଠାବ କରିଛି।

ମଦ ତିଆରି କରୁଥିବା ଦୁଇ ବେପାରିକୁ ଗିରଫ କରିଛି। ସେମାନେ ହେଲେ ରାଜେଶ ସାହୁ ଓ କରଣ ସା। ଏମାନଙ୍କ ନିକଟରୁ ୬୬.୦୯୫ ଲିଟର ( ୮୪ ବୋତଲରୁ ଅଧିକ) ନକଲି ମଦ ଜବତ ହୋଇଛି।

ଏଥିସହ  ରାଜ୍ୟ ଅବକାରୀ ବିଭାଗର ଲେବୁଲ ଷ୍ଟିକର, ୨୭୦ ଠିପି, ୩୦୦ରୁ ଅଧିକ ବିଭିନ୍ନ ବ୍ରାଣ୍ଡର ନକଲି ମଦ ବୋତଲ ଓ ମଦ ତିଆରିରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଟ୍ରାଫିକ୍‌ ଗେଟ୍‌ ନିକଟରେ କେତେ ଦିନ ଧରି ନକଲି ମଦ ତିଆରି ହେଉଥିଲା ? ଏସବୁ ମଦ ରାଉରକେଲା ବିଭିନ୍ନ ଢ଼ାବା ସମେତ ଅନ୍ୟ କେଉଁ ସ୍ଥାନକୁ ଚାଲାଣ ହେଉଥିଲା ?

କାରବାରରେ ଗିରଫ ଦୁଇ ବେପାରୀ ନା ଗ୍ୟାଙ୍କରେ ଅନ୍ୟ କେଉଁମାନେ ଅଛନ୍ତି ? ଅବକାରୀ ପୁଲିସ ତା’ର ଖୋଳତାଡ ଆରମ୍ଭ କରିଛି। ସବୁଠୁ ଆଶ୍ଚର୍ଯ୍ୟ କଥା, ସହରରେ ଅନେକ ସ୍ଥାନରେ ଏଭଳି ଚୋରା ମଦ କାରବାର ଚାଲୁଛି। ସ୍ଥାନୀୟ ପୁଲିସ ଏମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ସୂଚନା ପାଇ ଅବକାରୀ ପୁଲିସ ଟିମ୍‌ କିନ୍ତୁ ଏମାନଙ୍କ ନିକଟରୁ  ନକଲି ବିଦେଶୀ ମଦ ଜବତ କରୁଛି।  ତେବେ ସ୍ଥାନୀୟ ପୁଲିସ ସହ ଅବକାରୀ ପୁଲିସର ଉପଯୁକ୍ତ ସମନ୍ବୟ ରହିଲେ, ସହରରେ ନକଲି ମଦ କାରବାରକୁ ସହଜରେ ରୋକାଯାଇପାରନ୍ତା। ନ ହେଲେ ଦିନକୁ ଦିନ ଏମିତି ନକଲି ମଦ କାରବାର ବଢ଼ି ଚାଲିବ, ଏଥିରେ ଦ୍ବିମତ ନାହିଁ।

ସମ୍ବନ୍ଧିତ ଖବର