ଗର୍ଭବତୀଙ୍କୁ ଦୁଷ୍କର୍ମ କଲେ ଆଶାକର୍ମୀଙ୍କ ସ୍ବାମୀ; ଭିଡିଓ ଭାଇରାଲ ଧମକ, ଦମ୍ପତି ଗିରଫ

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ଜଣେ ଗର୍ଭବତୀ ମହିଳାଙ୍କ ସ୍ବାମୀଙ୍କ ଉପରେ ଥିବା ରାଗ ସୁଝାଇବାକୁ ଯାଇ ପ୍ରତିଶୋଧ ନିଆଯାଇଥିବା ଅଭିଯୋଗ ହୋଇଛି। ଆଶାକର୍ମୀଙ୍କ ସ୍ବାମୀ ଜଣେ ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ କରିଛି। ଏହି ଘୃଣ୍ୟ କାମରେ ସ୍ବାମୀକୁ ପୁରା ସାହାଯ୍ୟ କରିଛନ୍ତି ଆଶାକର୍ମୀ ସ୍ତ୍ରୀ। କେବଳ ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଉତ୍ତୋଳନ କରିଛନ୍ତି ଆଶାକର୍ମୀ। ଦୁଷ୍କର୍ମ ଘଟଣା ପ୍ରଘଟ କରିଲେ ହତ୍ୟା ଧମକ ଓ ଭିଡିଓ ଭାଇରାଲ କରିବା ପାଇଁ ଓଲଟା ସ୍ବାମୀ ଓ ସ୍ତ୍ରୀ ଦେଇଥିଲେ ଧମକ। ଏପରି ଅମାନବୀୟ ଘଟଣା ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି।

ପୁଲିସ କହିବା ଅନୁସାରେ ଖାତିଗୁଡା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଜଣେ ୫ ମାସର ଗର୍ଭବତୀ ମହିଳାଙ୍କୁ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ଆଶାକର୍ମୀ କହିଥିଲେ। ନିଜର ବାଇକରେ ନବରଙ୍ଗପୁରକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ କହିବାରୁ ଉକ୍ତ ଗର୍ଭବତୀ ମହିଳା ରାଜି ହୋଇଥିଲେ। ଗତମାସ ୨୮ ତାରିଖରେ ଆଶାକର୍ମୀ ଓ ଗର୍ଭବତୀ ମହିଳାଙ୍କୁ ନେଇ ଆଶାକର୍ମୀଙ୍କ ପୁଅ ଏକ ବାଇକରେ ନବରଙ୍ଗପୁର ଅଭିମୁଖେ ଆଣିଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଶାକର୍ମୀଙ୍କ ସ୍ବାମୀ ଲେଲିଆ ରଂଜିକାର ବରଗାଁ ଛକ ନିକଟରେ ଜଗି ରହିଥିଲା। ସେଠାରେ ଉଭୟ ପୀଡ଼ିତା ଏବଂ ଆଶାଦିଦିଙ୍କୁ ଛାଡି ଫେରିଯାଇଥିଲା ଆଶା କର୍ମୀର ପୁଅ। ଏହା ପରେ ଆଶାକର୍ମୀଙ୍କ ସ୍ବାମୀଙ୍କ ଦ୍ବାରା ଗର୍ଭବତୀ ଦୁଷ୍କର୍ମର ଶିକାର ହୋଇଥିଲେ। ତେବେ ଆଶାକର୍ମୀ ଘଟଣା ସମୟରେ ଭିଡିଓ ପ୍ରସ୍ତୁତ କରିଥିଲେ।

ପରବର୍ତ୍ତୀ ସମୟରେ ଗର୍ଭବତୀ ମହିଳା ଏହି ଘଟଣା ସଂକ୍ରାନ୍ତରେ ଶ୍ବଶୁର ଘରେ କହିବା ପରେ ପରିବାର ପକ୍ଷରୁ ଗତ ୧୩ ତାରିଖ ଦିନ ଖାତିଗୁଡା ଥାନାରେ ନ୍ୟାୟ ପାଇଁ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଆଶାକର୍ମୀ ଓ ତାଙ୍କର ସ୍ବାମୀକୁ ଗିରଫ କରିଛି। ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷିକା ଏସ ସୁଶ୍ରୀ ଘଟଣାକୁ ପ୍ରତ୍ୟକ୍ଷ ତତ୍ୱାବଧାନ କରୁଥିବା ବେଳେ ତଦନ୍ତ ଦାୟିତ୍ଵ ଡିଏସପି ବି. ତ୍ରିପାଠୀଙ୍କୁ ଦିଆଯାଇଥିବାର ଜଣାପଡିଛି। ପୁଲିସ ପୀଡିତାକୁ କୋର୍ଟରେ ନେଇ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରିଥିବା ଜଣାପଡିଛି। ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଜି ଉକ୍ତ ମୋବାଇଲ ସହିତ  ଭିଡିଓକୁ ଜବତ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର