ପତ୍ନୀ ଓ ୩ପୁଅଝିଅଙ୍କୁ ହତାଦର କରିବା ମାମଲା: ଭରଣପୋଷଣ ପାଇଁ ୮ହଜାର ଟଙ୍କା ଦେବାକୁ କୋର୍ଟର ନି‌ର୍ଦ୍ଦେଶ  

ଜୟପୁର: ଅନୈତିକ ସଂପର୍କ ରଖି ନିଜ ବିବାହିତ ପତ୍ନୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିବା  ଓ ୩ ପୁଅ ଝିଅଙ୍କୁ ହତାଦର କରିବା ମାମଲାର ବିଚାର କରି ଜୟପୁର ପରିବାର ଅଦାଲତ ବିଚାର ପତି ଡ.ପବିତ୍ର ମୋହନ ସାମଲ ଏମାନଙ୍କୁ ଭରଣପୋଷଣ ପାଇଁ ପ୍ରତି ମାସରେ ୮ହଜାର ଲେଖାଏଁ କ୍ଷତିପୂରଣ ଦେବାକୁ ସ୍ବାମୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ଥାନା ଅନ୍ତର୍ଗତ ଉପରଛାବେରୀ ଗାଁର ଧନେଶ୍ବର ନାୟକ ଜୟପୁର ଖ୍ରୀଷ୍ଠୀୟାନପେଟ୍ଟା ଅଂଚଳର ବାସନ୍ତୀ ଗରଡ଼ାଙ୍କୁ ବାହା ହୋଇଥିଲେ। ଏମାନଙ୍କର ୧୬ବର୍ଷର ପୁଅ ନିଖିଲ, ୧୩ବର୍ଷର ଝିଅ ନେଫିସା ରାଣୀ, ୯ବର୍ଷର ପୁଅ ନିହାଲ ରହିଛନ୍ତି। ଗତ ୨୦୨୦ମସିହାରେ ଧନେଶ୍ବର ଅନୈତିକ ସଂପର୍କ ରଖିବା ସହ ମାରପିଟ୍ କରିବା ସହ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏପ୍ରିଲ ୨୦୨୦ରେ ରାତ୍ର ସମୟରେ ବାସନ୍ତୀ ଶୋଇଥିବା ବେଳେ ବେକରେ ତକିଆ ଦେଇ ହତ୍ୟା କରିବାକୁ ଉଦ୍ୟମ କରୁଥିବା ବାସନ୍ତୀ ଜୟପୁର ମହିଳା ଥାନାରେ ଏତଲା ଦେଇଥିଲେ। ଏହା ପର ଠାରୁ ବାସନ୍ତୀ ସେଠାକୁ ଯିବା ବଦଳରେ ଜୟପୁରରେ ହିଁ ନିଜ ପିଲାଙ୍କୁ ନେଇ ରହୁଛନ୍ତି।

ଧନେଶ୍ବର ଶିକ୍ଷକ ଭାବେ କାମ କରିବା ସହ ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସଂପତ୍ତିର ହକ୍କଧାର ହୋଇଥିବାରୁ ବାସନ୍ତୀ ଏବଂ ୩ଟି ପିଲାଙ୍କ ଭରଣ ପୋଷଣ ଦେବା ପାଇଁ ସେ ପରିବାର ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଜୟପୁର ପରିବାର ଅଦାଲତ ବିଚାର ପତି ଡ.ପବିତ୍ର ମୋହନ ସାମଲ ପତ୍ନୀ ବାସନ୍ତି ଓ ୩ଟି ପିଲାଙ୍କ ଭରଣପୋଷଣ ପାଇଁ ପ୍ରତି ମାସରେ ୮ହଜାର ଲେଖାଏଁ ଟଙ୍କା ଦେବାକୁ ସ୍ବାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ବାସନ୍ତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶଶାନନ୍ଦ ମିଶ୍ର ସହଯୋଗୀ ଆଇନଜୀବୀ ଶୁଭେନ୍ଦୁ  ମିଶ୍ର ପରିଚାଳନା କରୁଥିଲେ। ସାଧାରଣରେ ଏହି ରାୟକୁ ସ୍ବାଗତ କରାଯାଇଛି।

ସମ୍ବନ୍ଧିତ ଖବର