ଝାରସୁଗୁଡ଼ାରେ କୋଭିଡ୍ ହସପିଟାଲ ଉଦ୍‌ଘାଟିତ, ଜିଲ୍ଲା ଖଣିଜ ପାଣ୍ଠି ଓ ବେଦାନ୍ତ ଦେଇଛି ସହାୟତା

ଝାରସୁଗୁଡ଼ା: ଜିଲ୍ଲା ଖଣିଜ ପାଣ୍ଠି ଓ ବେଦାନ୍ତ ସିଏସ୍ଆର୍ ପାଣ୍ଠି ବିନିଯୋଗରେ ଝାରସୁଗୁଡ଼ା ମଙ୍ଗଳବଜାର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଣା କୋଠାରେ ନିର୍ମାଣ ହୋଇଥିବା କୋଭିଡ୍ ହସପିଟାଲକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ଅପରାହ୍ନରେ ଉଦ୍‌ଘାଟନ କରିଛନ୍ତି। ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ଶୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି, ହାଇଟେକ୍ ମେଡିକାଲ କଲେଜ ଓ ହସପିଟାଲର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ବେଦାନ୍ତ ସିଇଓ ଛବିନାଥ ସିଂହ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଜଗଦୀଶ ଚନ୍ଦ୍ର ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ।

ଜିଲ୍ଲାପାଳ ସରୋଜ ସାମଲ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଖଣିଜ ପାଣ୍ଠି ପକ୍ଷରୁ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଏବଂ ବେଦାନ୍ତ ସିଏସ୍ଆର୍ ପାଣ୍ଠିରୁ ୨ କୋଟି ଟଙ୍କା ଏଥିପାଇଁ ଯୋଗାଇ ଦିଆଯାଇଥିବା କୁହାଯାଇଛି। ଏହି ହସପିଟାଲରେ ଆଇସୋଲେସନ ୱାର୍ଡ଼ ପାଇଁ ୧୦୦ ଗୋଟି ଶଯ୍ୟା, ଆଇସିୟୁ ପାଇଁ ୧୦ ଗୋଟି ଶଯ୍ୟା ଓ ଷ୍ଟେପ୍ ଡାଉନ୍ ପାଇଁ ୭ ଗୋଟି ଶଯ୍ୟା ରହିଛି। ଅବଶ୍ୟକ ସ୍ଥଳେ ଆଇସିୟୁ ଶଯ୍ୟା ବୃଦ୍ଧି କରାଯାଇପାରେ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ହସପିଟାଲରେ ରୋଗୀମାନଙ୍କ ଚିକିତ୍ସା ନିମାନ୍ତେ ୧୦ ଗୋଟି ଭେଣ୍ଟିଲେଟର, ବହୁଗୁଣିତ ଅମ୍ଲଜାନ ଯୋଗାଣ ବ୍ୟବସ୍ଥା, ଅମ୍ଳଜାନ ସିଲିଣ୍ଡର, କମ୍ପ୍ରେସର ପ୍ରଭୃତିର ସୁବ୍ୟବସ୍ଥା କରାଯାଇଛି। ଏହି ହସପିଟାଲର ପରିଚାଳନା ଭାର ଭୁବନେଶ୍ବର ହାଇଟେକ୍ ମେଡିକାଲ କଲେଜ ଓ ହସପିଟାଲ ନେଇଥିବା ବେଳେ ଏଥିପାଇଁ ଆବଶ୍ୟକ ସଂଖ୍ୟକ ଡାକ୍ତର, ପାରା ଚିକିତ୍ସକ, ଷ୍ଟାଫନର୍ସ, ସ୍ବାସ୍ଥ୍ୟ କର୍ମୀ ତଥା ଅନ୍ୟନ୍ୟ କର୍ମଚାରୀ ନିଯୁକ୍ତ ହୋଇ ସାରିଛନ୍ତି। ହସପିଟାଲ ଆଜି ଠାରୁ କାର୍ଯ୍ୟକ୍ଷମ ହେଲା ବୋଲି ମନ୍ତ୍ରୀ ଶ୍ରୀ ଦାସ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଭିନ୍ନ ବିଭାଗୀୟ ସଚିବ, ପ୍ରଶାସନିକ ଅଧିକାରୀ, ବିଭିନ୍ନ ଲାଇନ୍ ବିଭାଗର ଆନ୍ତରିକ ଉଦ୍ୟମ ଯୋଗୁଁ ମାତ୍ର ୧୮ ଦିନରେ ଏହି ହସପିଟାଲ କୋଭିଡ୍ ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ପାରିଥିବା ମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ହସପିଟାଲର ନୋଡାଲ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର