ଝାରସୁଗୁଡ଼ା ଜିଲ୍ଲାରେ ୩୮୬ ଜଣ ନେଲେ କରୋନା ଟିକା

ଦେବଗଡ଼: ପ୍ରଥମ ଦିନରେ ଟିକା ନେଲେ ୧୪୯ ଜଣ

ଝାରସୁଗୁଡ଼ା :  ଝାରସୁଗୁଡ଼ା ଜିଲ୍ଲାରେ ଆଜି ନିର୍ଦ୍ଧାରିତ ସମୟରେ କରୋନା ଟିକା ଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜିଲ୍ଲାର ୪ଟି କେନ୍ଦ୍ରରେ ପୂର୍ବରୁ  ଏଥିପାଇଁ ଡ୍ରାଏ ରନ୍‌ କରାଯାଇଥିଲା। ଟିକାଦାନ ପାଇଁ ସ୍ବାସ୍ଥ୍ୟ କର୍ମଚାରୀମାନେ ପ୍ରସ୍ତୁତ ହୋଇଥିଲେ। ଆଜି ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଥିବା ଟିକାଦାନ କେନ୍ଦ୍ରରେ ଡା. ଏମ୍‌ଏମ୍‌ ପଣ୍ଡା ପ୍ରଥମେ ଟିକା ନେଇଥିଲେ। ଏହାପରେ କ୍ରମାନ୍ବୟରେ ୧୧୦ ଜଣ ସ୍ବାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ ଏହି ଟିକା ନେଇଥିଲେ। ସେହିପରି ଜିଲ୍ଲାର ପଞ୍ଚପଡ଼ା ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଟିକାଦାନ କେନ୍ଦ୍ରରେ ଆଶାକର୍ମୀ ରାଜେଶ୍ବରୀ ନାଏକ ପ୍ରଥମେ ଟିକା ନେଇଥିଲେ। ଏହି କେନ୍ଦ୍ରରେ ୭୬ ଜଣ ଟିକା ନେଇଥିଲେ। ବ୍ରଜରାଜନଗର ସିଏଚ୍‌ସି ଟିକାଦାନ କେନ୍ଦ୍ରରେ ମୋଟ ୧୦୦ ଜଣ ଟିକା ନେଇଥିବା ବେଳେ ଏଠାରେ ଡା. ତିର୍କି ପ୍ରଥମେ ଟିକା ନେଇଥିଲେ। ସେହିପରି ବେଲପାହାଡ଼ ଟିଆର୍‌ଏଲ୍‌ ହସ୍‌ପିଟାଲରେ ମଧ୍ୟ ୧୦୦ ଜଣ ଟିକା ନେଇଥିବା ବେଳେ ଏହି କେନ୍ଦ୍ରରେ ସଫେଇ କର୍ମଚାରୀ ଆଦିତ୍ୟ କୁମାର ପ୍ରଥମେ ଟିକା ନେଇଥିଲେ।

ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମେ  ଟିକା ନେଇଥିବା  ଡା. ଏମ୍‌ଏମ୍‌ ପଣ୍ଡା କହିଥିଲେ ଯେ ମୁଁ କରୋନା ଟିକା ନେଲା ପରେ କୌଣସି ଅସୁବିଧା ବା ପାର୍ଶ୍ବ ପ୍ରତିକ୍ରିୟା ଅନୁଭବ କରିନାହିଁ। ବୈଜ୍ଞାନିକମାନଙ୍କ ବହୁ ପରୀକ୍ଷା ନିରୀକ୍ଷା ପରେ ଏହି ଟିକା ଆସିଛି। ତେବେ ଟିକା ନେବା ପରେ ମଧ୍ୟ ଆମକୁ ସେହି କରୋନାଠାରୁ ଦୂରେଇ ରହିବାର ଉପାୟ ସାମାଜିକ ଦୂରତା, ହାତ ଧୋଇବା ଓ ମାସ୍କ ବ୍ୟବହାର କରିବା ପ୍ରଭୃତି ପାଳନ କରିବାକୁ ପଡ଼ିବ। କରୋନା ଟିକାର ପ୍ରଥମ ଡୋଜ୍‌ ନେବାର ୨୮ ଦିନ ପରେ ଦ୍ବତୀୟ ଡୋଜ୍‌ ନେଲା ପରେ ଯାଇ ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି ସେ କହିଥିଲେ।

ଦେବଗଡ଼: ପ୍ରଥମ ଦିନରେ ଟିକା ନେଲେ ୧୪୯ ଜଣ
ଦେବଗଡ଼/ରିଆମାଳ : ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଭାବେ ଖୋଲା ଯାଇଥିବା ଟିକାକରଣ କେନ୍ଦ୍ରରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମନୋଜ କୁମାର ଉପାଧ୍ୟାୟ ଆନୁଷ୍ଠାନିକ ଭାବେ ଟିକାକରଣର ଶୁଭାରମ୍ଭ କରିଥିଲେ। ଜିଲ୍ଲାରେ ପ୍ରଥମ ଟିକା ଜିଲ୍ଲା ସଦର ମହକୁମା ଚିକିତ୍ସାଳୟର ସଫେଇ କର୍ମଚାରୀ ସୁନ୍ଦରୀ ମୁଖୀଙ୍କୁ ଦିଆଯାଇଥିଲା। ଟିକା ନେବା ପରେ ତାଙ୍କୁ ପର୍ଯ୍ୟବେକ୍ଷଣ ନିମନ୍ତେ ରଖାଯାଇଥିଲା। ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ସହିତ ରିଆମାଳ ବ୍ଲକ ଅନ୍ତର୍ଗତ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଟିକାକରଣ ଆରମ୍ଭ କରାଯାଇଥିଲା। ସେଠାରେ ସଫେଇ କର୍ମଚାରୀ ଟିକି ନାୟକ ଏବଂ ଗୀତାଞ୍ଜଳି ନାୟକଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା। ସୂଚନା ମୁତାବକ ଆଜି ସଦର ଡାକ୍ତରଖାନା ୭୯ ଏବଂ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ୭୦ ଜଣ ଟୀକା ନେଇଥିଲେ। ୨୮ ଦିନ ପରେ ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ।

ପ୍ରଥମ ପର୍ଯ୍ୟାୟରେ ଦେବଗଡ଼ ଜିଲ୍ଲାକୁ ୧୬୫୦ ଡୋଜ୍ କୋଭିସିଲଡ୍ ଟିକା ମିଳିଛି। ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଟିକାକରଣ  କାର୍ଯ୍ୟକ୍ରମ ଚାଲିବ ବୋଲି ଡା. ଉପାଧ୍ୟାୟ ସୂଚନା ଦେଇଥିଲେ। ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ସମେତ ବାରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବମପରଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, କଣ୍ଢଳ ଓ କଣ୍ଟାପାଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ତିଲେଇବଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଲଇମୁରା ଓ କଂସର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ରିଆମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବୁଢାପାଳ ଓ କୁଣ୍ଢେଇଗୋଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଟିକାକରଣ କେନ୍ଦ୍ର ଖୋଲାଯାଇଛି। ଟିକା ନେଉଥିବା ବ୍ୟକ୍ତିଙ୍କର କୌଣସି ପାର୍ଶ୍ବପ୍ରତିକ୍ରିୟା ଦେଖାଦେଲେ ତାଙ୍କର ଚିକିତ୍ସା ନିମନ୍ତେ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି  ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପର୍ଯ୍ୟବେକ୍ଷକ ଡା. ପରେଶ ମିଶ୍ର, ଡା. ନିହାର ରଂଜନ ସାମଲ, ଏଡିଏମ୍ଓ. ଡା. ବ୍ରଜ କିଶୋର ଭୋଇ, ଭେଷଜ ବିଶେଷଜ୍ଞ ଡା. ମନୋରଂଜନ ସାମଲ, ଡା. ନିବେଦିତା ନାୟକ, ଜିଲ୍ଲା ସ୍ୱାସ୍ଥ୍ୟ ମିସନର ପରିଚାଳକ ଉମେଶ ପ୍ରସାଦ ଷଡ଼ଙ୍ଗୀ, ଉପ ପରିଚାଳିକା ଜ୍ୟୋତ୍ସ୍ନାରାଣୀ ଶର୍ମାଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ପକ୍ଷରୁ ଟିକାକରଣ କେନ୍ଦ୍ରମାନଙ୍କରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେହିପରି ରିଆମାଳ ବ୍ଲକ ଅନ୍ତର୍ଗତ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମକୁ ବ୍ଲକ୍‌ ଅଧ୍ୟକ୍ଷା ରୀତାଞ୍ଜଳି ହାତୀ ଉଦ୍‌ଘାଟନ କରିଥିଲେ। ଦେବଗଡ଼ ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ତତ୍ତ୍ବାବଧାନରେ ଟିକାକରଣ ଆରମ୍ଭ ହୋଇଥିଲା। ପରିଦର୍ଶିକା ରୀନା ଗୁହା ଓ ଅମିତା ସାହୁ ଟିକାକରଣ ଦାୟିତ୍ୱ ସଂପାଦନ କରିଥିବା ବେଳେ ଜିତେନ୍ଦ୍ରିୟ ସାହୁ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। କବିତା ପାଣି ପର୍ଯ୍ୟବେକ୍ଷଣ କକ୍ଷର କାର୍ଯ୍ୟ ସଂପାଦନ କରିଥିଲେ। ସେହିପରି ସିଲୁ ପ୍ରଧାନ ଓ ଜ୍ଞାନେନ୍ଦ୍ର ପ୍ରଧାନ ସୁରକ୍ଷା ଦାୟିତ୍ବରେ ଥିଲେ। ଟିକି ନାୟକ ପ୍ରଥମ ଟିକା ନେଇଥିଲେ। ଡା. ଶ୍ରୀକାନ୍ତ ବିଶି ଓ ଡା. ସଞ୍ଜୟ ପାଣି ଉପସ୍ଥିତ ଥିଲେ। ବିପିଏମ୍‌ ଆଶୁତୋଷ ଦାଶ ଓ ରାଜକିଶୋର ପଟେଲ ସହଯୋଗ କରିଥିଲେ। ଏଠାରେ ୧୦୦ ଜଣଙ୍କୁ ଟିକା ଦେବାକୁ ସ୍ଥିର ହୋଇଥିବା ବେଳେ ଖବର ଲେଖା ହେବା ବେଳକୁ ୭୦ ଜଣ ଟିକା ନେଇଥିଲେ। ଟିକା ନେଇଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କଠାରେ କୌଣସି ପ୍ରତିକ୍ରିୟା ପରିଲକ୍ଷିତ ହୋଇନି।

ସମ୍ବନ୍ଧିତ ଖବର