ରଥ ଚକରେ ଫାଟ, ଯାଞ୍ଚ ପରେ ବାତିଲ୍‌

ତିଆରି ହେବ ନୂଆ ଚକ

ପୁରୀ: ଦେବୀ ସୁଭଦ୍ରାଙ୍କ ରଥ ଚକରେ ଫାଟ। ଯାଞ୍ଚ ପରେ ବୈଷୟିକ (ଟେକ୍ନିକାଲ) କମିଟି ଏହାକୁ ଅନୁପଯୁକ୍ତ ଦର୍ଶାଇ ନୂଆ ଚକ ତିଆରି କରିବା ନିମନ୍ତେ ପରାମର୍ଶ ଦେଇଛି। ସୂଚନା ମୁତାବକ, ରଥଖଳାରେ ଏବେ ତିନି ରଥର ନିର୍ମାଣ କାର୍ଯ୍ୟ ଜୋରସୋର୍‌ରେ ଚାଲିଛି। ଗତ ରବିବାର ଭଉଁରୀରେ ଚକଡେରା ହୋଇ ପ୍ରତି ରଥର ଦୁଇଟି ଲେଖା ଚକକୁ ଅଖ ସହ ସଂଯୋଗ କରାଯାଇଛି। ଏହାମଧ୍ୟରେ ତୁମ୍ବ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଅର ଓ ପଇ ତିଆରି ହୋଇ ଚକ ନିର୍ମାଣ କରାଯାଉଛି। ଦେବୀ ସୁଭଦ୍ରାଙ୍କ ରଥର ଦୁଇଟି ଚକ ଡେରା ‌ହେବା ପରେ ଆଉ ଦୁଇଟି ତିଆରି ହୋଇ ରହିଥିଲା। ଆଜି ସକାଳ ୮ଟାରେ ବୈଷୟିକ ଟିମ୍‌ ଯାଞ୍ଚ କରିବା ବେଳେ ସେଥିରୁ ଗୋଟିଏ ଚକ ଫାଟି ଯାଇଥିବା ଦେଖିବାକୁ ପାଇଥିଲେ। ତୁମ୍ବ କାଠରେ ଗଣ୍ଠି ଥିବାରୁ ସେଥିରେ ଅର ସଂଯୋଗ ବେଳେ ତାହା ଫାଟିଛି। ଆଗକୁ ଏହା ସମ୍ପୂର୍ଣ୍ଣ ଫାଟିଯାଇପାରେ। ତେଣୁ ଏହା ବଦଳରେ ଆଉ ଗୋଟିଏ ନୂଆ ଚକ ତିଆରି କରାଯିବ ବୋଲି କମିଟି କହିଛି।

ସମ୍ବନ୍ଧିତ ଖବର