ଭଦ୍ରକ ଉପକାରାଗାରରେ କ୍ରାଇମବ୍ରାଞ୍ଚ ଟିମ୍: ଶର୍ମିଷ୍ଠା ରାଉତଙ୍କ ସମେତ ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା

ଭଦ୍ରକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ଲାଗି ଭଦ୍ରକ ଉପକାରାଗାରରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଥିବା ଜଣାଯାଇଛି। ଶର୍ମିଷ୍ଠା ରାଉତ, ଝୁନା ଭୋଇ, ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକ ମଧ୍ୟ ରିମାଣ୍ଡରେ ଯିବେ ବୋଲି ଜଣାଯାଇଛି।


ସୂଚନାଯୋଗ୍ୟ, ଗତକାଲି ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ପୁଲିସ ଗିରଫ କରିଥିଲା। କୋଲକାତାରୁ ବସ୍ ଯୋଗେ ଭୁବନେଶ୍ବର ଆସୁଥିବା ଖବର ପାଇ ଗତରାତିରୁ କ୍ରାଇମବ୍ରାଞ୍ଚର ଦୁଇଟି ଓ ଭଦ୍ରକ ପୁଲିସର ଚାରିଟି ଟିମ୍ ଜାଲ ବିଛାଇଥିଲେ। ପୂରା ଫିଲ୍ମ ଷ୍ଟାଇଲରେ ତିନିଟି ପୁଲିସ ଭ୍ୟାନ୍ ବସ୍କୁ ପିଛା କରିବା ପରେ ରାଜପଥର ନଳାଙ୍ଗ ସାଇମନ୍ଦିର ନିକଟରେ ଅଟକାଇ ଉଭୟଙ୍କୁ ଗିରଫ କରିଥିଲେ। ସମସ୍ତଙ୍କ ନଜରରୁ ବର୍ତ୍ତିବା ଲାଗି ଉଭୟ ମାସ୍କ ପିନ୍ଧିଥିବା ବେଳେ ମୁହଁକୁ ଢାଙ୍କି ରଖିଥିଲେ।

ଗିରଫ ପରେ ସେମାନଙ୍କୁ ପ୍ରଥମେ ଭଦ୍ରକ ପୁଲିସ ରିଜର୍ଭ ବାରାକ୍ ଓ ପରେ ତିହିଡ଼ି ଥାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ଦୁହିଁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଚାନ୍ଦବାଲି ଥାନା ନିଆଯାଇଥିଲା। ସେଠାରେ ତଦନ୍ତକାରୀ ଟିମ୍ ଦୁହିଁଙ୍କୁ ଜେରା କରିଥିଲେ ମଧ୍ୟ ଚିପ୍ ସମ୍ପର୍କରେ କିଛି ସୂଚନା ପାଇ ପାରିନାହିଁ। ଚିପକୁ ନଷ୍ଟ କରି ଦିଆଯାଇଥିବା ସନ୍ଦେହ କରାଯାଉଛି। ପୂରା ଘଟଣାର ପର୍ଦ୍ଦାଫାସ୍ କରିବା ପାଇଁ ଉଭୟଙ୍କୁ ଚାନ୍ଦବାଲି ଜେଏମ୍ଏଫସି କୋର୍ଟରେ ହାଜର କରାଯିବା ପରେ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯାଇଥିଲା। ତେବେ କୋର୍ଟ ତାଙ୍କୁ ୫ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ।

ସମ୍ବନ୍ଧିତ ଖବର