ପାରୋଲ୍‌ରେ ଥାଇ ଦୁର୍ଦ୍ଦାନ୍ତ ଦିଲ୍ଲୀପ ଦୁର୍ଘଟଣାରେ ମୃତ

ଆଜୀବନ ସଜା ଭୋଗୁଥିଲା, ଡିସେମ୍ବରରେ ଜେଲ୍‌ ଫେରିଥା’ନ୍ତା
ମୁକ୍ତି ପାଇଁ ଆବେଦନ ମଞ୍ଜୁର ହୋଇ ନଥିଲା

ବ୍ରହ୍ମପୁର : ୯୦ ଦଶକରେ ସାରାଓଡ଼ିଶାରେ ଆତଙ୍କ ସୃଷ୍ଟି କରିଥିବା ଏବଂ ଓଡ଼ିଶା ପୁଲିସର ନିଦ ହଜାଇ ଦେଇଥିବା ଦୁର୍ଦ୍ଦାନ୍ତ ଡକାୟତ ଦିଲ୍ଲୀପ ନାୟକ(୪୬) ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛି। ସେ ଏକ ହତ୍ୟା ମାମଲାରେ ଆଜୀବନ ସଜା ଭୋଗୁଥିଲା ଏବଂ ଗତ ମେ ମାସରୁ ପାରୋଲ୍‌ରେ ଆସିଥିଲା। । ଆସନ୍ତା ଡିସେମ୍ବରରେ ପାରୋଲ୍‌ ଅବଧି ଶେଷପରେ ସେ ବ୍ରହ୍ମପୁର ଜେଲ୍‌ ଫେରିଥା’ନ୍ତା। ଆଜି ଅପରାହ୍ନରେ ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଛକରେ ଏକ ଅଜଣା ଗାଡ଼ି ଧକ୍କାରେ ତା’ର ମୃତ୍ୟୁ ଘଟିଛି। ଟ୍ରାଫିକ୍‌ ଥାନା ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ କୌଣସି ଅଜଣା ଗାଡ଼ି ସହ ତା’ ବାଇକ୍‌ର ଧକ୍କା ହୋଇଥିବା ଏବଂ ଦିଲ୍ଲୀପର ମୃତ୍ୟୁ ଘଟିଥିବା ଟ୍ରାଫିକ୍‌ ଥାନା ଅଧିକାରୀ ସୁନୀଲ କୁମାର ବେହେରା ସୂଚନା ଦେଇଛନ୍ତି। ଦିଲ୍ଲୀପ ବାଇକ୍‌ରେ ନିଜ ଗ୍ରାମ ଆଙ୍କୋଲିରୁ ୧୬ ନମ୍ବର ଜାତୀୟ ରାଜପଥରେ ଗୋପାଳପୁର ଛକ ଆଡ଼କୁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିବା ପୁଲିସ କହିଛି।

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲିରେ ରହୁଥିବା ଦିଲ୍ଲୀପ ଆଜି ଅପରାହ୍ନରେ ତା’ର ବାଇକ୍‌ରେ ଗୋପାଳପୁର ଛକ ଆଡ଼କୁ ଯାଉଥିଲା। ଗୋପାଳପୁର ଛକ ନିକଟରେ କୌଣସି ଏକ ଗାଡ଼ି ସହିତ ତାଙ୍କର ଧକ୍କା ହୋଇଥିଲା। ଦିଲ୍ଲୀପ ଛିଟିକି ପଡ଼ି ଗୁରୁତର ହୋଇଥିଲା। ତା’ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ତାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସରେ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଦିଲ୍ଲୀପର ନାମରେ ବହୁ ସଙ୍ଗିନ୍‌ ମାମଲା ରହିଛି। ଏଥିସହିତ, ବହୁ ଲମ୍ବା ଅପରାଧ ରେକର୍ଡ଼ ବି। ସେ ଏକସମୟରେ ଗଞ୍ଜାମ ଜିଲ୍ଲାରେ ଆତଙ୍କରାଜ ସୃଷ୍ଟି କରି ପୁଲିସର ନିଦ ହଜାଇ ଦେଇଥିଲା। ଶେଷରେ ସେ ପୁଲିସ ଦ୍ବାରା ଗିରଫ ହୋଇଥିଲା। ଗତ ୧୯୯୭ରେ ଦିଲ୍ଲୀପକୁ ଆଜୀବନ ସଜା ହୋଇଥିଲା। ପ୍ରାୟ ୨୫ବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ରହିବାପରେ ଗତ ମେ ମାସ ୨୬ତାରିଖରେ ଦିଲ୍ଲୀପ ପାରୋଲ୍‌ରେ ଛାଡ଼ ପାଇଥିଲା। ଆସନ୍ତା ଡିସେମ୍ବର ୨୨ତାରିଖରେ ସେ ଜେଲ୍‌କୁ ଫେରିଥା’ନ୍ତା । ଏପରିକି ଦିଲ୍ଲୀପ ମୁକ୍ତି ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖି ଆବେଦନ କରିଥିଲା। କିନ୍ତୁ ତାହା ମଂଜୁର ହୋଇ ନଥିଲା। ଦିଲ୍ଲୀପ ପାରୋଲ୍‌ରେ ଥିବାବେଳେ ଆଜି ଏକ ସଡ଼କ ଦୁର୍ଘଟଣାରେ ତା’ର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଦିଲ୍ଲୀପର ଚକ୍ଷୁଦାନ ପାଇଁ ଆଜି ତା’ର ପରିବାର ଲୋକ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର