ଧରାପଡ଼ିଲା ୨୦ ଲକ୍ଷ ଟଙ୍କାର ସାଇବର ଠକେଇ

ବାଲେଶ୍ବର: ଜମିରେ ମୋବାଇଲ ଟାୱାର ବସାଇଦେବାକୁ କହି ମୋବାଇଲ ଫୋନ୍‌ ମାଧ୍ୟମରେ ବିଶ୍ବାସ ଜନ୍ମାଇବା ସହ ଜଣେ ବ୍ୟକ୍ତିଙ୍କ ନିକଟରୁ ୨୦ ଲକ୍ଷ ଟଙ୍କା ହଡ଼ପ ମାମଲାରେ ବାଲେଶ୍ବର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୁଲିସ ୨ ଅଭି‌ଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ରାଜ୍ୟର କୋଲକାତା ଜିଲ୍ଲା ଘଲୋ ଥାନା ଅଞ୍ଚଳର। ଦୁହିଁଙ୍କୁ ସାଇବର ଥାନା ପୁଲିସ ଗତ ୨୮ ତାରିଖରେ ଗିରଫ କରି ବାଲେଶ୍ବର ଆଣିଥିବା ବେଳେ ଆଜି କୋର୍ଟଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି। ପୁଲିସ ଅଭିଯୁକ୍ତମାନଙ୍କ ନାଁ ପ୍ରକାଶ କରିନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଚାନ୍ଦିପୁର ଥାନା ଜୟଦେବକସବା ଅଞ୍ଚଳର ସୁନୀଲ କୁମାର ପ୍ରମାଣିକ ନିଜ ଜମିରେ ଏକ ମୋବାଇଲ ଟାୱାର ବସାଇବା ପାଇଁ ଜଣେ ଅଜଣାବ୍ୟକ୍ତିଙ୍କ ଠାରୁ ଫୋନ୍‌ ପାଇ ହ୍ବାଟ୍‌ସଆପ ମାଧ୍ୟମରେ ନିଜର ଦସ୍ତଖତ, ଜମି, ଆଧାର ଓ ପାନ୍‌ କାର୍ଡ, ବ୍ୟାଙ୍କ ଆକାଉଣ୍ଟ୍‌ର କାଗଜପତ୍ର ଆଦି ସେୟାର କରିଥିଲେ। ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ରୁ ୨୦ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା। ତେବେ ସେ ସାଇବର ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇ ତୁରନ୍ତ ବାଲେଶ୍ବର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସାଇବର ଥାନା ପୁଲିସ ୧୭/୨୦୨୩ରେ ଉକ୍ତ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଗତ ୨୮ ତାରିଖ ଦିନ ସେମାନଙ୍କ ସନ୍ଧାନ ପାଇ କୋଲକାତା ଘଲୋ ଥାନା ଅଞ୍ଚଳରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଦୁହିଁଙ୍କ ଠାରୁ ୩ଟି ମୋବାଇଲ୍ ଫୋନ୍, ୨ଟି ସୁନାମୁଦି, ଗୋଟିଏ ଯୋଡ଼ା ସୁନାଟପ୍ ଓ ସୁନାବାଉଟି(ଚୁଡ଼ି), ଗୋଟିଏ ଲାପଟପ୍, ପାସବୁକ୍, ଗୋଟିଏ ପାସପୋର୍ଟ ସହ ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି।

ତେବେ ନିକଟରେ ସେମାନେ ଆସାମରେ ମଧ୍ୟ ଏହି ସମାନ ଧରଣର ଠକେଇ ମାମଲାରେ ସମ୍ପୃକ୍ତ ଥିବା ପୁଲିସ ସୁରାକ ପାଇଛି। ସେହିପରି ସାରା ଦେଶରେ ଏହି ସାଇବର ଠକେଇ ଗ୍ୟାଙ୍ଗ୍‌ ଅନେକ ମାମଲାରେ ଜଡ଼ିତ ଥିବା ବେଳେ ସେମାନଙ୍କ ଠାରୁ ଅଧିକ ସୂଚନା ପାଇବା ପାଇଁ ପୁଲିସ ସେମାନଙ୍କୁ ପଚରାଉଚରା କରୁଥିବା ସୂଚନା ଦେଇଛି।

ସମ୍ବନ୍ଧିତ ଖବର