ବହିଷ୍କାର ପରେ ବଦଳିଗଲା ସ୍ୱର : କାଲି ନବୀନଙ୍କୁ ପ୍ରଶଂସା କରିଥିଲେ, ଆଜି ବିଷ ଓଗାଳିଲେ ଦାମ

ଦାମଙ୍କଠାରୁ ଦୂରେଇଲେ ପୁଅ ସମ୍ବିତ, କଂଗ୍ରେସ ଓ ବିଜେପି ରଖିଲା ପ୍ରତିକ୍ରିୟା; ସଭାପତିଙ୍କ ପାଖରେ ବିକଳ୍ପ ନ ଥିଲା: ସୌମ୍ୟ

ଭୁବନେଶ୍ୱର : ଗତକାଲି ଦଳରୁ ବହିଷ୍କୃତ ହେବା ପୂର୍ବରୁ ଡାକ୍ତର ଦାମୋଦର ରାଉତ ଗଣମାଧ୍ୟମ ସାମ୍ନାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ନଗଡାକୁ ଅନୁଦାନର ଉଦାହରଣ ଦେଇ ବିକାଶ କ୍ଷେତ୍ରରେ ନବୀନଙ୍କ ପ୍ରତିବଦ୍ଧତା ସଂପର୍କରେ ସୂଚାଇଥିଲେ ଓ ହେରାଫେରି ପାଇଁ ଦାୟୀ କରିଥିଲେ ଅମଲାଙ୍କୁ। ପ୍ରତି କଥାରେ ନବୀନଙ୍କୁ କିଭଳି ସମାଲୋଚନା କରାଯାଉଛି, ସେ ନେଇ ମଧ୍ୟ ବିରୋଧୀଙ୍କୁ କଟାକ୍ଷ କରିବାକୁ ଭୁଲିନଥିଲେ ଦାମ ବାବୁ।

ଠିକ୍‌ ୨୪ ଘଣ୍ଟା ପରେ ଅର୍ଥାତ୍‌ ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ବାବୁଙ୍କ ତୁଣ୍ଡରୁ ସମ୍ପୂର୍ଣ୍ଣ ଓଲଟା କଥା ଶୁଣିବାକୁ ମିଳିଛି। କଥା କଥାକେ ନୀତି ଓ ଆଦର୍ଶର ଯୁକ୍ତି ରଖୁଥିବା ଦାମ ରାଉତ ଆଜି ଅତ୍ୟନ୍ତ ଚଢା ଗଳାରେ ନିଜ ମତ ରଖି କହିଛନ୍ତି, ‘ନବୀନ ବାବୁ ଯେତେ ଜଲ୍‌ଦି ଓଡ଼ିଶା ଛାଡ଼ିଦେବେ, ରାଜ୍ୟ ପାଇଁ ସେତେ ମଙ୍ଗଳ ହେବ।’ ମୁଖ୍ୟମନ୍ତ୍ରୀଙ୍କର ରାଜ୍ୟ ପ୍ରତି ପ୍ରତିବଦ୍ଧତା ନେଇ ମଧ୍ୟ ଦାମ ପ୍ରଶ୍ନ ଉଠାଇଛନ୍ତି।

ଦାମଙ୍କ ବହିଷ୍କାର ପରେ ନୂଆ ରାଜନୈତିକ ସମୀକରଣ କଣ ହୋଇପାରେ, ସର୍ବୋପରି ବିଜେଡି ଉପରେ ତାର କେତେ ପ୍ରଭାବ ପଡିବ, ସେ ନେଇ ଚର୍ଚ୍ଚା ଆଲୋଚନା ପରିବର୍ତେ, ଗୋଟିଏ ଦିନ ବ୍ୟବଧାନରେ ଦାମଙ୍କର ଏଭଳି ଭିନ୍ନ ଭିନ୍ନ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ରାଜନୈତିକ ନେତାମାନେ କେତେ ଶୀଘ୍ର ନିଜକୁ ପରିବର୍ତନ କରିପାରନ୍ତି, ଏହାକୁ ତାର ଏକ ନଜିର ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଦାମବାବୁ ବହିଷ୍କୃତ ଘଟଣାରେ ବ୍ୟଥିତ ହୋଇ ଅନ୍ୟ କୌଣସି ସହଯୋଗୀ ବା ବିଜୁ ଅନୁଗାମୀ ତାଙ୍କୁ ସଙ୍ଖୋଳିବା ପୂର୍ବରୁ ନିକଟରେ ବିଜେଡିରୁ ବହିଷ୍କୃତ ହୋଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କୁ ଭେଟିବା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା। କାରଣ ଗତ କିଛି ଦିନ ଧରି ଦାମ ବାବୁ ସରକାର ଓ ଦଳ ବିରୋଧରେ ଯେଭଳି ଗର୍ଜନ ତର୍ଜନ କରୁଥିଲେ, ତା ପଛର ରହସ୍ୟ କଣ ହୋଇଥାଇପାରେ ବୋଲି ରାଜନୈତିକ ମହଲ ଆଶଙ୍କାରେ ଥିଲେ। ଦଳରୁ ବହିଷ୍କାର ହେବା ପୂର୍ବରୁ ସାଂସଦ ଶ୍ରୀ ପଣ୍ଡା ମଧ୍ୟ ଅନୁରୂପ ଭାବେ ବିଭିନ୍ନ ଫୋରମ୍‌ରେ ବିଜେଡି ଓ ସରକାରକୁ ସମାଲୋଚନା କରୁଥିଲେ।

ଉଲ୍ଲେଖଯୋଗ୍ୟ, ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବହୁ ତୁଙ୍ଗ ନେତା ଓ ବିଜୁ ଅନୁଗାମୀଙ୍କ ପାଇଁ ଅତୀତରେ ବିଜୁ ଜନତା ଦଳର ଦରଜା ବନ୍ଦ କରାଯାଇଛି। ଦଳ ଭିତରେ ରହି ସରକାର ଓ ଦଳ ବିରୋଧରେ ମତ ମନ୍ତବ୍ୟ ଓ ଷଡ଼ଯନ୍ତ୍ର ଅଭିଯୋଗରେ ଏମାନେ ଚର୍ଚ୍ଚାରେ ଥିଲେ। ଦଳ ଭିତରେ ଥାଇ ରାଜ୍ୟରେ ଯେଭଳି ପ୍ରଭାବୀ ଢଙ୍ଗରେ କମ୍ପନ ସୃଷ୍ଟି କରିପାରୁଥିଲେ, ବିଜେଡି ଛାଡିବା ପରେ ନବୀନଙ୍କୁ କିନ୍ତୁ ଏହି ନେତାମାନେ ଚେକ୍‌ ଦେଇପାରିନାହାନ୍ତି। ଏପରିକି ଏକଦା ବିଜେଡି ଚାଣକ୍ୟ ବୋଲି କୁହାଯାଉଥିବା ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ର ବ୍ରହ୍ମାସ୍ତ୍ର ଫିଙ୍ଗିବେ ବୋଲି କହିଥିଲେ, ଜନମୋର୍ଚା ଗଠନ କରି ବିଫଳ ହୋଇଥିଲେ। ଏଭଳି ସ୍ଥିତିରେ ଦାମ ବାବୁଙ୍କ ବହିଷ୍କାରର ପ୍ରଭାବକୁ ନେଇ ସାଧାରଣରେ ସେଭଳି ଚର୍ଚ୍ଚା ଦେଖାଯାଇନି ବା ସେମିତି କେହି ପ୍ରତିକ୍ରିୟା ବି ରଖିନାହାନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡି ଦଳରୁ ବହିଷ୍କାର କରିଥିଲା। ଗତକାଲି ଯଦିଓ ଦାମ ବାବୁ ତତ୍କାଳ ପ୍ରତିକ୍ରିୟାରେ ନିଜର ଆଭିମୁଖ୍ୟ ପ୍ରକଟ କରିଥିଲେ, ଆଜି କିନ୍ତୁ ତାଙ୍କ ସ୍ୱର ଆହୁରି ଟିକିଏ ଶାଣିତ ଥିଲା। ସିଧାସଳଖ ନବୀନଙ୍କୁ ଟାର୍ଗେଟ କରି ଡାକ୍ତର ରାଉତ କହିଥିଲେ, ନିଜର ସ୍ଥିତି ବଞ୍ଚାଇବାକୁ ନବୀନ ତାଙ୍କ ନୀତି ବଦଳାଇ ଦେଉଛନ୍ତି। ଏହା ବିଜୁ ବାବୁଙ୍କ ନୀତିର ପରିପନ୍ଥୀ। ସେ ବିଜୁଙ୍କ ସମସ୍ତ ସମର୍ଥକଙ୍କୁ ବିଦା କରିସାରିଲେଣି। ବର୍ତ୍ତମାନ ଯେଉଁମାନେ ତାଙ୍କ ପାଖରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଦୁର୍ନୀତି ମାଧ୍ୟମରେ ରାଜନୀତିକୁ ଆସିଛନ୍ତି। ନବୀନ ବାବୁ ସବୁବେଳେ କହୁଛନ୍ତି ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ଅବଲମ୍ବନ କରୁଛନ୍ତି। କିନ୍ତୁ ସେ ସବୁବେଳେ ଗୁପ୍ତ ବୁଝାମଣା କରୁଛନ୍ତି। ଓଡ଼ିଶାର ଲୋକଙ୍କ ପାଖରେ ବିଜେଡିର କୌଣସି ଉତ୍ତରଦାୟିତ୍ୱ ନାହିଁ।

ହେଲେ ଦାମଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିରେ ଯେଭଳି କମ୍ପନ ସୃଷ୍ଟି କରିବା କଥା ତାହା କରିପାରିନାହିଁ। କାରଣ, ଯେଉଁ ମୁହୂର୍ତରେ ଦାମ ବାବୁ ବିଜେଡି ଓ ନବୀନଙ୍କ ସଂପର୍କରେ କହୁଥିଲେ, ସେହି ଘରେ ସେହି ସମୟରେ ତାଙ୍କ ପୁଅ ତଥା ବିଜେଡି ସମ୍ପାଦକ ସମ୍ବିତ ରାଉତ କହିଥିଲେ, ରାଜନୀତି ଓ ପରିବାର ଭିନ୍ନ କଥା। ମୁଁ ବିଜେଡିରେ ଅଛି। ହାଇକମାଣ୍ଡ ଯାହା ନିର୍ଦ୍ଦେଶ ଦେବେ, ତାହା ମୁଁ ମାନିବି। ଏହି ବହିଷ୍କାର ମୋ ରାଜନୈତିକ କ୍ୟାରିୟର ଉପରେ ପ୍ରଭାବ ପକାଇବନି।

ସେହିଭଳି ଦାମଙ୍କ ବହିଷ୍କାର ପରେ ଆଜି ତାଙ୍କ ବାସଭବନରେ ଆଉ କେହି ପହଞ୍ଚି ବିଜେଡି ନେତାଙ୍କୁ ଛାନିଆ କରିବା ପୂର୍ବରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପହଞ୍ଚିଥିଲେ। ଉଭୟ ଢେର୍‌ ସମୟ ଯାଏ କଥା ହୋଇଥିଲେ। ଦାମ-ବୈଜୟନ୍ତ ଭେଟକୁ ଉଭୟ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଛନ୍ତି। କିନ୍ତୁ ଉଭୟଙ୍କ ବିରୋଧରେ ଦଳର ହାଇକମାଣ୍ଡ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଏହାକୁ କେହି ସୌଜନ୍ୟମୂଳକ ବୋଲି ଗ୍ରହଣ କରିପାରି ନାହାନ୍ତି। ନିଜକୁ ବିଜୁ ପରିବାରର ସଦସ୍ୟ ବୋଲି ଦାବି କରୁଥିବା ଏହି ଦୁଇ ନେତା ନିଜ ରାଜନୈତିକ ଭବିଷ୍ୟତ ପାଇଁ କିଛି ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି।

ଭେଟଘାଟ ପରେ ଗଣମାଧ୍ୟମକୁ ବୈଜୟନ୍ତ କହିଥିଲେ, ଦାମ ବାବୁଙ୍କୁ ବହିଷ୍କାର କରାଯିବା ବହୁତ ଦୁଃଖର କଥା। ବିଜୁ ବାବୁଙ୍କ ସହ କାମ କରିଥିବା ଲୋକଙ୍କୁ ଜଣଙ୍କ ପରେ ଜଣଙ୍କୁ ବିଜେଡିରୁ ବାହାର କରାଯାଉଛି। ବିଜେଡି ସହ ମୂଳରୁ ସଂପୃକ୍ତ ରହିଥିଲୁ। ସେହି ଦଳରେ ଯେବେ ଭ୍ରଷ୍ଟାଚାର ଅଭିଯୋଗ ଆସୁଥିଲା, ସେତେବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା। ଏବେ ଗୁରୁତର ଦୁର୍ନୀତି ଅଭିଯୋଗ ଆସୁଛି। ତାହାର ଯାଞ୍ଚ ହେଉନି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ବରଂ ଅଭିଯୋଗ ଆଣୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଦାମ ବାବୁଙ୍କ ପ୍ରତି ନିଶ୍ଚିତ ଅନ୍ୟାୟ ହୋଇଛି। ବିଜେଡି ଯେଉଁ ଆଦର୍ଶରେ ଗଢ଼ାଯାଇଥିଲା, ତାହା ବଦଳିଯାଇଛି। ଆଗାମୀ ଦିନରେ କ’ଣ କରାଯିବ, ସେ ସମ୍ପର୍କରେ ପରେ ଆଲୋଚନା ହେବ।

ଦାମଙ୍କ ବହିଷ୍କାର ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଦାମ ବାବୁଙ୍କୁ ବହିଷ୍କାର କରାଯିବା ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର। କିନ୍ତୁ ସେ ଯେଉଁ ଦୁର୍ନୀତି ଅଭିଯୋଗ ଆଣିଥିଲେ, ତାହା ସତ ହୋଇଥିଲେ ସାଂଘାତିକ। ସରକାର ତାହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। ଜଣେ ସ୍ୱାଭିମାନୀ ଓଡ଼ିଆ ଭାବେ ଦାମ ବାବୁ କଂଗ୍ରେସରେ ଯୋଗ ଦେବାକୁ ସେ ଆହ୍ଵାନ ଦେଇଛନ୍ତି।

ସେହିଭଳି କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, ବହୁତ ପୂର୍ବରୁ ଦାମ ବାବୁ ବିଜେଡି ଛାଡିବାର ଥିଲା।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ଦାମ ବାବୁଙ୍କ ବହିଷ୍କାର କରାଯିବା ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର। ଏଥିରେ ଆମର କିଛି କହିବାର ନାହିଁ। କିନ୍ତୁ ଦାମ ବାବୁ ଯେଉଁ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ବିଷୟ ଉଠାଇଛନ୍ତି, ତାହାର ଉତ୍ତର ସରକାରଙ୍କୁ ଦେବାକୁ ପଡ଼ିବ। ଏହି ଦୁର୍ନୀତି ବିଷୟରେ ଫେରାଦ ହେବାକୁ ଏବେ କୌଣସି ଫୋରମ୍‌ ନାହିଁ। ଲୋକପାଳ ସଂସ୍ଥା ଅକାମୀ ହୋଇଯାଇଛି, ଲୋକାୟୁକ୍ତ ନିଯୁକ୍ତି ହୋଇ ନାହାନ୍ତି। ତେଣୁ ରାଜ୍ୟ ସରକାର ଚାରା, ସମବାୟ ଓ ଓମ୍‌ଫେଡ୍‌ ଦୁର୍ନୀତି ଉପରେ ନିଜର ପ୍ରତିକ୍ରିୟା ଦେବା ଜରୁରି।

ଅପର ପକ୍ଷରେ ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ଦାମ ବାବୁଙ୍କୁ ବହିଷ୍କାର କରିବା ଛଡ଼ା ସଭାପତିଙ୍କ ପାଖରେ କିଛି ବିକଳ୍ପ ଥିଲା କି? ଗୋଟିଏ ରାଜନୈତିକ ଦଳ କିପରି ଚାଲେ ଓ ଦଳର ନେତୃତ୍ୱ ନେବା ପାଇଁ ସର୍ବନିମ୍ନ ଯେଉଁ ଆବଶ୍ୟକତା ଥାଏ, ତାହା ହେଉଛି ଶୃଙ୍ଖଳା। ଆଉ ଏହା ଆଚରଣ ଓ ଉଚ୍ଚାରଣରେ ପରିପ୍ରକାଶ ହେବା ଦରକାର।

ସମ୍ବନ୍ଧିତ ଖବର