ରାସ୍ତା ଖରାପ ଯୋଗୁଁ ଗାଁରେ ପହଂଚି ପାରିଲାନି ଗାଡ଼ି, ଖଟିଆରେ ବୁହାହେଲା ଶବ

ମ.ରାମପୁର : ସହର ସହ ଗାଁକୁ ଯୋଡ଼ିବା ଉଦ୍ଦେଶ୍ୟରେ ସରକାର କୋଟି କୋଟି ଖର୍ଚ୍ଚ କରି ବିଭିନ୍ନ ଯୋଜନାରେ ରାସ୍ତା ନିର୍ମାଣ କରୁଛନ୍ତି। ହେଲେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ମୋହନଗିରୀ, ଦେଢଶୂଳୀ, ଉର୍ଲାଦାନୀ, ଲୁବେନଗଡ଼ ପଂଚାୟତର ଅନେକ ଗାଁକୁ ଆଜି ପର୍ଯ୍ୟନ୍ତ ବି ଚାରିଚକିଆ ଯିବା ପାଇଁ ଭଲ ରାସ୍ତାଟିଏ ହୋଇପାରି ନାହିଁ। ଫଳରେ ସୋମବାର ଦିନ ଦେଢଶୁଳୀ ପଞ୍ଚାୟତର ବାଗବିଲା ଗାଁର ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଗ୍ରାମବାସୀ ଖଟିଆରେ ଶବକୁ ବୋହି ୫ କିଲୋମିଟର ଅତିକ୍ରମ କରି ଗାଁରେ ପହଞ୍ଚିଥିଲେ।

ସୂଚନା ମୁତାବକ, ବାଗବିଲା ଗାଁର ଯୋମନ୍ତୀ ମାଝୀ (୩୦) ଗତ ରବିବାର ଅପରାହ୍ନ ୨ଟାରେ କାମ କରିବାକୁ ଯାଇଥିବା ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ପ୍ରଥମେ ମୋହନଗିରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପରେ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ଚିକିତ୍ସା ସତ୍ତ୍ବେ ସେ ଗୁରୁ୍ତର ହୋଇ ପଡ଼ିଥିଲେ। ସୋମବାର ଦିନ ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ଶବକୁ ନିଜ ଗ୍ରାମକୁ ଆଣିଥିଲେ। ହେଲେ ଗାଁକୁ ପହଞ୍ଚିବାକୁ ଆହୁରି ୫ କିଲୋମିଟର ଥିବା ବେଳେ ରାସ୍ତା ଖରାପ ଯୋଗୁଁ ଗାଡ଼ିଟି ଆଗକୁ ଯାଇ ପାରିଲା ନାହିଁ। ଡ୍ରାଇଭର ସେଠାରେ ଶବ ଓହ୍ଲାଇ ଦେଇ ଫେରି ଆସିଥଲା। ପରେ ଗାଁ ଲୋକଙ୍କ ସହାୟତାରେ ଏକ ଖଟିଆରେ ଶବକୁ ବୋହି ପାହାଡ଼ିଆ ରାସ୍ତାରେ ବହୁ କଷ୍ଟରେ ଗାଁରେ ପହଞ୍ଚିଥିଲେ। ଆଜି ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର