ବାପାଙ୍କ ଶ୍ରାଦ୍ଧଦିବସରେ ମୃତ୍ୟୁ; ୪ ବର୍ଷ ହେଲା ଘରକୁ ଆସୁନଥିଲେ, ଶବ ସଂସ୍କାରକୁ ନେଇ ବିବାଦ!

ଯାଜପୁରସଦର : କଟକରେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା ଘଟଣା ପ୍ରଚାର ପରେ ତାଙ୍କ ଜନ୍ମମାଟିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଶୁକ୍ରବାର ଦିନ ବାପାଙ୍କ ଶ୍ରାଦ୍ଧ ଦିବସ ଥିବାରୁ ସେ ଗାଁକୁ ଆସିବାର ଥିଲା। ଏହା ପୂର୍ବରୁ ତାଙ୍କ ମୃତ୍ୟୁ ଖବର ଏଠାରେ ପହଞ୍ଚିଥିଲା। ଅନ୍ୟପଟେ ଶବ ସଂସ୍କାରକୁ ନେଇ ତାଙ୍କ ବାପାଘର ଏବଂ ଶ୍ବଶୁର ଘର ମଧ୍ୟରେ ବିବାଦ ଦେଖାଦେଇଛି।

ଯାଜପୁର ବ୍ଲକ୍‌ ଭୁବନେଶ୍ବରପୁର ପଞ୍ଚାୟତ ଅନ୍ତର୍ଗତ ମଠଗାଁରେ ୧୯୭୪ରେ ସୁବାସ କୁମାର ବିହାରୀ ଜନ୍ମଗ୍ରହଣ କରିଥିଲେ। ନିକଟସ୍ଥ ଶେଷଦେବ ବାସନ୍ତୀ ସ୍କୁଲରେ ହାଇସ୍କୁଲ ଶିକ୍ଷା ପରେ ଏନ୍‌ସି କଲେଜ ଏବଂ ବିରଜା ଆଇନ ମହାବିଦ୍ୟାଳୟରୁ ଶିକ୍ଷାଲାଭ କରି କିଛିଦିନ ଯାଜପୁର କୋର୍ଟରେ ଓକିଲାତି କରିଥିଲେ। ୨୦୦୩ ମସିହାରେ ସେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ସେ କଟକରେ ରହୁଥିବା ବେଳେ ଗାଁରେ ତାଙ୍କ ମାଆ ଓ ସାନ ଭାଇ ରହୁଛନ୍ତି। ଏପରି ଆତ୍ମହତ୍ୟାକୁ ପରିବାର ଲୋକ ଗ୍ରହଣ କରିପାରୁନାହାନ୍ତି। ସେ ବହୁତ ଭଲ ମଣିଷ ଥିଲେ ବୋଲି ଗ୍ରାମବାସୀ କହୁଥିବା ବେଳେ ତାଙ୍କ ସାଙ୍ଗସାଥୀ ବି ଏହି ଖବରକୁ ବିଶ୍ବାସ କରିପାରୁନାହାନ୍ତି।

ଅନ୍ୟପଟେ ତାଙ୍କ ମୃତ୍ୟୁ ପରେ ପାରିବାରିକ ବିବାଦ ସାମ୍ନାକୁ ଆସିଛି। ଆଜି ତାଙ୍କ ସାନଭାଇ ସୁବୋଧ ବିହାରୀ ନିଜର ସଂପର୍କୀୟଙ୍କ ସହ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଗାଁକୁ ଆଣି ଶେଷକୃତ୍ୟ ସଂପନ୍ନ କରିବାକୁ ଚାହିଁଥିଲେ। କିନ୍ତୁ, ସେହି ଭୁବନେଶ୍ବରପୁର ପଞ୍ଚାୟତ କଳସଢିହ ଗ୍ରାମରେ ରହୁଥିବା ଶ୍ବଶୁର ଘର ଲୋକେ ପହଞ୍ଚି ଏହାକୁ ବିରୋଧ କରିବା ସହ ଶବ ସଂସ୍କାର ପାଇଁ ପୁରୀ ସ୍ବର୍ଗଦ୍ବାରକୁ ନେଇଯାଇଛନ୍ତି। ମୃତକଙ୍କ ମା ତୁଲସୀ ବିହାରୀ ନିଜ ପୁଅର ମୁହଁ ଦେଖିବାରୁ ବଞ୍ଚିତ ହୋଇଥିବାରୁ ପୈତୃକ ଗାଁରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୁଇ ପରିବାର ମଧ୍ୟରେ ବିବାଦ କାରଣରୁ ଦୀର୍ଘ ୪ ବର୍ଷ ହେଲା ସେ ନିଜଘରକୁ ଆସୁ ନ ଥିଲେ। ଏଠାକୁ ଆସିଲେ ଶ୍ବଶୁର ଘରେ ରହୁଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବାପାଙ୍କ ଶ୍ରାଦ୍ଧ ଦିବସରେ ଆତ୍ମହତ୍ୟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର