ପାକିସ୍ତାନୀ ଟିଭିରେ ଓଡ଼ିଶା ବିଧାୟକ: ପୁଲଓ୍ୱାମା ସହିଦଙ୍କ ଦାଦାଙ୍କୁ ତଣ୍ଟିଆ ମାରିବା ଭିଡିଓ ପ୍ରସାରଣ କଲା ପାକ୍ ଚାନେଲ୍
ଭୁବନେଶ୍ବର: ପୁଲୱାମାରେ ସହିଦ ଓଡ଼ିଆ ଯବାନଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ଦାଦାଙ୍କୁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ତଣ୍ଟିଆ ମାରିବା ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏବେ ପାକିସ୍ତାନ ଟିଭିରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି । ସହିଦଙ୍କୁ ଜଣେ ରାଜନେତା କିଭଳି ଅସମ୍ମାନିତ କରୁଛନ୍ତି ତାକୁ ପ୍ରାଥମିକତା ଦେଇଛି ପାକିସ୍ତାନୀ ଟିଭି ଚ୍ୟାନେଲ ଏଜାଜ୍ ଟିଭି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଭିଡିଓକୁ ନେଇ ନିଜ ଢଙ୍ଗରେ ଉପସ୍ଥାପନା କରିଛି ସଂପୃକ୍ତ ଟିଭି ଚ୍ୟାନେଲ । ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ନେଇ ଭାରତୀୟ ରାଜନେତାମାନେ କୁମ୍ଭୀର କାନ୍ଦୁଣା କାନ୍ଦୁଥିବା ବେଳେ ବିଜେଡି ବିଧାୟକ କିଭଳି ସହିଦଙ୍କ ଦାଦାଙ୍କୁ ଅସମ୍ମାନ କରୁଛନ୍ତି ତାହା ହିଁ ଦେଖାଇବାକୁ ଚେଷ୍ଟା କରିଛି ପାକିସ୍ତାନୀ ଗଣମାଧ୍ୟମ ।
Sambad is now on WhatsApp
Join and get latest news updates delivered to you via WhatsApp
ସେପଟେ ଏହି ଘଟଣା ନେଇ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ଏବଂ କହିଥିଲେ ଯେ, ଅଜାଣତରେ ସହିଦଙ୍କ ସଂପର୍କୀୟଙ୍କୁ ଆଘାତ ଦେଇଥିବାରୁ କ୍ଷମା ପ୍ରାର୍ଥନା କରିବା ସହ ଦୁଃଖ ପ୍ରକାଶ କରୁଛି । ସହିଦଙ୍କ ଅନ୍ତମ ସଂସ୍କାର ବେଳେ ସେଠାରେ କିଛି ଲୋକ ବିଶୃଙ୍ଖଳା କରୁଥିଲେ । ତେଣୁ ସେ ତାଙ୍କୁ ଟାଣି ଆଣି ସେଠାରେ ବସେଇ ଦେଇଥିଲେ । ସେହି ବ୍ୟକ୍ତି ମନୋଜଙ୍କ ସଂପର୍କୀୟ ବୋଲି ଜାଣି ନ ଥିବା କହିଥିଲେ କଟକ-ବାରବାଟୀ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ।
ବୋଧହୁଏ ପ୍ରଥମ ଥର ଓଡିଶାର ଜଣେ ନେତାଙ୍କୁ ନେଇ ପାକିସ୍ତାନ ଟିଭିରେ ଖବର ପ୍ରସାରଣ ହେଇଛି । ସହିଦଙ୍କ ଦାଦାଙ୍କୁ ତଣ୍ଟିଆ ମାରି ବିବାଦୀୟ ହୋଇପଡିଥିବା ବିଜେଡି ବିଧାୟକଙ୍କୁ ଚାରିଆଡ଼େ ସମାଲୋଚନା କରିଛନ୍ତି । ଆଞ୍ଚଳିକ ଓ ଜାତୀୟ ଚ୍ୟାନେଲରେ ମଧ୍ୟ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ନେଇ ଖବର ପ୍ରସାରିତ ହେବା ସହ ବିରୋଧୀମାନେ ଏହି ଘଟଣାକୁ ନେଇ ଶାସକ ବିଜେଡିକୁ ଘେରିଛନ୍ତି ।