ଶିଳ୍ପ କରିଡର୍‌ରେ ନିଯୁକ୍ତି ହ୍ରାସ: ୪ ବର୍ଷରେ ୧୧ହଜାର ଶ୍ରମିକ ବିଦା

ଅନୁଗୁଳ : ଶିଳ୍ପ କରିଡର୍‌ରେ ଶ୍ରମିକଙ୍କ ସଂଖ୍ୟା କେତେ? ଶିଳ୍ପ କ୍ଷେତ୍ରରେ କେତେ ଶ୍ରମିକ ପରିବାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ପାଇଛନ୍ତି? ଅନୁଗୁଳ ଭଳି ଶିଳ୍ପ ବହୁଳ ଜିଲ୍ଲାରେ ଏ ପ୍ରଶ୍ନ ସବୁବେଳେ ଉଙ୍କି ମାରୁଥିବା ବେଳେ ରାଜ୍ୟ ଶିଳ୍ପମନ୍ତ୍ରୀ ବିଧାନସଭାରେ ଏହାର ଉତ୍ତର ରଖିଛନ୍ତି। ରିପୋର୍ଟ କହୁଛି, ଗଲା ଚାରିବର୍ଷ ମଧ୍ୟରେ ଅନୁଗୁଳ ଜିଲ୍ଲାରେ ଶ୍ରମିକଙ୍କ ନିଯୁକ୍ତି ପ୍ରାୟ ଅଧାକୁ ଖସିଛି। ଚାରିବର୍ଷ ତଳେ ଅନୁଗୁଳ ଜିଲ୍ଲାରେ ପରୋକ୍ଷ ଭାବେ ଯେଉଁଠି ୨୧ହଜାର ୮୮ଜଣ ଶ୍ରମିକଙ୍କୁ ନିଯୁକ୍ତି ପାଇଥିଲେ, ଚଳିତ ଆର୍ଥିକ ବର୍ଷରେ ତାହା ୧୨ହଜାର ୪୪୦କୁ ଖସି ଆସିଛି। ପରୋକ୍ଷ ନିଯୁକ୍ତି ପାଇଥିବା ପାଖାପଖି ୯ହଜାର ଶ୍ରମିକ ଶିଳ୍ପ ସଂସ୍ଥାରୁ ବିଦାୟ ନେଇଥିବା ରିପୋର୍ଟ ସ୍ପଷ୍ଟ କରୁଛି।

ଅନୁଗୁଳକୁ ଶିଳ୍ପ କରିଡ଼ର କହିବାର ଉଦ୍ଦେଶ୍ୟ, ନାଲ୍‌କୋ, ଏନ୍‌ଟିପିସି ଭଳି ଏଠି ଜାତୀୟ ଏବଂ ଅନ୍ତର୍ଜାତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସବୁ କେବଳ ଠିଆ ହୋଇନାହିଁ, ବରଂ ବିଶ୍ବ ଦରବାରରେ ପରିଚିତ ହେଲା ଭଳି ବଡ଼ ବଡ଼ ଇସ୍ପାତ ଶିଳ୍ପ ସଂସ୍ଥା ବି ଏ ମାଟିରେ ଠିଆହୋଇଛି। ଶିଳ୍ପ ସଂସ୍ଥା ଦେଶର ଅର୍ଥନୀତିକୁ ଯେମିତି ବିକଶିତ କରାଏ, ଠିକ୍‌ ସେମିତି ବେକାରୀ ଦୂର କରିବାରେ ବି ଅଂଶୀଦାର ହୁଏ। ଶିଳ୍ପ ବିଭାଗ ରିପୋର୍ଟ କହୁଛି, ୨୦୦୯-୧୦ ଆର୍ଥିକ ବର୍ଷରୁ ଶିଳ୍ପସଂସ୍ଥା ଜରିଆରେ ଜିଲ୍ଲାର ବେକାରୀ ସମସ୍ୟା କିଛିଟା ଦୂର କରାଯାଇଥିଲା। ଜିଲ୍ଲାର ବିଭିନ୍ନ ଶିଳ୍ପସଂସ୍ଥାରେ ପ୍ରତ୍ୟକ୍ଷ ଭାବେ ୩୭୨୮ଜଣ ଶ୍ରମିକ ନିଯୁକ୍ତି ପାଇ କାମ ପାଇଥିଲେ। ଶିଳ୍ପସଂସ୍ଥା ଦ୍ବାରା ପ୍ରତ୍ୟକ୍ଷ ଭାବେ ଉପକୃତ ହୋଇଥିଲେ। ଏବଂ ପରୋକ୍ଷରେ ୧୪ହଜାର ୨୩ଜଣଙ୍କୁ ଶିଳ୍ପସଂସ୍ଥାରେ ନିଯୁକ୍ତି ପାଇଥିଲେ। ମୋଟ୍ ଉପରେ ସେହିବର୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ମୋଟ୍ ୧୭ହଜାର ୭୫୧ଜଣଙ୍କୁ ନିଯୁକ୍ତି ମିଳିଥିଲା।

ଠିକ୍‌ ପ୍ରାୟ ପାଞ୍ଚବର୍ଷ ପରେ ଶ୍ରମିକ ନିଯୁକ୍ତି ପ୍ରାୟ ଦୁଇଗୁଣିତ ହୋଇଥିଲା। ୨୦୧୪-୧୫ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ନିଯୁକ୍ତି ୩,୭୨୮ରୁ ବୃଦ୍ଧି ପାଇ ୭ହଜାର ୧୮୦ରେ ପହଞ୍ଚିଥିଲା। ସେହିପରି, ପରୋକ୍ଷ ଶ୍ରମିକ ନିଯୁକ୍ତି ୧୭ହଜାର ୭୫୧ରୁ ୩୪ହଜାର ୧୮୯ ହୋଇଥିଲା। କିନ୍ତୁ, ତା’ ପରଠାରୁ ଶିଳ୍ପ ଜଗତରେ ନିଯୁକ୍ତି ଧିମେଇ ଯାଇଛି। ୨୦୧୮-୧୯ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଭାବେ ଯେଉଁଠି ୫୬୦୬ଜଣ ଶ୍ରମିକ ନିଯୁକ୍ତି ପାଇଥିଲେ, ୨୦୨୨-୨୩ ଆର୍ଥିକ ବର୍ଷ ବେଳକୁ ସେଥିରୁ ୨୪୦୫ ଜଣ ବିଦା ହୋଇଛନ୍ତି। ଠିକ୍‌ ସେହିପରି ପରୋକ୍ଷ ଭାବେ ଚାରିବର୍ଷ ତଳେ ଯେଉଁଠି ୨୧ହଜାର ୮୮ଜଣ ଶ୍ରମିକ ହାତକୁ କାମ ପାଇଥିଲେ, ଚଳିତ ଆର୍ଥିକବର୍ଷ ବେଳକୁ ସେଥିରେ ବି ପ୍ରାୟ ୯ହଜାର ୪୪ଜଣ କମିଛନ୍ତି। ମୋଟ୍ ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଶ୍ରମିକ ନିଯୁକ୍ତି ପରିସଂଖ୍ୟାନକୁ ହିସାବ କଲେ, ଗଲା ଚାରିବର୍ଷ ଅପେକ୍ଷା ଚଳିତ ଆର୍ଥିକ ବର୍ଷରେ ମୋଟ୍ ୧୧ହଜାର ୪୪୦ଜଣ ଶ୍ରମିକଙ୍କୁ ଶିଳ୍ପସଂସ୍ଥାରୁ ବିଦା ହୋଇଥିବା ରିପୋର୍ଟ ସ୍ପଷ୍ଟ କରୁଛି।

ସମ୍ବନ୍ଧିତ ଖବର