କୁକୁରଙ୍କ ଆକ୍ରମଣରେ ହରିଣ ମୃତ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ତର ବଡ଼ମାଳ ରେଂଜ ଅଞ୍ଚଳର ସଂରକ୍ଷିତ ଜଙ୍ଗଲରେ କୁକୁର ଆକ୍ରମଣରେ ଏକ ହରିଣର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶୁକ୍ରବାର ଦିନରେ ଏକ ହରିଣ ବଡ଼ମାଳ ସଂରକ୍ଷିତ ଜଙ୍ଗଲ ପାଖରେ ବୁଲାବୁଲି କରୁଥିଲା। ଏହି ସମୟରେ କୁକୁର ପଲ ହରିଣକୁ ଦେଖି ଘୋଡ଼ାଇଥିଲେ। ହରିଣଟି ଭୟଭୀତ ହୋଇ ବଡ଼ମାଳ ଗାଁ ଭିତରକୁ ପଶି ଆସିଥିଲା। ଗାଁ ଲୋକ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଗୁରୁତର ଅବସ୍ଥାରେ ହରଣକୁ ଉଦ୍ଧାର କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ହରିଣଟିର ମୃତ୍ୟୁ ଘଟିଥିଲା। ପରେ ରେଢ଼ାଖୋଲ ପ୍ରାଣୀଧନ ଚିକିତ୍ସାଳୟରେ ମୃତ ହରିଣର ଶବ ବ୍ୟବେଚ୍ଛେଦ ପରେ ବଡ଼ମାଳ ନର୍ସରିଠାରେ ତାକୁ ପୋତି ଦିଆଯାଇଥିଲା।

ମୃତ ହରିଣଟି ଅଣ୍ତିରା ହୋଇଥିବା ବେଳେ ତାର ବୟସ ଚାରି ବର୍ଷ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ ଥାଉ କି କିଛି ମାସ ହେଲାଣି ହରିଣ ତଥା ଅନ୍ୟ ଜୀବଜନ୍ତୁମାନେ ବିଭିନ୍ନ ଗ୍ରାମ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲ ପାଖରେ ବୁଲାବୁଲି କରୁଛନ୍ତି। ଏହି ସମୟରେ କୁକୁରଙ୍କ ଆକ୍ରମଣରେ ସେମାନଙ୍କ ମୃତ୍ୟୁ ହେଉଛି। ବନ ବିଭାଗ ଉଚ୍ଚକର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

 

ସମ୍ବନ୍ଧିତ ଖବର