ବାରିପଦାରେ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ : ଗଡ଼ିବ ନାହିଁ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ

କଟକଣା ଭିତରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଆରମ୍ଭ ବାଦି

ଶ୍ରୀହୀନ ହେଲା ବଡ଼ଦାଣ୍ଡ, ଜଗନ୍ନାଥ ପ୍ରେମୀ ନିରାଶ
ଶହ ଶହ ବର୍ଷର ପରମ୍ପରା ଭଙ୍ଗ
ଜଗନ୍ନାଥ ସେବାୟତ ସଂଘ, ଜଗନ୍ନାଥ ବାହିନୀ ଓ ମୟୂରଭଞ୍ଜବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାରିପଦା : ରଥେ ତୁ ବାମନଂ ଦୃଷ୍ଟ୍‌। ପୁର୍ନଜନ୍ମ ନ ଲଭ୍ୟତେ ଅର୍ଥାତ୍ ବଡ଼ଦାଣ୍ଡରେ ବାମନ ରୂପି ମହାପ୍ରଭୂଙ୍କୁ ଦର୍ଶନ କଲେ ପୁର୍ନଜନ୍ମରୁ ମୁକ୍ତି ମିଳିବା ସହିତ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ଜଗନ୍ନାଥ ସଂସ୍କୃତିରେ ଦର୍ଶାଯାଇଛି ଏବଂ ଭକ୍ତମାନେ ବିଶ୍ୱାସ ରଖିଛନ୍ତି । ପୁଣି ପ୍ରତ୍ୟେକ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନସିଂହାସନ ତ୍ୟାଗକରି ଭକ୍ତମାନଙ୍କ ସହିତ ଲୀଳାଖେଳା କରିବା ନିମନ୍ତେ ବଡ଼ଦାଣ୍ଡକୁ ବିଜେ ହୋଇଥାନ୍ତି । କିନ୍ତୁ କରୋନା କଟକଣା ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ଶ୍ରୀହରିବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାକୁ ବାଟବଣା କରାଇଦେଇଛି । ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଚଳିତ ବର୍ଷ ରଥ ପ୍ରସ୍ତୁତ, ପଥ ପଥ ପ୍ରସ୍ତୁତ କିନ୍ତୁ ବଡ଼ଦାଣ୍ଡରେ ଗଡ଼ିବ ନାହିଁ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ । ଶ୍ରୀହୀନ ହେଲା ବଡ଼ଦାଣ୍ଡ, ଜଗନ୍ନାଥ ପ୍ରେମୀ ନିରାଶ । ଶହ ଶହ ବର୍ଷର ପରମ୍ପରା ଭଙ୍ଗ ହେବାକୁ ବସିଛି।

ମାଦଳା ପଞ୍ଜିକାରେ ଥରେ ରଥ ବନ୍ଦ ହେଲେ ୧୨ ବର୍ଷ ପରେ ପୁଣି ଥରେ ଟଣା ଯିବ ବୋଲି ଉଲ୍ଲେଖ ରହିଛି । ଏହି ସମୟରେ ଜୁନ ୨୩ରେ ଶ୍ରୀକ୍ଷେତ୍ରଧାମ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଲୀଳାଖେଳା ଶେଷ କରି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଜୁନ ୨୪ରେ ଦର୍ଶନ ଦେଇଥାନ୍ତେ । ଏଥି ନିମନ୍ତେ ଜୁନ ୨୩ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭ୍ରାତା ବଳଭଦ୍ର , ଭଉଣୀ ସୁଭଦ୍ରା ଏବଂ ମହାପ୍ରଭୁ ସୁଦର୍ଶନଙ୍କ ସହିତ ଗୋଟି ପହଣ୍ଡି ବିଜେରେ ବାହାରି ବଡ଼ଦାଣ୍ଡରେ ରଥାରୂଢ଼ ହୋଇଥାନ୍ତି । ମାତ୍ର କରୋନା କଟକଣା ମଧ୍ୟରେ ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ କ୍ରମେ ଶ୍ରୀକ୍ଷେତ୍ରଧାମ ପୁରୀରେ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ଅନୁଷ୍ଟିତ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର କଟକଣା ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁଙ୍କ ଘୋଷଯାତ୍ରାରେ ବାଧକ ସାଜିଛି । ଏଣୁ କରୋନା କଟକଣା ଭିତରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଆରମ୍ଭ ବାଦିରେ ଆଜି ଜଗନ୍ନାଥ ସେବାୟତ ସଂଘ, ଜଗନ୍ନାଥ ବାହିନୀ ଓ ମୟୂରଭଞ୍ଜବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସଂଗେସଂଗେ ମହାପ୍ରଭୁଙ୍କ ସେବାୟତ ଅରୁଣ କୁମାର ମିଶ୍ର, ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶ୍ୱେଶର ଟୁଡ଼ୁ, କଳିଙ୍ଗ କେଶରୀ ଜେନା, ସମାଜସେବୀ ତଥା ମୟୂରଭଞ୍ଜ ବାର ଆସୋସିଏସନର ପୂର୍ବତନ ସାଧାରଣ ସମ୍ପାଦକ ବିଭୂ ପ୍ରସାଦ ଦାସ, ଯୁଗେଶ କୁମାର ଅଗ୍ରୱାଲା, ଆଇନଜୀବୀ ଜ୍ୟୋତିପ୍ରକାଶ ରଥ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରି ରଥଯାତ୍ରା ଉପରେ ପୁର୍ନବିଚାର କରାଇବାକୁ ଦାବି କରିଥିଲେ ।

ଆଜି ଶତାଧିକ ଜଗନ୍ନାଥ ପ୍ରେମୀ ମନ୍ଦିର ସିଂହ ଦ୍ୱାର ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚି ରଥଯାତ୍ରା ବନ୍ଦର ପୁର୍ନବିଚାର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ସମୟରେ ଲକ୍ଷ୍ମଣ ତ୍ରିପାଠୀ, ଅରବିନ୍ଦ ଦାସ, କାମେଶ୍ୱର ତ୍ରିପାଠୀ, ପ୍ରଭାତ ସାହୁ, ବଳରାମ ରଣା, ଜୟନ୍ତ ତ୍ରିପାଠୀ, ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଶତାଧିକ ଜଗନ୍ନାଥ ପ୍ରେମୀ ସାମିଲ ହୋଇଥିଲେ ।

ସୂଚନା ଯୋଗ୍ୟ ଯେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ସମସ୍ତ ନୀତିକାନ୍ତି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟନିର୍ଘଣ୍ଟ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ମନ୍ଦିର ବେଢ଼ା ଭିତରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର