ସାଇବର ଅପରାଧୀଙ୍କ ନୂଆ ଥୋପ- ‘କୋଭିଡ୍‍’

ପ୍ରସଙ୍ଗ

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅନ୍ତର୍ଗତ ଭାରତୀୟ ‘କମ୍ପ୍ୟୁଟର୍ ଜରୁରୀକାଳୀନ ମୁକାବିଲା ଦଳ’ (ସିଇଆର୍‍ଟି-ଆଇଏନ୍) ଭାରତରେ ଏକ ବଡ଼ ଧରଣର ସାଇବର୍ ଆକ୍ରମଣର ଆଶଙ୍କା ନେଇ ଚେତାଇ ଦେଇଛି। ଏହି ସାଇବର୍ ଅପରାଧୀମାନେ କୋଭିଡ୍‍କୁ ଏକ ଥୋପ ଭାବେ ବ୍ୟବହାର କରିପାରନ୍ତି ବୋଲି ସତର୍କ କରାଇ ଦିଆଯାଇଛି। ଇଣ୍ଟର୍‍ନେଟ୍ ବ୍ୟବହାର କରୁଥିବା ଅଗଣିତ ଭାରତୀୟ ଦେଶ ତଥା ବିଶ୍ବର ମହାମାରୀ ସ୍ଥିତି ଜାଣିବା ପାଇଁ ଅନ୍‍ଲାଇନ୍‌ରେ ‘କୋଭିଡ୍‌-୧୯’ ଶୀର୍ଷକରେ ତଥ୍ୟ ସନ୍ଧାନ କରିଥାଆନ୍ତି। ଏହାର ସୁଯୋଗ ନେଇ ‘କୋଭିଡ୍‌-୧୯’ ଥୋପରେ କରୋନା-ଆଗ୍ରହୀ ନେଟିଜେନ୍‌ଙ୍କୁ ଫସାଇ ସେମାନଙ୍କ ଇ-ମେଲ୍ ସାହାଯ୍ୟରେ ସେମାନଙ୍କ ବ୍ୟକ୍ତିଗତ ତଥା ବ୍ୟାଙ୍କ କାରବାର ଜନିତ ତଥ୍ୟ ହାସଲ କରିବା ପାଇଁ ଏକ ସୁପରିକଳ୍ପିତ ଚକ୍ରାନ୍ତ ଏହି ଅପରାଧୀମାନେ ପ୍ରସ୍ତୁତ କରି ରଖିଛନ୍ତି।

ସରକାରଙ୍କ ତଥ୍ୟ ଅନୁସାରେ ହ୍ୟାକର୍‍ମାନେ ୨୦ ଲକ୍ଷ ଲୋକଙ୍କ ଇ-ମେଲ୍‍ ଠିକଣା ହାସଲ କରି ‘ମାଗଣା କୋଭିଡ୍-୧୯ ପରୀକ୍ଷା’, ‘ସରକାରୀ କୋଭିଡ୍ ସହାୟତା’ ଭଳି ଶୀର୍ଷକରେ ଇ-ମେଲ୍ ପଠାଇବା ଆରମ୍ଭ କଲେଣି। ବିଭିନ୍ନ ସରକାରୀ ବିଭାଗରୁ ପଠାଯାଇଥିବା ଇ-ମେଲ୍‍ର ଭ୍ରମ ସୃଷ୍ଟି କରି ଲୋକମାନଙ୍କ ଠାରୁ ବ୍ୟାଙ୍କ୍‌ ତଥା ଅନ୍ୟାନ୍ୟ ଗୋପନୀୟ ତଥ୍ୟ ନେଇ ଯିବାର ଆଶଙ୍କା ସୃଷ୍ଟି ହୋଇଛି।

ମହାମାରୀ ସମୟରେ ଏକ ବରଦାନ ସାବ୍ୟସ୍ତ ହେଉଥିବା ଅନ୍‍ଲାଇନ୍‍ ସେବାକୁ ଅସ୍ତ୍ର କରି ଏଭଳି ଆକ୍ରମଣ ଅର୍ଥନୀତିକୁ ଧ୍ବସ୍ତ କରିବାର ଏ ଚକ୍ରାନ୍ତକୁ ରୋକିପାରିବ କେବଳ ଜନସାଧାରଣଙ୍କ ସଚେତନତା।

ସମ୍ବନ୍ଧିତ ଖବର