ଶାରଳା ସୂତାକଳ ଖୋଲିବା ପ୍ରସଙ୍ଗ : ସ୍ୱର ଉଠାଇଲେ ଯୁବ ପିଢ଼ିଙ୍କ ସମେତ ଜଗତସିଂହପୁର ଡେଭଲପ୍‌ମେଣ୍ଟ ଫୋରମ୍

ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ନାଉସୀରାରେ ଥିବା ଶ୍ରୀ ଶାରଳା ବୁଣାକାର ସମବାୟ ସୂତା କଳ ଲିଃକୁ ଚାଲୁ କରିବା ପାଇଁ ସ୍ୱର ଉଠାଇଛନ୍ତି ଜଗତସିଂହପୁରବାସୀ । ସମ୍ବାଦ-କନକ ନିୟୁଜରେ ଖବର ପ୍ରସାରଣ ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ଏନେଇ ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଜଗତସିଂହପୁର ଡେଭଲପମେଣ୍ଟ ଫୋରମ୍ ଓ ଜଗତସିଂହପୁର କିଛି ଉଦୀୟମାନ ଯୁବକ ଏକତ୍ରିତ ହୋଇ ଦାବି ପତ୍ର ଦେଇଛନ୍ତି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରାଜ୍ୟ ସରକାରଙ୍କୁ ଜଣାଇ ଯଥା ସମ୍ଭବ ଉଦ୍ୟମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ସରକାର କିଭଳି ଆନ୍ତରିକତା ଦେଖାଉଛନ୍ତି ତାକୁ ନେଇ ଜିଲ୍ଲାବାସୀ ଅପେକ୍ଷା କରି ବସିଛନ୍ତି ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବହ୍ଲଭ ପଟ୍ଟନାୟକଙ୍କ ସମୟରେ ୩୦ ଏକରୁ ଅଧିକ ଜମିରେ ଶାରଳା ସୂତାକଳ ଆରମ୍ଭ ହୋଇଥିଲା । ଏଥିପାଇଁ ସରକାର ୧୨ କୋଟି ଟଙ୍କା ବ୍ୟୟ କରିଥିଲେ । ସୂତାକଳ ୧୮୮୨ରେ ଆରମ୍ଭ ହୋଇଥିବା ବେଳେ ୧୯୮୪ରେ ସୂତା ପ୍ରଡକ୍ସନ ହୋଇଥିଲା । ସମବାୟ ଭିତ୍ତିରେ ଆରମ୍ଭ ହୋଇଥିବାରୁ ସରକାର ବୁଣାକାର ମାନଙ୍କୁ ପଚାଶ ପ୍ରତିଶତ ସବ୍‌ସିଡ୍ ଦେଉଥିଲେ । ପ୍ରାୟ ୨୦୦ ଅଧିକାରୀ ଓ ୧୩୦୦ କର୍ମଚାରୀଙ୍କୁ ନେଇ ଚାଲିଥିଲା ସୂତାକଳ । ଏହା ଭିତରେ ଗେଷ୍ଟ ହାଉସ୍, ଷ୍ଟାଫ୍ କ୍ୱାଟର ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ଥିଲା । ହେଲେ ସରକାର ସବ୍‌ସିଡ୍ ବନ୍ଦ କରି ଦେବା ସହ କର୍ମଚାରୀଙ୍କ ଦରମା ବୃଦ୍ଧି ଯୋଗୁଁ ଦେବାଳିଆ ହୋଇ ଗଲା ସୂତାକଳ । ଏହାପରେ ୧୯୯୯ ମସିହା ମହାବାତ୍ୟାରେ ସୂତାକଳ ସମ୍ପୂର୍ଣ୍ଣ ଛାରଖାର ହୋଇ ଯାଇଥିଲା । ସେବେଠାରୁ ଦୀର୍ଘ ୨୦ ବର୍ଷ ହେବ ବନ୍ଦ ହୋଇଯିବାରୁ ଧୀରେ ଧୀରେ ଜରାଜୀର୍ଣ୍ଣ ଅବସ୍ଥା ପାଲଟି ଯାଇଛି।

କରୋନା ଲକ୍‌ଡାଉନ୍ ଯୋଗୁଁ ବିଦେଶକୁ ଯାଇଥିବା ପ୍ରାୟ ୧୪ ହଜାର ପ୍ରବାସୀ ଏବେ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ୫ ଶହରୁ ଅଧିକ ସୁରଟରେ କାମ କରୁଥିବା କୁଶଳୀ କାରିଗର ଅଛନ୍ତି । ସରକାର ପୁଣି ଶାରଳା ସୂତାକଳ ଚାଲୁ କରି ପ୍ରବାସୀଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ ଜଗତସିଂହପୁର ଡେଭଲମମେଣ୍ଟ ଫୋରମ୍ ପକ୍ଷରୁ ଦାବି କରାଯାଇଛି । ଫୋରମ୍‌ର ଆବାହକ ଦେବେନ୍ଦ୍ର ନାଥ ରାଉତଙ୍କ ତତ୍ୱାବଧାନରେ କାଳିକିଙ୍କର ମହାନ୍ତି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ସେହିପରି ଜଗତସିଂହପୁର ଯୁବପିଢ଼ିଙ୍କ ପକ୍ଷରୁ ରବିନାରାୟଣ କର ଜିଲ୍ଲାପାଳଙ୍କୁ ଦାବପତ୍ର ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଜୟ ଗୋଚ୍ଛାୟତ, ସୁରେଶ ମଲ୍ଲିକ, ସୌଭାଗ୍ୟ ସ୍ୱାଇଁ, ରୁଦ୍ର ଆଚାର୍ଯ୍ୟ, ଅବନୀକାନ୍ତ ଦାଶ, ଶ୍ୟାମ ସୁନ୍ଦର ସାହୁ, ଅଂଶୁମାନ ମହାନ୍ତି, ଆଶିଷ ମହାନ୍ତି, ପବିତ୍ର ମହାନ୍ତି, ମନୋରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଦାବି ଜଣାଇଥିଲେ । ଖବର ପ୍ରକାଶ ପରେ ବିଜେପି ଓ କଂଗ୍ରେସ ମଧ୍ୟ ଦାବି ଜଣାଇଛନ୍ତି ।

ତେବେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ମଧ୍ୟ ସୂତାକଳ ଚାଲିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ଫାଇଭ୍‌ ଟି ସଚିବଙ୍କୁ ଉକ୍ତ ସ୍ଥାନକୁ ଆଣି ଦେଖାଇବା ନେଇ ପ୍ରତିକ୍ରିୟା ଦେଇଥିଲେ । ହେଲେ କେବେ ଜିଲ୍ଲାବାସୀଙ୍କ ସ୍ୱପ୍ନ ପୂରଣ ହେବ ତାକୁ ନେଇ ଆଶା ଆଶଙ୍କାରେ ଅଛନ୍ତି ଜିଲ୍ଲାବାସୀ।

ସମ୍ବନ୍ଧିତ ଖବର