ଚୌଦ୍ୱାରରେ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ଦାବି: ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର : କଟକ ଚୌଦ୍ବାରରେ ଏକ ଟେକ୍ସଟାଇଲ୍‌ ପାର୍କ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛି ସମାଜବାଦୀ ପାର୍ଟି। ଏକ ପ୍ରେସ୍‌ ବିବୃତିରେ ପାର୍ଟିର ରାଜ୍ୟ ସଭାପତି ରବି ବେହେରା କହିଛନ୍ତି, ଗତକାଲି ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ୭ଟି ମେଗା ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନୁମୋଦିତ ହୋଇଛି। ଏହି ପ୍ରକଳ୍ପରେ ୪,୪୪୫ କୋଟି ଟଙ୍କା ଆସନ୍ତା ୫ବର୍ଷରେ ଖର୍ଚ୍ଚ କରାଯିବ। ଏହାଦ୍ୱାରା ପ୍ରତ୍ୟକ୍ଷ ଭାବେ ୧ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ୨ ଲକ୍ଷରୁ ଅଧିକ ନିଯୁକ୍ତି ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ଦୃଷ୍ଟିରୁ ଦେଖିବାକୁ ଗଲେ ଓଡ଼ିଶା ପାଇଁ ଏକ ବଡ଼ ସୁଯୋଗ ରହିଛି।

ଅତୀତରେ ଚୌଦ୍ୱାର ଶିଳ୍ପାଞ୍ଚଳ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଟେକ୍ସଟାଇଲ୍ ବଜାରରେ ବେଶ୍‌ ସୁନାମ ଅର୍ଜନ କରିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସେତେବେଳର ବିଶିଷ୍ଟ ଶିଳ୍ପପତି ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ଓ.ଟି.ଏମ୍‌ ଯୋଗୁଁ ଓଡ଼ିଶାର ବସ୍ତ୍ର ଓ ପୋଷାକପତ୍ର ଚାହିଦା ପୂରଣ ହେବା ସହିତ ହଜାର ହଜାର ଲୋକ ଓ.ଟି.ଏମ୍‌.ରେ ପ୍ରତ୍ୟକ୍ଷ ନିଯୁକ୍ତି ପାଇଥିଲେ। ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓ.ଟି.ଏମ୍‌ ତଥା ଚୌଦ୍ୱାର ଶିଳ୍ପାଞ୍ଚଳ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଥିଲା। କିନ୍ତୁ ଗତ ୨୦ ବର୍ଷ ହେଲା ଓ.ଟି.ଏମ୍‌. ବନ୍ଦ ହୋଇପଡ଼ିଛି। ତେଣୁ କେନ୍ଦ୍ର କ୍ୟାବିନେଟ୍‌ରେ ଅନୁମୋଦିତ ଏହି ପ୍ରକଳ୍ପର ଲାଭ ଓଡ଼ିଶା ଉଠାଇବା ଦରକାର। ତେଣୁ ଚୌଦ୍ୱାରରେ ଏକ ମେଗା ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ପାଖରେ ଦାବି କରନ୍ତୁ ବୋଲି ଶ୍ରୀ ବେହେରା କହିଛନ୍ତି। ଏହାଦ୍ବାରା ଓଡ଼ିଶାର ଶିଳ୍ପ ମାନଚିତ୍ରରେ ଚୌଦ୍ୱାର ପୁଣିଥରେ ତା’ର ହୃତଗୌରବ ଫେରି ପାଇବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର