ଗଞ୍ଜାମ ଜିଲ୍ଲାରେ ଥମୁନି ଡେଙ୍ଗୁ : ଚଳିତବର୍ଷ ୧୬୪ରେ ପହଞ୍ଚିଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ଶେରଗଡ଼କୁ ପୁଣି ବାହୁଡ଼ିଲା, ଜଣେ ଆକ୍ରାନ୍ତ

ବ୍ରହ୍ମପୁର/ଶେରଗଡ଼ : ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ଥମିବା ନାଁ ନେଉନି। ଗତବର୍ଷ ୧୫୫ଜଣ ଆକ୍ରାନ୍ତ ହୋଇଥିବା ବେଳେ ଚଳିତବର୍ଷ ଏହା ବୃଦ୍ଧି ପାଇ ୧୬୪ରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ କିଛି ଦିନର ବିରତ ପରେ ପୁଣି ଶେରଗଡ଼ ବ୍ଲକକୁ ଡେଙ୍ଗୁ ବାହୁଡ଼ିଛି। ଏଥର ‌ବ୍ଲକ ହେଡକ୍ବାର୍ଟର ଶେରଗଡ଼ ଗ୍ରାମରୁ ହିଁ ଜଣେ ଯୁବକ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ଜଣକ ହେଲେ ଶେରଗଡ଼ ଚଣ୍ଡସାହିର ଆଦିତ୍ୟ ପଣ୍ଡା। ସେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏମ୍‌କେସିଜି ମେଡିକାଲ ଡେଙ୍ଗୁ ୱାର୍ଡରେ ମୋଟ ୫ଜଣ ରୋଗୀ ଚିକିତ୍ସାଧୀନ ରହିଛନ୍ତି। ଫଳରେ ଏହାକୁ ମିଶାଇ ସରକାରୀ ହିସାବରେ ଶେରଗଡ଼ ବ୍ଲକରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। କିନ୍ତୁ ବେସରକାରୀ ସଂଖ୍ୟା ୪୦ରୁ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି। ଚଣ୍ଡସାହିରେ ବିପର୍ଯ୍ୟସ୍ତ ପରିମଳ ସାଙ୍ଗକୁ ବିଭିନ୍ନ ଘରର ବାଡ଼ି ପଟେ ପାଣି ଜମି ରହିବା ଦ୍ୱାରା ଏଡିସ ମଶାଙ୍କ ବଂଶବୃଦ୍ଧି ପାଉଛି। ଫଳରେ ଯୁବକଜଣକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆଜି ସୁଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୬୪ଜଣ ରୋଗୀଙ୍କ ମଧ୍ୟରୁ ୧୧୨ଜଣ ରୋଗୀ ବାହାର ରାଜ୍ୟରୁ ଆସିଥିବା ବେଳେ ୫୨ଜଣ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ଆର୍‌. ଜଗଦୀଶ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଶେରଗଡ଼ ବ୍ଲକ ଗୋବିନ୍ଦପୁର, ନରେନ୍ଦ୍ରପୁର, ସୁବଳୟାପଲ୍ଲୀ, ଠୁରୁବୁରାଇ ଓ ଭୁଷୁଣ୍ଡା ଅଞ୍ଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। କିନ୍ତୁ ବର୍ତ୍ତମାନ ଶେରଗଡ଼ ଗ୍ରାମରେ ପ୍ରଥମ ଡେଙ୍ଗୁ ଚିହ୍ନଟ ପରେ ଆତଙ୍କ ଆରମ୍ଭ ହୋଇଛି। କାରଣ ଗ୍ରାମରେ ପାଣି ନିଷ୍କାସନ ପାଇଁ ସଠିକ୍ ବ୍ୟବସ୍ଥା ନାହିଁ। ବିଭିନ୍ନ ସ୍ଥାନରେ ବର୍ଷାପରେ ପାଣି ଜମି ରହୁଛି। ଫଳରେ ଯୁଦ୍ଧକାଳୀନ ଭିତ୍ତିରେ ମଶା ଅଣ୍ଡା ଦିଆ ଘର ନଷ୍ଟ କରାନଗଲେ ପରିସ୍ଥିତି ଭୟାବହ ରୂପ ନେବା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ବଡ଼ଦାଣ୍ଡ ସାହି, କେଉଁଟ ସାହି ଓ ପାଇକ ସାହି ଇଲାକାରେ ବି ପରିମଳ ବିପର୍ଯ୍ୟସ୍ତ ହୋଇଛି। ଯେଉଁ ବ୍ଲକରେ ରୋଗୀ ଚିହ୍ନଟ ହେଉଛନ୍ତି ସେ ଅଞ୍ଚଳରେକୁ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଯାଇ ଲୋକଙ୍କୁ ସଚେତନ କରୁଛି ବୋଲି ଡା. ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର