ମହାସପ୍ତମୀରେ ଲୋକାରଣ୍ୟ : ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ଭୁବନେଶ୍ବର : ଉତ୍ସବ ଓ ଉତ୍ସାହର ପରଶ ନେଇ ଧରାକୁ ଓହ୍ଲାଇଛନ୍ତି ମା’। ଆଖି ପାଉ ନ ଥିବା ତୋରଣ ଓ ମଣ୍ଡପରେ ମା’ଙ୍କ ଆବାହନ ପରେ ଘରେ ରହିବାକୁ ଆଉ ଭକ୍ତର ମନ ଲାଗୁନି। ଅଗଣିତ ଭକ୍ତଙ୍କ ଗତି ପୂଜା ମଣ୍ଡପକୁ ଛୁଟିଛି। ପାଗ ଭଲ ଦେଇ ଥିବାରୁ ମହାସପ୍ତମୀକୁ ମନଭରି ଉପଭୋଗ କରିଛନ୍ତି ଶ୍ରଦ୍ଧାଳୁ।

ଲଗ୍ନ ଅନୁଯାୟୀ ମା’ଙ୍କ ଚକ୍ଷୁଦାନ ପରେ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ ଆରମ୍ଭ ହୋଇଯାଇଥିଲା। ମଣ୍ତପରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା, ଆଳତି, ପୁଷ୍ପାଞ୍ଜଳି, ହଜାରେ ଆଠ ଆହୁତି କରାଯାଇଥିଲା।

ସନ୍ଧ୍ୟାରେ ଜମିଥିଲା ଅସଲ ଭିଡ଼। ଏକାବେଳେ ପ୍ରଭୁ ଦର୍ଶନ ଓ ମେଳା ବୁଲାକୁ ଉପଭୋଗ କରିବା ପାଇଁ ସପରିବାର ଭିଡ଼ ଜମେଇଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ସହରର ରାସ୍ତାଘାଟ ଏକରକମ ଜାମ୍‌ ହୋଇଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ସା˚ସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପୂଜା ମଣ୍ତପ ପଡ଼ିଆରେ ଜମିଥିବା ମୀନାବଜାର ବୁଲିଥିଲେ ଶ୍ରଦ୍ଧାଳୁ। ତୋରଣକୁ ନେଇ ବେଶ୍‌ କିଛିଦିନ ହେବ ଚର୍ଚା ଚାଲି ଆସୁଥିଲା। ଆଖି ଝଲସା ‌ଆଲୋକ ମାଳାରେ ସଜା ହୋଇଥିବା ତୋରଣ ଦେଖି ଶ୍ରଦ୍ଧାଳୁମାନେ ବିମୋହିତ ହୋଇଥିଲେ। ସର୍ବୋପରି ମା’ଙ୍କ ରୂପ ଓ ବେଶଭୂଷା ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା। ଆଜି ମ‌ା’ଙ୍କ ରୂପ ଦେଖି ଶ୍ରଦ୍ଧାଳୁମାନେ ଆ‌ତ୍ମବିଭୋର ହୋଇ ପଡ଼ିଥିଲେ।

ସହିଦନଗରରେ ଚାନ୍ଦି ମେଢ଼ ସାଙ୍ଗକୁ ସୁନା ମୁକୁଟ ପାଇଁ ଭିଡ଼ ଜମିଥିଲା, ସେହିପରି ପୁରୁଣା ଷ୍ଟେସନ୍‌ ବଜାର ପୂଜା ମଣ୍ତପ ଓ ପୁରୁଣା ଭୁବନେଶ୍ବର ବ୍ରାହ୍ମଣ ନିଯୋଗ ସମିତି ପକ୍ଷରୁ ଆୟୋଜିତ ପୂଜାରେ ଚାନ୍ଦି ମେଢ଼ ଦେଖିବାକୁ ଭିଡ଼ ଜମିଥିଲା। ଏଥିସହ ରସୁଲଗଡ଼, ଝାରପଡ଼ା, ନୟାପଲ୍ଲୀ, ବରମୁଣ୍ତା, ବମିଖାଲ ଓ ୧ନଂ ସମେତ ସହରର ଅନ୍ୟ ପୂଜା ମଣ୍ତପରେ ଆଖି ଝଲସା ତୋରଣ ଦେଖିବା ପାଇଁ ସହର ସମେତ ସମଗ୍ର ରାଜ୍ୟରୁ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଛି।

ଆସନ୍ତାକାଲି ସକାଳୁ ଚଣ୍ତୀପାଠ, ଦେବୀଙ୍କ ଷୋଡ଼ଶ ଉପଚାର ପୂଜା, ଚଣ୍ତୀ ଚାମୁଣ୍ତା ପୂଜା, ସନ୍ଧି ପୂଜା, ବଳିଦାନ (କୁଷ୍ମାଣ୍ତ ବଳି) ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ ବୋଲି ନୟାପଲ୍ଲୀ ପୂଜା ମଣ୍ତପର ପୂଜକ ଉମାକାନ୍ତ ନନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର