ଡ୍ରାଇଭ୍‌-ଇନ୍‌ ଟିକାକରଣ ବନ୍ଦ ପାଇଁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

ଯଦି ନିୟମ ନ ଥିଲା, ତାହେଲେ ଅନୁମତି ଦେଲା କିଏ ?
ସ୍ବାସ୍ଥ୍ୟକର୍ମୀଙ୍କ ପରିବାରକୁ ଟିକା ଦେବାକୁ ନିର୍ଦେଶ

ଭୁବନେଶ୍ବର : କରୋନା ଟିକାକରଣ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ନିର୍ଦେଶାବଳି ରହିଛି। ଏଥିରେ ଟିକା ପ୍ରଦାନ ପାଇଁ ଅପେକ୍ଷା ଗୃହ, ଟିକାକରଣ ଗୃହ, ଅବଜରଭେସନ୍‌ ରୁମ୍ ଓ ଟିକାର ପାର୍ଶ୍ବ ପ୍ରତିକ୍ରିୟା ବା ଏଇଏଫ୍‌ଆଇ ପାଇଁ ଅତିକମ୍‌ରେ ୩୦ ମିନିଟ୍‌ ରହିବା ଜରୁରୀ। ହେଲେ କେଉଁ ପରିସ୍ଥିତିରେ ରାଜଧାନୀ ସମେତ ଅନ୍ୟ ସ୍ଥାନରେ ଡ୍ରାଇଭ-ଇନ୍‌ ଓ ଡୋର ଷ୍ଟେପ୍ ଟିକାକରଣକୁ ଅନୁମତି ଦିଆଗଲା? ନିଆରା ଢଙ୍ଗରେ ଟିକାକରଣ ନେଇ ପ୍ରଶଂସା ସାଉଁଟିବା ପରେ ଏବେ ଏହାକୁ ବନ୍ଦ କରିବା ଲାଗି ସବୁ ଜିଲ୍ଲାପାଳ, ମ୍ୟୁନିସିପାଲଟି ଓ ସିଡିଏମ୍‌ଓଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ କୋଭିଡ-୧୯ ପରିଚାଳନା ନିର୍ଦେଶାବଳି ଅନୁସାରେ ଡ୍ରାଇଭ ଇନ ଓ ‌ଡୋର ଷ୍ଟେପ୍ ଟିକାକରଣକୁ ଅନୁମତି ଦିଆଯାଇନାହିଁ। ଟିକା ନେବା‌ ପରେ ଯଦି କୌଣସି ବ୍ୟକ୍ତିଙ୍କ ପାର୍ଶ୍ବ ପ୍ରତିକ୍ରିୟା ଦେଖା‌ଦିଏ ତାହାଲେ ଏହାକୁ ପରିଚାଳନା କରିବା ସମ୍ଭବ ହେବନାହିଁ। ଏହାସହ ଟିକା ନଷ୍ଟ ହେବାର ମଧ୍ୟ ଅଧିକ ଆଶଙ୍କା ରହିଛି। ଏ ଦୃଷ୍ଟିରୁ କେବଳ ଟିକାଦନ କେନ୍ଦ୍ରରେ ହିଁ ଟିକାକରଣ କରାଯିବା ଜରୁରୀ।

ଅପରପକ୍ଷରେ ରାଜ୍ୟରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀଙ୍କ ପରିବାରବର୍ଗଙ୍କୁ ଟିକା ପ୍ରଦାନ କରିବା ଲାଗି ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ନଗରମ ନିଗମକୁ ନିର୍ଦେଶ ଦିଆଯାଇଛି। କରୋନା ମହାମାରୀ ଆରମ୍ଭରୁ ସ୍ବାସ୍ଥ୍ୟକର୍ମୀମାନେ ନିରବଚ୍ଛିନ୍ନ ଭାବେ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ଚଳିତବର୍ଷ ଜାନୁଆର ୧୬ତାରିଖରୁ ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ୯୫ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି। ମାତ୍ର ସ୍ବାସ୍ଥ୍ୟକର୍ମୀମାନେ ଅଧିକାଂଶ ସମୟରେ କୋଭିଡ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେମାନଙ୍କ ପରିବାର ଲୋକ ମଧ୍ୟ ସଂକ୍ରମଣ ଦୃଷ୍ଟିରୁ ସମ୍ବେଦନଶୀଳ। ତେଣୁ ସ୍ବାସ୍ଥ୍ୟକର୍ମୀଙ୍କ ପରିବାର ଲୋକଙ୍କୁ ଟିକା ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର